-
କୋଚିଂ ଓ ଟ୍ରେନିଂ ଅନୁଷ୍ଠାନ ଖୋଲିବାକୁ ମିଳୁ ସର୍ତମୂଳକ ଅନୁମତି
ଭୁବନେଶ୍ୱର,୨/୬: କରୋନା ମହାମାରୀ ଲକ୍ ଡାଉନ୍ ଯୋଗୁଁ ୩ମାସ ହଲା ଟ୍ୟୁସନ୍ ଓ କୋଚିଂ ସେଂଟର ବନ୍ଦ । ଏହା ଦ୍ୱାରା ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ଉପରେ ପ୍ରଭାବ ପକାଇଛି । ସେହିପରି କୋଚିଂ ସେଂଟର ବନ୍ଦ ଯୋଗୁଁ ଏହାର ମାଲିକ ଘର ଭଡ଼ା ଓ କାର୍ଯ୍ୟରତ ଶିକ୍ଷକ, କର୍ମଚାରୀଙ୍କୁ ବେତନ ଦେଇ ହତାସ ହୋଇଗଲେଣି । ଏହାର ସାମାଧାନ ପାଇଁ ସରକାର ୭ଦିନ ମଧ୍ୟରେ ଏହି କୋଚିଂ ସେଂଟର ଗୁଡ଼ିକ ଖୋଲିବାକୁ ସର୍ତମୂଳକ ଖୋଲିବାକୁ ପ୍ରଦାନ କରନ୍ତୁ ବୋଲି ଓଡ଼ିଶା କୋଚିଂ ଏଣ୍ଡ୍ ଟ୍ରେନିଙ୍ଗ୍ ଏକାଡେମୀକ୍ ଆସୋସିଏସନ୍ ଦାବି କରିଛି । ନଚେତ୍ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଘରୋଇ ଶିକ୍ଷକମାନେ ଚେତାବନୀ ଦେଇଛନ୍ତି । ଆସୋସିଏସନ୍ ପକ୍ଷରୁ କୁହାଯାଇଛି ଯେ, ବିଭିନ୍ନ ସ୍କୁଲରେ ଶିକ୍ଷା ଗ୍ରହଣ କଲେ ମଧ୍ୟ ଛାତ୍ରଛାତ୍ରୀ ଟ୍ୟୁସନ୍ ଓ କୋଚିଂ ସେଂଟର ଉପରେ ନିର୍ଭର କରିଥାନ୍ତି । କେବଳ ବିଦ୍ୟାଳୟର ଅନ୍ ଲାଇନ୍ ପାଠରେ ଛାତ୍ରଛାତ୍ରୀଙ୍କ ଅଧିକ ବିକାଶ ହୋଇ ପାରିବ ନାହିଁ । ଛାତ୍ରଛାତ୍ରୀଙ୍କ ଶିକ୍ଷା ଗ୍ରହଣରେ କୋଚିଂ ସେଂଟରର ବଡ଼ ଭୂମିକା ରହିଛି । କୋଚିଂ ନେବା ଫଳରେ ବିଭିନ୍ନ ପରୀକ୍ଷା କରାଯାଇ ବିଦ୍ୟାର୍ଥୀଙ୍କ ଦକ୍ଷତା ବିକାଶ ସହ ସୁଦୃଡ଼ ଶିକ୍ଷା ଓ ମାନସିକ ଦକ୍ଷତା ମଧ୍ୟ ବୃଦ୍ଧି କରାଯାଇଥାଏ । ଛାତ୍ରଛାତ୍ରୀ କୋଚିଂ ସେଂଟରରେ ବନ୍ଦ ଦ୍ୱାରା ଛାତ୍ରଛାତ୍ରୀଙ୍କ ବହୁ ସମସ୍ୟା ହେଉଛି । କେବଳ ଏତିକି ନୁହେଁ ଟ୍ୟୁସନ୍ ଓ କୋଚିଂ ସେଂଟର ଦ୍ୱାରା ଅଗଣିତ ଶିକ୍ଷିତ ବେକାର ରୋଜଗାରପନ୍ଥା ବନ୍ଦ ହୋଇଛି । ଟ୍ୟୁସନ୍ ଓ କୋଚିଂ ସେଂଟର ବନ୍ଦ ଦ୍ୱାରା ଶିକ୍ଷାର ଅଧୋଗତି ହୋଇ ବେକରୀ ବୃଦ୍ଧି ପାଉଛି । ଏବେ ବନ୍ଦ ଯୋଗୁଁ କୋଚିଂ ସେଂଟର ଘର ଭଡ଼ା ଦେବା ସମସ୍ୟା ହୋଇଛି । ଘର ଭଡ଼ା ବ୍ୟବସ୍ଥା କରିବା ସହ କୋଚିଂ ସେଂଟର ଗୁଡ଼ିକ ଖୋଲିବା ପାଇଁ ଅନୁମତି ପ୍ରଦାନ କରନ୍ତୁ ବୋଲି ଆସୋସିଏସନ୍ ପକ୍ଷରୁ ନିବେଦନ କରାଯାଇଛି । ସରକାର ରେଳଯାତ୍ରା, ବିମାନ ଯାତ୍ରା, ବିବାହ ପାଇଁ ଅନୁମତି ଦେଇଛନ୍ତିି । ସେହିପରି ସାମଜିକ ଦୂରତା ଅବଲମ୍ବନରେ ଶ୍ରେଣୀ ଗୃହ, ୧୫ଜଣ ଛାତ୍ରରେ ଶିକ୍ଷାଦାନ ଓ ଶତକଡ଼ା ୩୦ ଛାତ୍ରରେ ଛାତ୍ରାବାସ ଖୋଳିବା ଅନୁମତି ଆବଶ୍ୟକ ରହିଛି । । ଏଣୁ ରାଜ୍ୟ ସରକାର କୋଚିଂ ସେଂଟର ଗୁଡ଼ିକ ଖୋଲିବାକୁ ସାମଜିକ ଦୂରତା ରଖିବା ସର୍ତ ରଖି ଖୋଲିବାକୁ ଅନୁମତି ଦିଅନ୍ତୁ । ନଚେତ ଅଗାମୀ ଦିନରେ ଆନ୍ଦୋଳନ ହେଲେ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଆସୋସିଏସନର ସଭାପତି ତଥା ରାଷ୍ଟପତି ପୁରଷ୍କାରପ୍ରାପ୍ତ ଶିକ୍ଷକ ପ୍ରସନ୍ନ କୁମାର ଚୌଧୁରୀ, ସମ୍ପାଦକ ତଥା ରାଷ୍ଟପତି ପୁରଷ୍କାରପ୍ରାପ୍ତ ଶିକ୍ଷକ ପ୍ରଭାତ ତ୍ରିପାଠୀ, ଉପଦେଷ୍ଠା ବିଶ୍ୱରଞ୍ଜନ ଦାସ ଓ ବିଭିନ୍ନ ଜିଲ୍ଲାର ପ୍ରତିନିଧିମାନେ ସୂଚନା ପ୍ରଦାନ କରିଛନ୍ତି ।