-
ମୁଖ୍ୟ ଅଭିଯୁକ୍ତଙ୍କ ସହ ୨ଗିରଫ, ୨ଫେରାର
-
ଲୁଟ୍ ଟଙ୍କା, ସୁନା ଜବତ
ବ୍ରହ୍ମପୁର: ସ୍ଥାନୀୟ ଗୋଷାଣୀନୂଆଗାଁ ଥାନା ଅନ୍ତର୍ଗତ ହିଲ୍ପାଟଣାସ୍ଥିତ ବହୁ ଚର୍ଚ୍ଚିତ କ୍ଷୀର ବ୍ୟବସାୟୀ ହତ୍ୟା ଘଟଣାରେ ପୋଲିସକୁ ମିଳିଛି ବଡ ସଫଳତା । ଘଟଣାର ମାଷ୍ଟର ମାଇଣ୍ଡ ସହ ତାର ୨ସହଯୋଗୀକୁ ଗୋଷାଣୀନୂଆଗାଁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି । ଗିରଫ ମାନଙ୍କ ଠାରୁ ଲୁଟ୍ ଟଙ୍କା ଓ ସୁନା ଜବତ ହୋଇଥିବା ନେଇ ସ୍ଥାନୀୟ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ପିନାକ ମିଶ୍ର ସୂଚନା ଦେଇଛନ୍ତି । କ୍ଷୀର ବ୍ୟବସାୟୀ ଲମ୍ବୋଦର ମୁନିକୁ ହତ୍ୟା ଘଟଣାରେ ୫ଜଣଙ୍କ ସମ୍ପୃକ୍ତି ରହିଥିଲା । ସେମାନଙ୍କ ମଧ୍ୟରୁ ମାଷ୍ଟର ମାଇଣ୍ଡ ତଥା କ୍ଷୀର ଗାଡି ଡ୍ରାଇଭର ନେହୁରୁ ନଗର ପ୍ରଥମ ଲାଇନ୍ର ରୁପେଶ ପାଢ଼ୀ ଓରଫ୍ ଲାଲା, ତାର ସହଯୋଗୀ ନେହୁରୁ ନଗର ନବମ ଲାଇନ୍ର ଶିବ ମହାଙ୍କୁଡ, ଦିଗପହଣ୍ଡି ଥାନା ଭିସ୍ମଗିରି ବନ୍ଧସାହିର ରଞ୍ଜିତ ସାହୁ ଓରଫ୍ ନାକାକୁ ପୋଲିସ ଗିରଫ କରିଥିବା ସେ ସୂଚନା ଦେଇଛନ୍ତି । ତେବେ ଫେରାର ୨ଜଣ ହେଲେ ନେହୁରୁ ନଗର ନବମ ଲାଇନ୍ର ଶଙ୍କର ସାହୁ ଓ ଶ୍ରୀନୁ ପାତ୍ର । ପ୍ରଥମେ ଲୁଟ୍ କରିବା ଉଦ୍ଦେଶ୍ୟରେ ମୁନିଙ୍କ ଘରେ ପଶିବା ପରେ ଲୁଟ୍ପାଟ କରିବା ସମୟରେ ଲମ୍ବୋଦର ବାରଣ କରିବାରୁ ଧସ୍ତାଧସ୍ତି ହୋଇଥିଲା । ଭୟରେ ତାଙ୍କ ଗୋଡକୁ ପ୍ରଥମେ ବାନ୍ଧି ଧରାପଡିଜୀବ ଭାବି ତାଙ୍କ ମୁହଁକୁ ଲୁଟେରାରମାନେ ଚାପି ଧରିବା ଫଳରେ ସେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିଲେ ବୋଲି ଏସ୍ପି ସୂଚନା ଦେଇଛନ୍ତି । ଗତ ୧୩ତାରିଖ ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିଲା । ମାଷ୍ଟର ମାଇଣ୍ଡ କୁହାଯାଉଥିବା ରୁପେଶ ଲୁଟ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲା । ଷ୍ଟେଶନ୍ ରୋଡ୍ରେ ଥିବା ଏକ ହୋଟେଲ୍ରେ ସପ୍ଲାୟର ଥିବା ଶିବ ମହାଙ୍କୁଡ, ରଞ୍ଜିତ ସାହୁ, ସନ୍ତୋଷ ସାହୁ ଓ ଶ୍ରୀନୁ ପାତ୍ରଙ୍କୁ ମିଶାଇ ୫ଜଣ ଲୁଟ୍ କିପରି କରାଯିବ ତାର ନକ୍ସା ପ୍ରସ୍ତୁତକରି ରୁପେଶ ମୃତ ମୁନିଙ୍କ ଘର ସମ୍ମୁଖରେ ରହିଥିଲା ଓ ଉପରକ୍ତ ୪ଜଣଙ୍କୁ ଘର ଭିତରକୁ ଲୁଟ୍ପାଟ କରିବା ପାଇଁ ପଠାଇଥିଲା । ଦୁର୍ବୃତ୍ତମାନେ ଘର ଭିତରେ ପଶି ଆଲମାରି ଭାଙ୍ଗି ୬ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଥିଲେ । ଗିରଫ ଅଭିଯୁକ୍ତଙ୍କ ଠାରୁ ଲୁଟ୍ ହୋଇଥିବା ୪ଲକ୍ଷ ନଗଦ ଟଙ୍କା ସହ ସୁନା ଚେନ୍, ମୁଦି ଏବଂ କାନଫୁଲ ସହ ୧୦ଭରିରୁ ଅଧିକ ସୁନା ଜବତ କରାଯାଇଥିବା ସେ ସୂଚନା ଦେଇଛନ୍ତି । ଫେରାର ଥିବା ଶ୍ରୀନୁ ଓ ସନ୍ତୋଷକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସ୍ପି ସୂଚନା ଦେଇଛନ୍ତି । ଏଭଳି ଏକ ବଡ ଘଟଣାକୁ ବ୍ରହ୍ମପୁର ଟାଉନ୍ ପୋଲିସ ପକ୍ଷରୁ ଏଏସ୍ପି ପ୍ରଭାତଚନ୍ଦ୍ର ରାଉତରାଏଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏସ୍ଡିପିଓ ବିଷ୍ଣୁପ୍ରସାଦ ପତି ୪ଟି ଟିମ୍ ଗଠନକରି ଅପରାଧୀଙ୍କୁ ଧରିବା ପାଇଁ ପ୍ରୟାଶ ଆରମ୍ଭ କରିଥିଲେ ବୋଲି ସେ ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିସ ପତିଙ୍କ ସମେତ ଗୋଷାଣୀନୂଆଗାଁ ଥାନାଧିକାରୀ ସୁମିତ ସୋରେନ ପ୍ରମୁଖ ଉପସ୍ଥିତ ଥିଲେ । ଗିରଫ ମାନଙ୍କୁ ଗୋଷାଣୀନୂଆଗାଁ ଥାନା କେଶ୍ ନମ୍ବର ୮୭/୨୦ରେ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି ।