ନୂଆଦିଲ୍ଲୀ– ମୁକେଶ ଅମ୍ବାନୀଙ୍କୁ ରିଲାଏନ୍ସ ଜିଓର ୭ମ ନିବେଶକ ମିଳିଯାଇଛି । ଏଡିଆଇଏ ଜିଓ ପ୍ଲାଟଫର୍ମରେ ୫୬୮୩ କୋଟି ଟଙ୍କା ପୁଞ୍ଜି ନିବେଶ କରିଛି । ଗତ ସାତ ସପ୍ତାହ ଭିତରେ ଜିଓରେ ଏ ପର୍ଯ୍ୟନ୍ତ ୯୭,୮୮୫ କୋଟି ନିବେଶ କରାଯାଇସାରିଛି ।
ଏଡିଆଇଏ ଜିଓକୁ ଇକ୍ୱିଟି ଭେଲ୍ୟୁ ୪.୯୧ ଲକ୍ଷ କୋଟି ଓ ଏଣ୍ଟରପ୍ରାଇଜେଜ ଭେଲ୍ୟୁ ୫.୧୬ ଲକ୍ଷ କୋଟି ଟଙ୍କା ନିବେଶ ମିଳିଛି । ଏହି ନିବେଶ ସହିତ ଏଡିଆଇଏର ଜିଓରେ ଭାଗିଦାରୀ ୧.୧୬ ପ୍ରତିଶତ ରହିବ ।
ଜିଓରେ ନିବେଶ ପ୍ରଥମେ ଫେସବୁକ ଆରମ୍ଭ କରିଥିଲା । ଫେସବୁକ ପ୍ରାୟ ୪୪ ହଜାର କୋଟି ଟଙ୍କା ନିବେଶ କରିଥିଲା ଓ ୯.୯୯ ପ୍ରତିଶତ ଭାଗିଦାରୀ କିଣିଥିଲା । ଏହାପରେ ସିଲଭର ଲେକ, ଭିଷ୍ଟା ଇକ୍ୱିଟି ପାଟର୍ନସ, ଜନରଲ ଆଟଲାଣ୍ଟିକ, କେକେଆର, ମୁବାଡଲା ଓ ଏବେ ଏଡିଆଇଏ ୭ମ ନିବେଶକ ଭାବରେ ନିବେଶ କରିଛି ।
ରିଲାଏନ୍ସ ଇଣ୍ଡଷ୍ଟ୍ରି ଏ ପର୍ଯ୍ୟନ୍ତ ସର୍ବମୋଟ ୨୦ ପ୍ରତିଶତ ଠାରୁ ଅଧିକ ଭାଗିଦାରୀ ବିକ୍ରି କରିସାରିଛି । ଶୁକ୍ରବାରରେ ସିଲଭର ଲେକ ଅତିରିକ୍ତ ୦.୯୩ ପ୍ରତିଶତ ଭାଗିଦାରୀ ବଦଳରେ ୪,୫୪୬.୮୦ କୋଟି ଟଙ୍କା ନୂଆ ନିବେଶ କରିଛି । ସେହି ଦିନ ହିଁ ଆବୁ ଧାବିରେ ଥିବା ନିବେଶ କଂପାନୀ ମୁବଡଲା (ଏଡିଆଇଏ)୯,୦୯୩.୬୦ କୋଟି ଟଙ୍କାରେ ୧.୮୫ ପ୍ରତିଶତ ଭାଗିଦାରୀ କିଣିଛି ।
ଫେସବୁକ ଏପ୍ରିଲ ୨୨ରେ ଜିଓ ପ୍ଲଟଫର୍ମରେ ୪୩,୫୭୪ କୋଟି ଟଙ୍କାରେ ୯.୯୯ ପ୍ରତିଶତ ଭାଗିଦାରୀ କିଣିଥିଲା । ଏହି ନିବେଶର କିଛି ଦିନ ପରେ ବିଶ୍ୱର ସବୁଠାରୁ ବଡ଼ ନିବେଶକ କପାଂନୀ ସିଲଭର ଲେକ ଜିଓ ପ୍ଲାଟଫର୍ମରେ ୫,୬୬୫.୭୫ କୋଟିରେ ୧.୧୫ ପ୍ରତିଶତ ଭାଗିଦାରୀ କିଣିଥିଲା ।