ବ୍ରହ୍ମପୁର: ପାଣିପାଗ ବିଭାଗ ଅନୁଯାଇ ଆସନ୍ତା ୧୦ତାରିଖ ଓଡ଼ିଶାରେ ବର୍ଷା ଆରମ୍ଭ ହେବ । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ସହରର ଅଧିକାଂଶ ଅଞ୍ଚଳରେ କୃତ୍ରିମ ବନ୍ୟା ସୃଷ୍ଟି ହେବ ଓ ପ୍ରଶାସନ, ସରକାର ତରଫରୁ ଚୁଡା, ଚିନି, ଚାଉଳ ବଣ୍ଟନ କରାଯାଇଥିବା ମଧ୍ୟ ନଜର ଅଛି । ଦୁର୍ଭାଗ୍ୟରକଥା ପ୍ରତିବର୍ଷ ଏହି ଅବସ୍ଥା ସହରରେ ଘଟୁଥିଲେ ମଧ୍ୟ ଠିକ୍ ବର୍ଷାଦିନ ପୂର୍ବରୁ ହିଁ ଶାସକ ଦଳକୁଏହି କଥା ମନେ ପଡୁଛି । ଗତ ୨୦ବର୍ଷ ହେଲା ସହରରେ କୃତ୍ରିମ ବନ୍ୟା ସୃଷ୍ଟି ହେଉଛି । କିନ୍ତୁ ଶାସକ ଦଳ ସମୀକ୍ଷା ଓ ସର୍ଭେରେ ଅଟକି ଯାଇଛି । ବାହାନାନାଳ ଓ ସାପୁଆ ନାଳର ପୁନଃ ଉଦ୍ଧାର କାର୍ଯ୍ୟରେ ଏହାର ହେରାଫେରି ଓ ରାଜ୍ୟ ସରକାରଙ୍କ ବ୍ରହ୍ମପୁର ସହର ପ୍ରତି ବୈମାତୃକ ମନୋଭାବ ଯୋଗୁ ଏହି ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରୁନାହିଁ ବୋଲି ଏକ ପ୍ରେସ୍ ବିବୃତ୍ତିରେ ଜିଲ୍ଳା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପିତବାସ ପଣ୍ଡା, ନଗର କଂଗ୍ରେସ ସଭାପତି ପ୍ରମୋଦ ଜେନା ଓ ପିସିସି ସମ୍ପାଦକ ଲିଙ୍ଗରାଜ ଚୌଧୁରୀ ଦାବି କରିଛନ୍ତି ଯେ, ସହରର ଏହି କୃତ୍ରିମ ବନ୍ୟାରୁ ରକ୍ଷା ପାଇବାକୁ ହେଲେ ମାଷ୍ଟର ପ୍ଲାନକୁ ତୁରନ୍ତ କାର୍ଯ୍ୟକାରୀ କରାଯାଉ ଓ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ମୁତାବକ ସହରର ବିକାଶ ପାଇଁ ଏକ ହଜାର କୋଟି ଅନୁଦାନ ଦିଆଯାଉ ।
ବିଜେପି: ସହରରେ ଉପୁଜିଥିବା ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ବର୍ଷା ଆସି ପହଞ୍ôଚଲେ ହିଁ ପ୍ରଶାସନର ଚେତା ପଶୁଛି । ସହରରେ ମଇଳା ପାଣି ନିଷ୍କାସନ ହୋଇପାରୁନଥିବାରୁ ସହରବାସୀ ଦୀର୍ଘଦିନ ହେଲା ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସହର ଭିତରେ ରହିଥିବା ସାପୁଆ ନାଳ ଓ ବାହାନାନାଳ ସଫେଇ ଓ ନିର୍ମାଣ ନାମରେ ଡ୍ରେନେଜ ଡିଭିଜନ କୋଟି କୋଟି ଟଙ୍କା ବାଟମାରଣା କରିଥିବା ଅଭିଯୋଗ ଆସିବାପରେ ଜିଲ୍ଲା ବିଜେପି ପକ୍ଷରୁ ଏହାର ଭିଜିଲାନ୍ସ ତଦନ୍ତ ଦାବି କରାଯାଇଛି । ଏହି ସମସ୍ୟାର ସମାଧାନ ଓ ନିରାକରଣ ପାଇଁ ସାଇଣ୍ଟଫିକ୍ ଟିମ୍ ଅଣାଯାଇ ସହରର ଭୌଗଳିକ ସ୍ଥିତିକୁ ଅନୁଧ୍ୟାନକରି ନିରାକରଣ କରନ୍ତୁ ବୋଲି ପ୍ରେସ୍ ଇସ୍ତାହାର ମାଧ୍ୟମରେ ଜିଲ୍ଲା ବିଜେପିର ବରିଷ୍ଠ ନେତା କାହ୍ନୁଚରଣ ପତି ଦାବି କରିଛନ୍ତି ।