
ଭୁବନେଶ୍ୱର – ଦକ୍ଷିଣ ଆନ୍ଧ୍ରପ୍ରଦେଶ ଏବଂ ଏହାର ଆଖପାଖ ଅଂଚଳରେ ଘୂର୍ଣ୍ଣି ବାତ୍ୟା ସୃଷ୍ଟି ହେବା ଫଳରେ ତା’ର ପ୍ରଭାବରେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି । ଆସନ୍ତାକାଲି ରାଜ୍ୟର ସାତଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏହିସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ମଧ୍ୟରେ ରଖାଯାଇଛି । ସେଗୁଡ଼ିକ ହେଲା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କଟକ, ଖୋର୍ଦ୍ଧା, ପୁରୀ ଏବଂ ଗଞ୍ଜାମ । ସେହିପରି ୱେଲୋ ୱାର୍ଣ୍ଣିଂ ଆଠଟି ଜିଲ୍ଲାରେ ରଖାଯାଇଛି । ସେଗୁଡ଼ିକ ହେଲା ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୟାଗଡ଼, କେନ୍ଦୁଝର, କନ୍ଧମାଲ, ବୌଦ୍ଧ ଓ ଢେଙ୍କାନାଳ । ଏହିସବୁ ଜିଲ୍ଲାମାନଙ୍କରେ ଘଡ଼ଘଡ଼ି ସହ ବର୍ଷା ହେବ । ୨୬ ତାରିଖରେ ଚାରିଟି ଜିଲ୍ଲାରେ ବର୍ଷା ହେବ । ସେଗୁଡ଼ିକ ହେଲା ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର । ରାଜ୍ୟର ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ଲାଗିରହିବ ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।