ବ୍ରହ୍ମପୁର: ଭାରତରେ ପ୍ରଥମଥର ପଶ୍ଚିମବଙ୍ଗ ଦୀଘା ସମୁଦ୍ର ଉପକୂଳରୁ ଏକ କୋଚିଆ ପ୍ରଜାତିର ମାଛ ଠାବ କରାଯାଇଛି । ମାଛର ନାମକରଣ “ପାରାବାଥିମାଇରସ୍ ମାଇକ୍ରୋଫଥାଲମସ’’ କରି ରେକର୍ଡସ୍ ଅଫ୍ ଜୁଲୋଜିକାଲ୍ ସର୍ଭେ ଇଣ୍ଡିଆରେ ସ୍ଥାପନ କରାଯାଇଛି । ପୂର୍ବରୁ ଏହି ମାଛ ଜାପାନ,ତାଇୱାନ୍, ଭିଏତ୍ନାମ ଏବଂ ଅଷ୍ଟ୍ରେଲିଆରେ ଦେଖାଯାଇଛି । ପଶ୍ଚିମବଙ୍ଗ ଉପକୂଳରୁ ଏହି ମାଛ ଧରାଯିବାର ୪ବର୍ଷପରେ ଚିହ୍ନଟ ଓ ନାମକରଣ ହୋଇଛି । ଜେଡ୍ଏସ୍ଆଇ ବୈଜ୍ଞାନିକଙ୍କୁ ଏହି ମାଛକୁ ଚିହ୍ନଟ ଲାଗି ୪ବର୍ଷ ସମୟ ଲାଗିଛି । ଏହି ମାଛର ଲମ୍ବ ୨୪୬ମିଲିମିଟର ହୋଥିବା ବେଳେ ରଙ୍ଗ ଧୁସରା । ଶରୀର ଚିକ୍କଣ ଓ ଦାନ୍ତ ମୁନିଆ ସହ ଶକ୍ତ । ଏମାନେ ଛୋଟ ଛୋଟ ଗୁଳ୍ମ ଏବଂ ଛୋଟ ଛୋଟ ସାମୁଦ୍ରିକ ଜୀବ ଖାଇଥାନ୍ତି । ଏମାନେ ବିଷାକ୍ତ ମଧ୍ୟ ନୁହଁନ୍ତି । ପଶ୍ଚିମବଙ୍ଗ ଦୀଘା ଉପକୂଳ ସମୁଦ୍ରର ୨୨ମିଟର ଗଭୀରତାରୁ ଏହି ମାଛକୁ ୨୦୧୬ମସିହାରେ ପଶ୍ଚିମବଙ୍ଗସ୍ଥିତ ବାଜକୁଳ ମିଲାନି ମହାବିଦ୍ୟାଳୟର ଅଧ୍ୟାପକ ଡା. ଦୀପାଞ୍ଜନ ରାଏ ଧରିଥିଲେ । ଏହାକୁ ନେଇ ପରୀକ୍ଷାନିରୀକ୍ଷା କରାଯାଇଥିଲା । ଶେଷରେ କୋଚିଆ ପ୍ରଜାତିର ମାଛଟି ଭାରତ ଉପକୂଳରୁ ପ୍ରଥମଥର ପାଇଁ ଧରାପଡିଥିବା ନେଇ ଗୋପାଳପୁରସ୍ଥିତ ଭାରତୀୟ ପ୍ରାଣୀ ସର୍ବେକ୍ଷଣ ସଂସ୍ଥା ଜାଣିବାକୁ ପାଇଥିଲା । ଓଡ଼ିଶାର ଗୋପାଳପୁରସ୍ଥିତ ଜେଡ୍ଏସ୍ଆଇର ବୈଜ୍ଞାନିକ ଡା.ଅନିଲ୍ ମହାପାତ୍ର, ସୁଇଜରଲାଣ୍ଡର ଡା. ଡେଭିଡ ଜି.ସ୍ମିଥ୍, କୋଲକାତା ଜେଡଏସ୍ଆଇର ଡା.ଶୁଭେନ୍ଦୁ ଶେଖର ମିଶ୍ର ଏହି ମାଛର ଗବେଷଣା କରି ନୂତନ ନାମକରଣ କରିଛନ୍ତି ।
Related Stories
November 23, 2024