ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ଠାରେ ଥିବା ମହାରାଜା କୃଷ୍ଣଚନ୍ଦ୍ର ଭେଷଜ ମହାବିଦ୍ୟାଳୟ ଓ ଏମ୍କେସିଜି ବଡ ଡାକ୍ତରଖାନାର ଡାକ୍ତର ଓ ନର୍ସ କରୋନା ସଂକ୍ରମିତ ହୋଇଛନ୍ତି । ଜଣେ ସଂକ୍ରମିତ ଲୋକଙ୍କୁ ଚିକିତ୍ସାକରି ଡାକ୍ତରଖାନାର ୪ଜଣ ଡାକ୍ତର ଏବଂ ୮ଜଣ ନର୍ସଙ୍କ ଦେହରେ କରୋନା ପଜେଟିଭ ଥିବା ସୂଚନା ମିଳିଛି । ଏହି ଖବର ପ୍ରଚାରିତ ହେବାପରେ ସୋମବାର ଦିନ ସକାଳୁ ବଡ ଡାକ୍ତରଖାନାରେ କର୍ମଚାରୀଙ୍କ ମହଲରେ ଆତଙ୍କ ସୃଷ୍ଟି ହୋଇଛି । ଏହି ୧୨ଜଣ କର୍ମଚାରୀଙ୍କ ଚିକିତ୍ସା ଆରମ୍ଭ ହୋଇଥିବା ବେଳେ ସେମାନଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ନଥିବା କୁହାଯାଇଛି । ସମସ୍ତଙ୍କୁ ଏକ ସ୍ୱତନ୍ତ୍ର ସଙ୍ଗରୋଧ ଗୃହରେ ରଖି ଚିକିତ୍ସା ଜାରି ରହିଥିବା ଏମ୍କେସିଜି ପକ୍ଷରୁ ସୂଚନା ମିଳିଛି । କିନ୍ତୁ ଜିଲ୍ଳା ପ୍ରଶାସନ ପକ୍ଷରୁ ଆକ୍ରାନ୍ତଙ୍କ ବିଷୟରେ କୌଣସି ବିଧିବଦ୍ଧ ସୂଚନା ମିଳିନାହିଁ । ସୂଚନା ଅନୁସାରେ ଗତ ୬ଦିନତଳେ ପେଟରେ ଯନ୍ତ୍ରଣା ହେବାରୁ ଜଣେ ବ୍ୟକ୍ତି ବଡ ଡାକ୍ତରଖାନାକୁ ଆସିଥିଲେ । ତାଙ୍କୁ ସର୍ଜରୀ ବିଭାଗରେ ଭର୍କ୍ତି କରାଯାଇଥିଲା । ସେ କିଛିଦିନତଳେ ସୁରଥରୁ ଫେରି ସଙ୍ଗରୋଧରେ ରହି ଘରକୁ ଫେରିବାପରେ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିବା ଚିକିତ୍ସା କରୁଥିବା ଡାକ୍ତରମାନଙ୍କୁ କହିଥିଲେ । ଫଳରେ ଡାକ୍ତରମାନେ ତାଙ୍କର ଚିକିତ୍ସା କରିଥିଲେ । ଡାକ୍ତର ଓ ନର୍ସମାନେ ସେହି ରୋଗୀଙ୍କ ସ୍ପର୍ଶରେ ଆସିଥିଲେ । ରୋଗୀଜଣକ ଗୋଟିଏ ଦିନ ଡାକ୍ତରଖାନାରେ ରହି ଔଷଧ ଖାଇ ଡିସ୍ଚାର୍ଜ ହୋଇଥିଲେ । ତାଙ୍କର ଅସ୍ତ୍ରପ୍ରଚାର ଆବଶ୍ୟକ ପଡିନଥିବା ବେଳେ ସନ୍ଦେହକରି ତାଙ୍କ ସ୍ୱାବ୍ ପରୀକ୍ଷାପରେ ସେ ଜଣେ କରୋନା ପଜେଟିଭ ବୋଲି ଜଣାପଡିଥିଲା । ଏହା ଜାଣିବାପରେ ବଡ ଡାକ୍ତରଖାନା କର୍ତ୍ତୃପକ୍ଷ ସମ୍ପୃକ୍ତ ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭକରି ଯେଉଁ ଡାକ୍ତର ଓ ନର୍ସ ସମ୍ପୃକ୍ତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କ ସ୍ୱାବ୍ ସଂଗ୍ରହକରି ପରୀକ୍ଷା ପାଇଁ ପଠାଇଥିଲେ । ତନ୍ମଧ୍ୟରୁ ଜଣେ ହାଉସ୍ ସର୍ଜନ, ୩ଜଣ ପିିଜି ଡାକ୍ତର, ୮ଜଣ ନର୍ସଙ୍କ ନମୁନା ପଜେଟିଭ ଆସିଛି । କିନ୍ତୁ ସେମାନଙ୍କ ନିକଟରେ କରୋନର କୌଣସି ପ୍ରକାର ଲକ୍ଷଣ ନାହିଁ । ବଡ ଡାକ୍ତରଖାନା ତରଫରୁ ସମସ୍ତଙ୍କ ଚିକିତ୍ସା ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି ।