● ବାଲେଶ୍ଵରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ହେଲେ ସାମିଲ୍
ବାଲେଶ୍ଵର, କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ- ଓଡ଼ିଶା ମଧ୍ୟରେ ଯାଇଥିବା ଜାତୀୟ ରାଜପଥ ଦେଇ ଅନ୍ୟ ରାଜ୍ୟମାନଙ୍କୁ ଯାଉଥିବା ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା କମିବାର ନାଁ ଧରୁନଥିବା ବେଳେ ସେମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଵତନ୍ତ୍ର ନିର୍ଦ୍ଦେଶ ରହିଛି। ସେହି କ୍ରମରେ ‘ଓଡ଼ିଶା : ମୋ ପରିବାର’ ପକ୍ଷରୁ ବିଭିନ୍ନ ଜିଲ୍ଲାର ରାଜପଥ ଉପରେ ‘ପ୍ରବାସୀ ପଥଚାରୀ ଶ୍ରମିକ ସହାୟତା କେନ୍ଦ୍ର’ ମାନ ଖୋଲାଯାଇ ନିରନ୍ତର ସାହାଯ୍ୟ ଓ ସହଯୋଗ ଯୋଗାଇ ଦିଆଯାଉଥିବା ଦେଖିବାକୁ ମିଳିଛି।
ବାଲେଶ୍ଵର ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ଇଂ. ରବୀନ୍ଦ୍ର କୁମାର ଜେନାଙ୍କ ସହଯୋଗ କ୍ରମେ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ରାଜଘାଟ ସ୍ଥିତ ପୁରୁଣା ଟୋଲ ଗେଟ ନିକଟରେ ‘ପ୍ରବାସୀ ପଥଚାରୀ ଶ୍ରମିକ ସହାୟତା କେନ୍ଦ୍ର’ ଖୋଲାଯାଇଛି। ଗତ ଦୁଇଦିନ ଧରି ବିଜେଡିର ଯୁବ ସ୍ବେଚ୍ଛାସେବୀମାନେ ସେଠାରେ ଉପସ୍ଥିତ ରହି ପଥଚାରୀ ପ୍ରବାସୀ ଶ୍ରମିକମାନଙ୍କୁ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ବଣ୍ଟନ କରୁଛନ୍ତି।
ଆଜି ଅପରାହ୍ନରେ ଏହି କାର୍ଯ୍ୟକ୍ରମରେ ଶ୍ରୀଜେନା ଯୋଗଦେଇ ସ୍ଵେଚ୍ଛାସେବୀଙ୍କୁ ଉତ୍ସାହିତ କରିବା ନିଜେ ଏଥିରେ ସାମିଲ ହୋଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ‘ଓଡ଼ିଶା : ମୋ ପରିବାର’ର ଆବାହକ ଅରୂପ କୁମାର ପଟ୍ଟନାୟକ, ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର, ମୋରଡା ବିଧାୟକ ରାଜକିଶୋର ଦାସଙ୍କ ସମେତ ବହୁ ସ୍ଥାନୀୟ ଏବଂ ଜିଲ୍ଲା ସ୍ତରୀୟ ନେତୃବୃନ୍ଦ ଯୋଗ ଦେଇଥିଲେ।