-
୩ଜଣ ସ୍ୱାସ୍ଥ୍ୟକର୍ମୀଙ୍କ ଦେହରେ କରୋନା ପଜେଟିଭ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ବ୍ରହ୍ମପୁର ବଡ଼ ଡାକ୍ତରଖାନା ପରେ ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସିଟି ହସ୍ପିଟାଲରେ ହୋଇଥିବା କୋଭିଡ୍-୧୯ ୱାର୍ଡରେ ଅବ୍ୟବସ୍ଥା ରହିଥିବା ଡାକ୍ତର ଓ କର୍ମଚାରୀ ମାନେ ଶନିବାର ଅଭିଯୋଗ ଆଣିଛନ୍ତି । ଗଞ୍ଜାମ ଜିଲା ମୁଖ୍ୟ ଚିକିତ୍ସାଳୟ ତଥା ବ୍ରହ୍ମପୁର ସିଟି ହସପିଟାଲର କରୋନା ପରାମର୍ଶ କକ୍ଷରେ କାର୍ଯରତ ଜଣେ ଡାକ୍ତର ଓ ନର୍ସଙ୍କୁ ମିଶାଇ ମୋଟ ୩ ଜଣ କର୍ମଚାରୀଙ୍କ ଠାରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଯାହାକୁ ନେଇ ପରାମର୍ଶ କେନ୍ଦ୍ରରେ କାର୍ଯ୍ୟରତ ଅନ୍ୟ କର୍ମଚାରୀମାନେ ଶନିବାର କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ସନ୍ଦିଗ୍ଧ ରୋଗୀଙ୍କୁ ଅନ୍ୟତ୍ର ପଠାଯିବା, ସୁରକ୍ଷା କର୍ମୀ ନିୟୋଜିତ କରିବା ସହ ନିୟମିତ ବ୍ୟବଧାନରେ କର୍ମଚାରୀଙ୍କ ସ୍ୱାବ ନମୁନା ସଂଗ୍ରହ କରି ପରୀକ୍ଷଣ ପାଇଁ ଦାବି କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ଡାକ୍ତର ଉମା ଶଙ୍କର ମିଶ୍ରଙ୍କ ସହ ଡାକ୍ତର ଓ କର୍ମଚାରୀମାନେ ଆଲୋଚନା କରି ବିଫଳ ହୋଇଛନ୍ତି । ସ୍ଥିତିରେ ସୁଧାର ନ ହେଲେ ସୋମବାର ଠାରୁ କାର୍ଯ୍ୟବନ୍ଦ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ସୂଚନାଥାଉକି, କୋଭିଡ୍ ୱାର୍ଡରେ କାମ କରୁଥିବା ଡାକ୍ତରଙ୍କୁ ୧୪ ଦିନିଆ କାର୍ଯ୍ୟ ଦିଆଯାଉଥିବା ବେଳେ ୧୪ ଦିନ କ୍ୱାରେଣ୍ଟାଇନ୍ରେ ରଖିବା ବ୍ୟବସ୍ଥା ହୋଇଛି । କିନ୍ତୁ ସିଟି ହସ୍ପିଟାଲରେ ଅଢେଇ ମାସ ହେଲା କାମ କରୁଥିବା ଡାକ୍ତରଙ୍କୁ କ୍ୱାରେଣ୍ଟାଇନ୍ ପଠାଯାଇନାହିଁ । ଅନ୍ୟପକ୍ଷରେ ସିଟି ହସ୍ପିଟାଲ୍କୁ ଆସୁଥିବା ସନ୍ଦିଗ୍ଧଙ୍କ ଚିକିତ୍ସା କରିବାକୁ ଆଇସୋଲେସନ୍ ବ୍ୟବସ୍ଥା