ବ୍ରହ୍ମପୁର: ରେଡ୍ ଜୋନ୍ରେ ଥିବା ଗଞ୍ଜାମ ଜିଲ୍ଲା ସମେତ ରାଜ୍ୟର ୧୧ଟି ଜିଲ୍ଲାକୁ ଜୁନ୍ ମାସର ପ୍ରତ୍ୟେକ ଶନିବାର ଓ ରବିବାର ୨ଦିନ ସଡ୍ ଡାଉନ୍ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ଏହି ମର୍ମରେ ମାସର ପ୍ରଥମ ଶନିବାର ଦିନ ସଡ୍ ଡାଉନ୍ ଗଞ୍ଜାମ ଜିଲ୍ଲାରେ ଅଦଭୂତ ପୂର୍ବକ ସଫଳତା ମିଳିଛି । ଲୋକେ ନିଜେ ସଚେତନ ହୋଇ ସରକାର ଓ ପ୍ରଶାସନର ନିର୍ଦ୍ଦେଶକୁ ମାନି ଘରୁ ବାହାରକୁ ବାହାରିନଥିଲେ । ଜିଲ୍ଲାରେ ଔଷଧ ଦୋକାନକୁ ଛାଡିଲେ ସବୁ ଦୋକାନ ବଜାର ବନ୍ଦ ରହିଥିଲା । ବସ୍ଷ୍ଟାଣ୍ଡରୁ ବସ୍ ଚଳାଚଳକୁ ଅନୁମତି ମିଳିଥିଲେ ମଧ୍ୟ ଯାତ୍ରୀ ଆସିନଥିବାରୁ ବସ୍ଷ୍ଟାଣ୍ଡ ମଧ୍ୟ ଖାଁ ଖାଁ ଦେଖିବାକୁ ମିଳିଥିଲା । ଜିଲ୍ଲାର ୨୨ଟି ବ୍ଲକ୍ ଓ ୧୭ଟି ଏନ୍ଏସି ସହ ବ୍ରହ୍ମପୁର ମହାନଗର ନିଗମରେ ସଡ୍ ଡାଉନ୍ ନିୟମକୁ ମାନି ଜିଲ୍ଲାବାସୀ ପାଳନ କରିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ସାଧୁବାଦ ଦେଇଛନ୍ତି । ଏହି ମାସଟି ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବହନ କରୁଛି । ତେଣୁ ଏହି ମାସରେ ଆମେ ସାବଧାନତା ସହ ସତର୍କତା ରହିଲେ କରୋନା ଲଢ଼େଇରେ ସଫଳ ପାଇବା ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଜିଲ୍ଲାର ୨ପୋଲିସ ଜିଲ୍ଲା ପକ୍ଷରୁ ସହରରେ ପୋଲିସ ମୁତୟନ କରାଯାଇ ପ୍ରବେଶ ପଥଗୁଡିକରେ କଡାକଡି ଯାଞ୍ଚ କରାଯାଇଥିଲା । କିଛି ଅମାନିଆଙ୍କ ଗାଡିକୁ ଜବତ କରିବା ସହ ଜୋରିମାନା ଆଦାୟ କରାଯାଇଥିବା ଜଣାପଡିଛି ।