-
ବାଲେଶ୍ଵରରୁ ଆରମ୍ଭ ହେଲା ଏହି ଦିବସ ପାଳନର ପରମ୍ପରା
ବାଲେଶ୍ବର, ୧୬/୬ :(କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) ବାଲେଶ୍ବରର ମଡ୍ ଆର୍ଟିଷ୍ଟ ମାନଙ୍କ ଦ୍ଵାରା ଆଜି ପୂର୍ବାହ୍ନରେ ଦୁବଲାଗଡି ସମୁଦ୍ର ତଟଦେଶରେ ‘ଓ୍ବାର୍ଲଡ୍ କ୍ଲେ ଡେ’ ବା ବିଶ୍ଵ କର୍ଦମ ଦିବସ ପାଳିତ ହୋଇଯାଇଛି ।
ଏଥିରେ ଶିଳ୍ପୀ ଗୁରୁଦାସ, ଅରୁଣ ବାରିକ, କୈଳାଶ ଦାସ, ପ୍ରକାଶ ମହାନ୍ତି, ପ୍ରିୟଙ୍କା ସାମଲ, ସୋନାଲି ଦାସ, ରୂପାଲୀ, ମୋନାଲୀ, ଜ୍ୟୋତ୍ସ୍ନା ମାରାଣ୍ଡି, ରଞ୍ଜନ , ବିକାଶ, ମାନସୀ ମାଝି ଓ ଆରୁଷୀ, କାଳିପଦ ଜେନା ପ୍ରମୁଖ କାଦୁଅ କଳାକାରମାନେ ନିଜ ଦେହରେ କାଦୁଅ ବୋଳି ଏହି ଦିବସକୁ ସ୍ମରଣଯୋଗ୍ୟ କରିବା ସହ ଅଭିନୟ ମଧ୍ୟ କରିଥିଲେ।
ଶିଳ୍ପୀ କେଶୁଦାସଙ୍କ ତତ୍ତ୍ୱାବଧାନରେ ୧୫ ଜଣ ମଡ୍ ଆର୍ଟିଷ୍ଟ ବିଭିନ୍ନ ଭଙ୍ଗୀରେ କାଦୁଅ-କଳା ପ୍ରଦର୍ଶନ କରି ସ୍ଥାନୀୟ ଲୋକଙ୍କୁ ଆକୃଷ୍ଟ କରିଥିଲେ । ଶିଳ୍ପୀ କେଶୁଦାସ ‘ଓ୍ବାର୍ଲଡ୍ କ୍ଲେ ଡେ’ ବିଷୟରେ ସ୍ଥାନୀୟ ଲୋକଙ୍କୁ ବୁଝାଇବା ସହ ସେ ବିଷୟରେ ଆଲୋକପାତ କରିଥିଲେ । ସ୍ଥାନୀୟ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଅମର ଯବାନ ଯୁବ ସଂଗଠନ’ର ସଭାପତି ଭକ୍ତଚରଣ ଦାସ ଓ ସଦସ୍ୟ ମାନେ ଯୋଗ ଦେଇ ସହଯୋଗ କରିଥିଲେ।
ପ୍ରକାଶ ଥାଉ କି ଜୁନ ୫ ରୁ ୧୬ ତାରିଖ ପର୍ଯ୍ୟନ୍ତ ବିଶ୍ବ ପରିବେଶ ଦିବସ ଭାବରେ ପାଳନ କରାଯାଏ । ଏହାର ଅନ୍ତିମ ଦିବସକୁ ଭଦ୍ରକର ଲିମକା ବୁକ୍ ଅଫ୍ ରେକର୍ଡ ତାଲିକାଭୁକ୍ତ ବିଶିଷ୍ଟ ପରିବେଶବିତ୍ ତଥା ଆଡଭୋକେଟ୍ ରାଧାକାନ୍ତ ତ୍ରିପାଠୀ ଗତ ୨୦୧୦ରୁ ଓ୍ବାର୍ଲଡ୍ କ୍ଲେ ଡେ ବା ବିଶ୍ଵ କର୍ଦମ ଦିବସ ଭାବରେ ପାଳନ କରି ଆସୁଛନ୍ତି। ତାଙ୍କର ଏହି ମହତ ଉଦ୍ଦେଶ୍ୟକୁ ସମ୍ମାନ ଜଣାଇ ଚଳିତ ବର୍ଷ ପ୍ରଥମ ଥର ପାଇଁ ଏହି ଦିବସକୁ ଆମେ ଦୁବଲାଗଡିରେ ପାଳନ କଲୁ ବୋଲି ଶିଳ୍ପୀ କେଶୁଦାସ ଗଣମାଧ୍ୟମକୁ କହିଛନ୍ତି।