ଭୁବନେଶ୍ୱର – ଦଲାଲ ଏବଂ ମଧ୍ୟସ୍ଥି ମାନଙ୍କର ଅକ୍ତିଆରରେ ରହିଥିବା ହସ୍ପିଟାଲକୁ ମୁକ୍ତ କରିବା ସହ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନସିଂ ମାଧ୍ୟମରେ ଜିଲ୍ଲା ସିଡ଼ିଏମଓ ଏବଂ ଏସ ପି ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଲୋକଙ୍କ ପଇସାରେ ମେଡ଼ିକାଲର ଭିତିଭୂମି, ବଜେଟ୍ ଏବଂ କଲେଜ ତିଆରି ହୋଇଛି । ରୋଗୀମାନେ ଯେପରି ସୁବିଧାରେ ସ୍ୱାସ୍ଥ୍ୟ ସେବା ପାଇ ଉପକୃତ ହୋଇପାରିବେ ସେଥିପ୍ରତି ଅଧିକ ଯତ୍ନଶୀଳ ହେବାକୁ କହିଥିଲେ ।ସେ ଆହୁରି କହିଥିଲେ ଯେ, ତାଙ୍କ ସରକାରଙ୍କ ଶାସନ କାଳରେ ସ୍ୱାସ୍ଥ୍ୟ ସେବାର କେତେକ କ୍ଷେତ୍ରରେ ସଫଳତା ହାସଲ କରିଛି । ସେଗୁଡ଼ିକ ହେଲା – ଶିଶୁ ମୃତ୍ୟୁହାର ଏବଂ ମ୍ୟାଲେରିଆ ରୋଗର ହ୍ରାସ ।
ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାରେ ଗୁରୁତ୍ୱ ଦେଇ ବଜେଟରେ ସ୍ୱାସ୍ଥ୍ୟ ସେବା ପାଇଁ ୭୦୦୦ କୋଟି ଟଙ୍କାର ବଜେଟ୍ ହୋଇଛି । ସୂଚନାଯୋଗ୍ୟ ଯେ ୨୦୦୦ ମସିହାରେ ରାଜ୍ୟର ସ୍ୱାସ୍ଥ୍ୟ ବଜେଟ ୫୧୪ କୋଟି ରହିଥିଲା । ତିନୋଟି ସରକାରୀ ମେଡ଼ିକାଲ କଲେଜରୁ ଏବେ ୭ଟି ମେଡ଼ିକାଲ କଲେଜ ହେଲାଣି ଏବଂ ଖୁବ୍ ଶୀଘ୍ର ୧୨ଟି ମେଡ଼ିକାଲ କଲେଜ ପ୍ରତିଷ୍ଠା ହେବାକୁ ଯାଉଛି । ଡାକ୍ତରଖାନାରେ ରୋଗୀଙ୍କୁ ଉତମ ବ୍ୟବହାର ପ୍ରଦର୍ଶନ ଉପରେ ମୁଖ୍ୟମନ୍ତ୍ରୀ ବିଶେଷ ଗୁରୁତ୍ୱ ଆରୋପ କରିବା ସହ ସେମାନଙ୍କୁ ସମ୍ମାନର ସହିତ ଚିକିତ୍ସା, ଔଷଧ ପ୍ରଦାନ ଓ ରୋଗ ପରୀକ୍ଷା ଆଦି ସବୁ ସେବା ମାଗଣାରେ ଯୋଗାଇଦେବା ହେଉଛି ଆମର କର୍ତବ୍ୟ ବୋଲି କହିଥିଲେ । କେତେକ ଜାଗାରେ ବିଶେଷ କରି ବ୍ଲକ ବ୍ୟାଙ୍କ, ଆମ୍ବୁଲାନ୍ସ ଓ ଡାଇଲୋସିିସ ଆଦି କ୍ଷେତ୍ରରେ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି । ଏହାର ସୁଯୋଗ ନେଇ ଏହି ସୁବିଧା ଉପଲବ୍ଧ କରିବାରେ ଦଲାଲ ମାନେ ବାଧା ସୃଷ୍ଟି କରୁଛନ୍ତି । ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଥିଲେ । ଯେଉଁ ଡାକ୍ତରମାନେ ଭଲ କାମ କରିବେ ତାଙ୍କ କାର୍ଯ୍ୟର ସ୍ୱୀକୃତି ସ୍ୱରୂପ ସେମାନଙ୍କୁ ପଦୋନ୍ନତି ଦିଆଯିବ । ଅନ୍ୟଥା ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ରାଜ୍ୟବାସୀଙ୍କୁ ସର୍ବୋତମ ଚିକିତ୍ସା ସେବା ଯୋଗାଇ ଦେବା ଦିଗରେ ମୁଖ୍ୟମନ୍ତ୍ରୀଙ୍କର ମହତ୍ ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଥିଲେ ।
ଡାକ୍ତରମାନଙ୍କ ପଦୋନ୍ନତି କ୍ଷେତ୍ରରେ ମୋ ସରକାରର ସଫଳତା ଦିଗରେ ତାଙ୍କର ଅବଦାନକୁ ଗୁରୁତ୍ୱ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଥିଲେ । ମୋ ସରକାର କାର୍ଯ୍ୟକ୍ରମରେ ଡାକ୍ତରମାନଙ୍କର ଭୂମିକା ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି. କେ. ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କର ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା ଥିବା ଭିଜନକୁ ପୂରଣ କରିବା ପାଇଁ ସମସ୍ତଙ୍କୁ ଉତମ ସେବା ଯୋଗାଇ ଦେବା ଅତ୍ୟନ୍ତ ଜରୁରୀ । ଡାକ୍ତରଖାନା ଗୁଡ଼ିକୁ, ବିଶେଷ କରି ବ୍ଲ୍ଡ଼ ବ୍ୟାଙ୍କ, ଆମ୍ବୁଲାନ୍ସ ଏବଂ ଡାୟାଲିସିସ ଆଦି କ୍ଷେତ୍ର ଗୁଡ଼ିକୁ ୧୫ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଭାବେ ଦଲାଲମୁକ୍ତ କରିବା ପାଇଁ ସେ ପରାମର୍ଶ ଦେଇଥିଲେ ।
ଏହି ବୈଠକରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଆର୍. ବାଲକ୍ରିଷ୍ଣନ୍, ପୋଲିସ ମହାନିର୍ଦ୍ଦେଶକ, ଉନ୍ନୟନ କମିିଶନର ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।