ଭୁବନେଶ୍ୱର-: ପ୍ରବାସୀ ଓଡ଼ିଆଙ୍କୁ ନେଇ ଆଜି ୟୁଏଇରୁ ଏକ ସ୍ୱତନ୍ତ୍ର ବିମାନ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବ । ଏଥିରେ ୨୧୫ ଜଣ ପ୍ରବାସୀ ଓଡ଼ିଆ ଆସିବେ । ସାରଜାହା ବିମାନ ବନ୍ଦରରୁ ଏହି ବିମାନ ଆଜି ସକାଳ ୮ରୁ ଭୁବନେଶ୍ୱର ଅଭିମୁଖେ ଉଡିବ । ଏହି ସ୍ୱତନ୍ତ୍ର ବିମାନର ଚାଳକ ମଧ୍ୟ ହେଉଛନ୍ତି ଜଣେ ଓଡ଼ିଆ ପାଇଲଟ । ପାଇଲଟ ମଧୁସ୍ମିତା ପଟ୍ଟନାୟକଙ୍କ ସହିତ ଅନ୍ୟ ୨୧୫ ଜଣ ଯାତ୍ରୀ ମଧ୍ୟ ଭୁବନେଶ୍ୱରରେ ଅବତରଣ କରିବେ । ୟୁଏଇରେ ଥିବା ଓଡ଼ିଆ ସମାଜ କିଛି ଯାତ୍ରୀଙ୍କ ଟିକେଟ ଦେଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ, କରୋନା ଭାଇରସ ପାଇଁ ସମଗ୍ର ବିଶ୍ୱ ଅତିଷ୍ଠ ହୋଇଥିବା ବେଳେ ଭାରତର ନାଗରିକମାନେ ବିଦେଶରୁ ଫେରିପାରୁ ନାହାନ୍ତି । ପ୍ରବାସୀ ଭାରତୀୟମାନଙ୍କର ଅସୁବିଧାକୁ ଦୃଷ୍ଟିରେ କେନ୍ଦ୍ର ସରକାର ବନ୍ଦେ ଭାରତ ମିଶନ ଆରମ୍ଭ କରିଛନ୍ତି । ଏହି ମିଶନ ଜରିଆରେ ପ୍ରବାସୀ ଓଡ଼ିଆମାନେ ଆଜି ଭୁବନେଶ୍ୱର ଆସୁଛନ୍ତି ।