-
ରାତି ପାହିଲେ ନୂଆ ନୂଆ ଅଞ୍ଚଳକୁ ବ୍ୟାପୁଛି ସଂକ୍ରମଣ
ବ୍ରହ୍ମପୁର: କରୋନା ଭୁତାଣୁ ସଂକ୍ରମଣ ଗଞ୍ଜାମ ଜିଲ୍ଲାରେ ବ୍ୟାପିବାରେ ଲାଗିଛି । ସଂକ୍ରମଣ ସଙ୍ଗରୋଧ କେନ୍ଦ୍ରରୁ ଡେଇଁ ଚାରିଆଡକୁ ବ୍ୟାପିଲାଣି । ଦିଗପହଣ୍ଡି, ଚିକିଟି, ପାତ୍ରପୁର, ପୁରୁଷୋତ୍ତମପୁର ପରେ ଆଜି ଛତ୍ରପୁର ଅଞ୍ଚଳକୁ ବ୍ୟାପିଛି । ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଶିକ୍ଷକ, ଅଙ୍ଗନୱାଡ଼ି, ଆଶାକର୍ମୀଙ୍କ ଠାରୁ ଆରମ୍ଭକରି କୋରନା ମୁକାବିଲାରେ ନିୟୋଜିତ କରୋନା ଯୋଦ୍ଧାମାନେ ବି ସଂକ୍ରମିତ ହେଲେଣି । କରୋନାକୁ ନେଇ ଗଞ୍ଜାମସ୍ଥିତି ଏବେ ଅଣାୟତ ଆଡକୁ ଗତି କରୁଛି । ପଜେଟିଭ ସଂଖ୍ୟା ୬୮୦ ଛୁଇଁଲାଣି । ବର୍ତ୍ତମାନ ମୌସୁମୀ ବର୍ଷା ଆରମ୍ଭ ହୋଇଥିବା ବେଳେ କରୋନା ସଂକ୍ରମଣ ଆହୁରି ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି । ବେଳ ଥାଉ ଥାଉ ଜିଲ୍ଲା ପ୍ରଶାସନ ଉପଯୁକ୍ତ ବ୍ୟବସ୍ଥା ନକଲେ ଜିଲ୍ଳାରେ ଗୋଷ୍ଠୀ ସଂକ୍ରମଣର ସ୍ଥିତି ଉପୁଜିବ ବୋଲି ବିଶେଷଜ୍ଞ ମାନେ ମତବ୍ୟକ୍ତ କରିଛନ୍ତି । ମାର୍ଚ୍ଚ ମାସ ଠାରୁ ଗଞ୍ଜାମ ଜିଲ୍ଳାରେ କରୋନାକୁ ନେଇ କଟକଣା ଆରମ୍ଭ ହୋଇଥିଲା । ଭଞ୍ଜନଗର, କବିସୂର୍ଯ୍ୟନଗର, ଛତ୍ରପୁରର ଠାକୁରାଣୀ ଯାତ୍ରାକୁ ମଧ୍ୟ ପ୍ରଶାସନ ବନ୍ଦ କରିଲା । ମା’ ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଓ ଗଞ୍ଜାମର ପ୍ରସିଦ୍ଧ ଦଣ୍ଡଯାତ୍ରା ବନ୍ଦ ହେଲା । ପ୍ରଶାସନର ଏହି ସମୟ ଉପଯୋଗୀ ପଦକ୍ଷେପ ଲାଗି ଜିଲ୍ଲାରେ କରୋନା ଖାତା ଖୋଲିନଥିଲା । ଲକ୍ ଡାଉନ୍ କଟକଣା କୋହଳ ପରେ ଗତ ଏପ୍ରିଲ୍ ୨୮ତାରିଖରୁ ବାହାର ରାଜ୍ୟରେ ଫଶି ରହିଥିବା ପ୍ରବାସୀ ଓଡ଼ିଆମାନେ ନିଜ ଭିଟାମାଟିକୁ ଫେରିବା ଆରମ୍ଭ ହୋଇଥିଲା । ମେ ୩ତାରିଖରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ଚଳାଚଳପରେ ପ୍ରବାସୀଙ୍କ ଆଗମନ କ୍ରମଶ ବୃଦ୍ଧି ପାଇଥିଲା । ପ୍ରବାସୀଙ୍କ ଘର ବାହୁଡାପରେ ମେ ୨ତାରିଖରେ ଜିଲ୍ଲାରେ କରୋନା ଖାତାଖୋଲି ୨ଟି ପଜିଟିଭ ଚିହ୍ନଟ ହୋଇଥିଲେ । ଇତି ମଧ୍ୟରେ କରୋନା ଖାତା ଖୋଲିବାର ୧ମାସ ୧୦ଦିନ ବିତିଛି । ଏହି ସମୟ ମଧ୍ୟରେ କରୋନା ପଜେଟିଭ ଶୀର୍ଷଗାମ୍ନି ଓ ନିମ୍ନଗାମୀ ମଧ୍ୟ ହୋଇଛି । ଗୋଟିଏ ଦିନରେ ସବୁ ରେକର୍ଡ ଭାଙ୍ଗି ଜିଲ୍ଲାରେ ୬୪ ପଜେଟିଭ ମଧ୍ୟ ଚିହ୍ନଟ ହୋଇଛନ୍ତି । ଏହି ସବୁ ଦିନ ମଧ୍ୟରେ ମାତ୍ର ୨ଦିନକୁ ବାଦ୍ ଦେଲେ ପ୍ରତ୍ୟହ ଜିଲ୍ଲାରେ କିଛି ନା କିଛି ନୂତନ ପଜେଟିଭ ଚିହ୍ନଟ ହୋଇଛନ୍ତି । ଜିଲ୍ଳାରେ ପାଖାପାଖି ୨୮୦୦ ସଙ୍ଗରୋଧ କେନ୍ଦ୍ର ଚାଲୁ ରହିଛି । ପାଖାପାଖି ୩୫୦ ବସ୍ ଓ ୧୦୦ରୁ ଊର୍ଦ୍ଧ୍ୱ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ଯୋଗେ ୨ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ଜିଲ୍ଲାକୁ ଫେରିଛନ୍ତି । ସେଥିମଧ୍ୟରୁ ପ୍ରାୟ ୧ଲକ୍ଷ ୬୦ହଜାର ପ୍ରବାସୀ ଆନୁଷ୍ଠାନିକ ସଙ୍ଗରୋଧ ସାରି ଘରକୁ ଫେରିଛନ୍ତି । ଏଥିମଧ୍ୟରୁ କିଛି ପ୍ରବାସୀଙ୍କ ଘରୋଇ ସଙ୍ଗରୋଧ ସରିଥିବା ବେଳେ ଆଉ କିଛିଙ୍କ ଘରୋଇ ସଙ୍ଗରୋଧ ଚାଲୁ ରହିଛି । ଆଉ ବାକି ୪୦ହଜାର ଜିଲ୍ଲାର ୧୦୦୦ରୁ ଊର୍ଦ୍ଧ୍ୱ ସଙ୍ଗରୋଧ କେନ୍ଦ୍ରରେ ରହିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଜିଲ୍ଳାରେ କେବଳ ସଙ୍ଗରୋଧ କେନ୍ଦ୍ରରୁ ହିଁ କରୋନା ପଜେଟିଭ ରୋଗୀ ଚିହ୍ନଟ ହେଉଥିଲେ । ଯାହାକି ଜିଲ୍ଲା ପାଇଁ ବିପଦ ସୃଷ୍ଟି କରିନଥିଲା । ପ୍ରବାସୀମାନେ ଘରୋଇ ସଙ୍ଗରୋଧକୁ ଯିବାପରେ ଏବଂ ସେମାନେ ତାଙ୍କ ଘରୋଇ ସଙ୍ଗରୋଧର ନିୟମ ଠିକ୍ ଭାବେ ପାଳନ ନକରି ବାହାରେ ବୁଲା ବୁଲି କରିବା ଫଳରେ ଏବେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପ୍ରତ୍ୟେକ ନୂଆ ନୂଆ ଅଞ୍ଚଳରେ କରୋନା ପଜେଟିଭ ଚିହ୍ନଟ ହେବାସହ ପ୍ରଶାସନକୁ ଏହାର ମୁକାବିଲା ପାଇଁ ନାକେଦମ୍ ହେବାକୁ ପଡୁଛି । ଏପରିକି ଉକ୍ତ ଅଞ୍ଚଳକୁ ଲକ୍ ଡାଉନ୍ ଓ ସଡ୍ ଡାଉନ୍ କରିବାରେ ପ୍ରଶାସନ ଲାଗି ପଡୁଛି । ଜିଲ୍ଳାରେ ବର୍ତ୍ତମାନ ସୁଦ୍ଧା ୫ଜଣଙ୍କ ମୃତ୍ୟୁ ଘଟିଥିବା ସରକାରୀ ଭାବେ କୁହାଯାଉଛି । କିନ୍ତୁ ବେସରକାରୀ ଭାବେ ଏହାର ସଂଖ୍ୟା ବହୁ ଅଧିକ ବୋଲି କୁହାଯାଉଛି । ସଙ୍ଗରୋଧ କେନ୍ଦ୍ରରୁ ଫେରିବାପରେ ଘରୋଇ ସଙ୍ଗରୋଧରେ ରହି ଗତ ୧ସପ୍ତାହ ମଧ୍ୟରେ ପ୍ରାୟ ୧୦ଜଣଙ୍କ ମୃତ୍ୟୁ ଘଟିଲାଣି । କିନ୍ତୁ ପ୍ରଶାସନ ସେମାନଙ୍କୁ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥିବା ଦର୍ଶାଇଛି । ଏଭଳିସ୍ଥିତିରେ ଗଞ୍ଜାମ ଏକ କରୋନା ବାରୁଦା ଗଦା ମଧ୍ୟକୁ ଠେଲି ହୋଇଯାଉଥିବା ଜଳ ଜଳ ଜଣାପଡୁଛି । କରୋନାର ଏଭଳି ସ୍ଥିତିକୁ ନେଇ ଜିଲ୍ଲାବାସୀ ବିଭିନ୍ନ ଆଶଙ୍କା ବ୍ୟକ୍ତ କରିଲେଣି । ଲକ୍ ଡାଉନ୍ କଟକଣା କୋହଳପରେ ବଜାରରେ କରୋନା ଥିବା ଭଳି ପରିସ୍ଥିତି ଦେଖାଯାଉନାହିଁ । ଲୋକମାନେ ଅମାନିଆ ହୋଇ ବଜାରରେ ଭିଡ ଜମାଇବା ସାଙ୍ଗକୁ ଖଟି ମଜା ମଧ୍ୟ କରୁଛନ୍ତି । ଏହା ଜିଲ୍ଲାକୁ ଆହୁରି ମଧ୍ୟ ବିପଦ ଆଡକୁ ଠେଲି ଦେବାର ଆଶଙ୍କା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର କିଛି ସଙ୍ଗଠନ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଲକ୍ ଡାଉନ୍ କଟକଣାକୁ କଠୋର କରିବା ପାଇଁ ଦାବି କରିଛନ୍ତି ।