Related Stories
November 25, 2024
ବ୍ରହ୍ମପୁର: ଓଡ଼ିଆ ସଂସ୍କୃତି, ପରମ୍ପରାର ଅନ୍ୟତମ ରଜପର୍ବକୁ ରବିବାର ସାରା ଓଡ଼ିଶାର ପୁରପଲ୍ଲୀରେ ପାଳନ କରାଯାଉଥିବା ବେଳେ ରେଶମ ସହରରେ ଏହି ରଜ ଦୋଳି ଉତ୍ସବର ଧୂମ୍ ଦେଖିବାକୁ ମିଳିନି । କରୋନା ମହାମାରୀ ଲକ୍ ଡାଉନ୍ ଯୋଗୁ ସମସ୍ତ ପ୍ରକାର ସାମାଜିକ କାର୍ଯ୍ୟକ୍ରମ, ଉତ୍ସବ ଓ ପରାମ୍ପରା ବନ୍ଦ ଥିବା ବେଳେ କେବଳ ପରିବାର ମଧ୍ୟରେ ଉକ୍ତ ଉତ୍ସବ ନିରାଡମ୍ବର ଭାବେ ପାଳନ କରୁଥିବା ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ରଜ ଉତ୍ସବ ପାଇଁ ଲକ୍ ଡାଉନ୍କୁ କିଛିଟା କୋହଳ କରାଯାଇଥିବା ବେଳେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ସପ୍ତାହନ୍ତ ସଡ୍ ଡାଉନ୍ ଯୋଗୁ ଉକ୍ତ ଉତ୍ସବ ସମ୍ପୂର୍ଣ୍ଣ ଭାବେ ଫିକା ପଡିଯାଇଛି । ପହିଲି ରଜରେ ଝିଅ ବୋହୂମାନେ ନୂଆ ଲୁଗା ପରିଧାନ କରି ପିଠାପଣା, ମାଂସ ଭୋଜିରେ ଦିନ ବିତାଇଛନ୍ତି । ପାରମ୍ପରିକ ପୋଡ ପିଠାକୁ ପୂର୍ବରୁ ବଜାରରୁ ସଂଗ୍ରହ କରାଯାଉଥିବା ବେଳେ ସମ୍ପ୍ରତି ଲକ୍ ଡାଉନ୍ ଯୋଗୁ ନିଜ ନିଜ ଘରେ ପ୍ରସ୍ତୁତ କରାଯାଉଥିବା ଦେଖିବାକୁ ମିଳିଛି । କେବଳ ସେତିକି ନୁହଁ ଆରିଶା, କାକରା, ଛେନାପୋଡ ଭଳି ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ମଧ୍ୟ ଘରେ ପ୍ରସ୍ତୁତ କରାଯାଇଥିବା ଜଣାପଡିଛି । ପୂର୍ବରୁ ବିଭିନ୍ନ ସାହିରେ ଦଉଡିରେ ପ୍ରସ୍ତୁତ ଦୋଳିରେ ହିଁ ପିଲାମାନେ ଝୁଲୁଥିବା ବେଳେ ଚଳିତ ବର୍ଷ ଏକା ଏକା କିମ୍ବା ନିଜ ପରିବାର କିଛିଜଣ ସଦସ୍ୟଙ୍କୁ ନେଇ ଦୋଳି ଖେଳ ଚାଲିଛି । ୩ଦିନ ବ୍ୟାପି ଅନୁଷ୍ଠିତ ଏହି ରଜ ଉତ୍ସବରେ ରବିବାର ହେଉଛି ପ୍ରଥମ ରଜ ବା ପହିଲି ରଜ ।