
କେନ୍ଦୁଝର– ମୂଲ୍ୟବାନ ଖଣିଜ ସମ୍ପଦରେ ଭରପୁର ଅଂଚଳରେ ଛିଡା ହୋଇଥିବା ତଥା ଖଣି ଉପତ୍ୟକା ଭାବେ ପରିଚିତ କେନ୍ଦୁଝର ଜିଲ୍ଲାର ଯୋଡା- ବଡବିଲ ବାରମ୍ବାର ସରକାରଙ୍କ ବୈମାତୃକ ମନୋଭାବର ଶୀକାର ହୋଇ ଚିର ଅବହେଳିତ ଅବସ୍ଥାରେ ରହିଆସିଛି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନା, ଶୁଦ୍ଧ ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ଏହି ଖଣି ଅଂଚଳବାସୀ ବଂଚିତ ହୋଇ ଆସୁଛନ୍ତି । ବାରମ୍ବାରର ପ୍ରଶାସନର ଦୃଷ୍ଟି ଆକର୍ଷଣ କଲା ପରେ ବି ସରକାର କିମ୍ବା ଜିଲ୍ଲା ପ୍ରଶାସନର ନିଦ୍ରା ଭଙ୍ଗ ହେଇ ନଥିଲା । ଫଳରେ ଅଂଚଳବାସୀଙ୍କୁ କୌଣସି ସୁଫଳ ମିଳି ନ ଥିଲା । ସରକାର ଓ ଜିଲ୍ଲା ପ୍ରଶାସନର ଅଂଚଳବାସୀଙ୍କ ପ୍ରତି ଏତାଦୃଶ ଅଣଦେଖା ମନୋଭାବରେ ଜନସାଧାରଣ ଅତିଷ୍ଠ ହୋଇପଡିଥିଲେ । ଏହାର ପ୍ରତିବାଦ କରିବାକୁ ଯୋଡା ଅଂଚଳର ବରିଷ୍ଠ ନାଗରିକ ମାନେ ଆଗେଇ ଆସିବା ସହ ସମସ୍ତେ ଗୋଟିଏ ମଂଚ ତଳେ ଏକାଠି ହୋଇଥିଲେ । ଗତ ସୋମବାର ଠାରୁ ଯୋଡା ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ୭ ଦଫା ସମ୍ବଳିତ ଦାବୀପତ୍ର ନେଇ ବରିଷ୍ଠ ନାଗରିକ ମଂଚ ବ୍ୟାନରରେ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଧାରଣା ଆରମ୍ଭ କରିଥିଲେ । ସକାଳ ପ୍ରାୟ ୧୦ ଟା ସମୟରେ ବରିଷ୍ଠ ନାଗରିକ ମଂଚ, ଯୋଡା ଏବଂ ବଡବିଲ ସିଭିଲ ସୋସାଇଟି, ଯୋଡା ନାଗରିକ ମଂଚ ଏବଂ ବିଭିନ୍ନ ସଂଗଠନର କର୍ମକର୍ତାମାନେ ନିକଟସ୍ଥ ଶିବ ମନ୍ଦିର ଠାରୁ ଏକ ବିରାଟ ପଟୁଆରରେ ଆସି ଯୋଡା ପୌରପାଳିକ କାର୍ଯ୍ୟାଳୟ ସମ୍ମୁଖରେ କରାଯାଇଥିବା ମଂଚରେ ଧାରଣାରେ ବସିଥିଲେ । ଏହି ଧାରଣା ସମୟରେ ପ୍ରଶାସନର ଅପାରଗତା, ଯୋଡା-ବଡବିଲ ଖଣି ଅଞ୍ଝଳ ପ୍ରତି ସାବତପୁଅ ମନୋଭାବ ନେଇ ବରିଷ୍ଠ ନାଗରିକମାନେ ନିଜ ନିଜର ମତ ରଖିଥିଲେ । ତେବେ ମଧ୍ୟାହ୍ନ ପରେ ପରେ ବଡବିଲ ତହସିଲଦାର କ୍ଷୀରୋଦ କୁମାର ବେହେରାଙ୍କ ସହ ବଡବିଲ ଏସ.ଡି.ପି.ଓ. ସତ୍ୟବିକାଶ ଭୂୟାଁ, ଯୋଡା ଥାନା ଭାରପ୍ରାପ୍ତ ଅଧିକାରୀ ରାଇସେନ ମୁର୍ମୁ ପ୍ରମୁଖ ସଦଳବଳେ ଧାରଣାସ୍ଥଳକୁ ଆସି ବରିଷ୍ଠ ନାଗରିକମାନଙ୍କୁ ସେମାନଙ୍କ ନ୍ୟାର୍ଯ୍ୟ ଦାବି ଗୁଡିକ ତୁରନ୍ତ ପୁରଣ କରିବା ପାଇଁ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ୧୫ ଦିନ ମଧ୍ୟରେ ପୁରଣ କରିବାର ପ୍ରତିଶ୍ରୁତି ଦେଇଥିଲେ । ବରିଷ୍ଠ ନାଗରିକଙ୍କ ପକ୍ଷରୁ ଦି ଇଣ୍ଡଷ୍ଟ୍ରି ଏଣ୍ଡ ମାଇନ୍ସ ଅବଜରଭରର ସମ୍ପାଦକ ଶିରିଶ ଚନ୍ଦ୍ର ମହାନ୍ତି, ପୂର୍ବତନ ନଗରପାଳ ରବିନ୍ଦ୍ର କୁମାର ଦାସ, ଅବସରପ୍ରାପ୍ତ ଟାଟା କମ୍ପାନୀ କର୍ମଚାରୀ ସଞ୍ଜୟ କୁମାର ଦାସ ପ୍ରମୁଖ ସଂପୃକ୍ତ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ତେବେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ସମୟରେ କଥା କଟାକଟିପରେ ବରିଷ୍ଠ ନାଗରିକଙ୍କ ପକ୍ଷରୁ ଏହି ଧାରଣାକୁ ୧୫ ଦିନ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତି ନିଆଯାଇଥିଲା । ତେବେ ଧାରଣା ସ୍ଥଳର ମଂଚଟିକୁ ଭଙ୍ଗା ନ ଯାଇ ସେହିପରି ରଖାଯିବା ସହିତ ୧୫ ଦିନ ମଧ୍ୟରେ କୌଣସି ସୁଫଳ ନ ମିଳିଲେ ୧୬ ତାରିଖ ଠାରୁ ଏହି ଆନ୍ଦୋଳନକୁ ପୁନଃ ଆରମ୍ଭ କରାଯିବ ବୋଲି ବରିଷ୍ଠ ନାଗରିକ ମାନଙ୍କ ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇ ଧାରଣାକୁ ସ୍ଥଗିତ ରଖାଯାଇଥିଲା ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO