ନୂଆଦିଲ୍ଲୀ– ପାକିସ୍ତାନର ଇସଲାମାବାଦରେ ଥିବା ଭାରତୀୟ ହାଇ କମିଶନରେ କାର୍ଯ୍ୟ କରୁଥିବା ଦୁଇଜଣ କର୍ମଚାରୀ ସୋମବାର ସକାଳୁ ନିଖୋଜ ଅଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳର ଅଧିକାରୀ ହୋଇଥିବା ବେଳେ ଅନ୍ୟଜଣେ ତାଙ୍କର ଡ୍ରାଇଭର ।
ସୂଚନାଯୋଗ୍ୟ ଯେ ଗୁପ୍ତଚର ଅଭିଯୋଗରେ ଭାରତରେ ଥିବା ଦୁଇଜଣ ପାକିସ୍ତାନୀ ହାଇ କମିଶନ କର୍ମଚାରୀଙ୍କୁ ସେମାନଙ୍କ ଦେଶକୁ ପଠାଯିବା ପରେ ଏହି ଘଟଣା ଘଟିଛି । ଦିଲ୍ଲୀ ପୋଲିସ ଏଠାରେ କିଛି ଗୁରୁତ୍ୱପୂର୍ଣ୍ଣ ଦଲିଲ ହାସଲ କରିବାବେଳେ ଆବିଦ୍ ହୁସେନ୍ ଏବଂ ମହମ୍ମଦ ତାହିରଙ୍କୁ ଲାଲ୍ ହାତରେ ଧରିଥିଲା । କିନ୍ତୁ ପାକିସ୍ତାନ ଏହାର ଦୁଇ ଅଧିକାରୀଙ୍କୁ ପଠାଇବାକୁ ଦୃଢ ଆପତି ଜଣାଇଛି ।
ବର୍ତମାନ ସମୟରେ କାଶ୍ମୀରରେ ଧାରା ୩୭୦ ହଟାଯିବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ତିକ୍ତ ହୋଇଛି । ଉଭୟ ଦେଶ ଏ ସମ୍ପର୍କରେ ସେମାନଙ୍କର ହାଇ କମିଶନରଙ୍କୁ ପ୍ରତ୍ୟାହାର କରିଥିଲେ ।