କରାଯାଇନାହିଁ । ଗୋଟିଏ କୋଠରୀ ଭିତରେ ୧୦ଟି ଶଯ୍ୟାରେ ସମସ୍ତଙ୍କୁ ଚିକିତ୍ସା କରାଯାଉଛି । ସେଠାରେ ସୁରକ୍ଷା କର୍ମୀ ଜଗୁନାହନ୍ତି । ଫଳରେ ରୋଗୀ ବାହାରକୁ ପଳାଉଛନ୍ତି ଏବଂ ବୁଲା ବୁଲି କରି ପୁଣି ଫେରି ଆସୁଛନ୍ତି । ଏପରିକି ସେମାନେ ଡାକ୍ତର ଓ କର୍ମଚାରୀଙ୍କ ପାଖକୁ ମଧ୍ୟ ଚାଲି ଆସୁଛନ୍ତି ବୋଲି ଡାକ୍ତର ମାନେ ଅଭିଯୋଗ କରିଛନ୍ତି । ଆଟେଣ୍ଡାଣ୍ଟ କିମ୍ବା ଅନ୍ୟ କର୍ମଚାରୀ ନିୟୋଜିତ କରାଯାଇନଥିବାରୁ ଡାକ୍ତର ଓ ନର୍ସ ମାନେ ହିଁ ରୋଗୀଙ୍କୁ ଖାଦ୍ୟ ଦେବାକୁ ପଡୁଛି ବୋଲି କହିଛନ୍ତି । ଦିଆଯାଇଥିବା ପିପିଇ ଓ ମାସ୍କ ମଧ୍ୟ ଉନ୍ନତ ଧରଣର ହୋଇନଥିବାରୁ ପଜିଟିଭ୍ଙ୍କ ସଂସ୍ପର୍ଶରେ ଆସିଲେ ଡାକ୍ତର ଓ ନର୍ସ ପଜିଟିଭ୍ ହେବାର ସମ୍ଭାବନା ରହିଛି । ସିଟି ହସ୍ପିଟାଲ୍ ଭିତରେ କୋଭିଡ୍ ୱାର୍ଡ କରିବାକୁ ୫୦ଶଯ୍ୟାର ବିଶିଷ୍ଟ କୋଠା ରହିଛି । କିନ୍ତୁ ଏହାର ନିର୍ମାଣ କାର୍ଯ୍ୟ ଆହୁରି ସରିନାହିଁ । ସିଟି ହସ୍ପିଟାଲ୍ରେ ହୋଇଥିବା କୋଭିଡ୍ ୱାର୍ଡରେ ୭ଜଣ ପଜିଟିଭ୍ ଚିହ୍ନଟ ହୋଇସାରିଲେଣି । ସେମାନଙ୍କୁ ଚିକିତ୍ସା କରୁଥିବା ଜଣେ ଡାକ୍ତର, ଜଣେ ନର୍ସ ଓ ଅନ୍ୟ ୨ଜଣ କର୍ମଚାରୀ ପଜିଟିଭ୍ ବାହାରିଛନ୍ତି । ତେବେ ଏହି ଡାକ୍ତର ଓ କର୍ମଚାରୀ ମାନେ ରୋଗୀଙ୍କୁ ଚିକିତ୍ସା କରିବା ପରେ କ୍ୱାରେଣ୍ଟାଇନ୍ କିମ୍ବା ହସ୍ପିଟାଲ୍ରେ ରହୁନଥିଲେ । ସେମାନେ ଘରକୁ ଯାଇ ପୁଣି ହସ୍ପିଟାଲ୍କୁ ଆସି ଚିକିତ୍ସା କରୁଥିଲେ । କୋଭିଡ୍ ୱାର୍ଡରେ ଡ୍ୟୁଟି କରୁଥିବା ଡାକ୍ତର ମାନଙ୍କ ରହିବା ପାଇଁ କୌଣସି ପ୍ରକାର ସ୍ୱତନ୍ତ୍ର ବ୍ୟବସ୍ଥା ହୋଇନଥିବାରୁ ଏବଂ ଚିକିତ୍ସା କରିବା ସମୟରେ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଯଦି ଡାକ୍ତର, କର୍ମଚାରୀ ମାନେ ପଜିଟିଭ୍ ହେବେ ଏବଂ ସେମାନଙ୍କ ପାଇଁ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା ନହେବ, ତାହେଲେ ବହୁ ଲୋକଙ୍କ ସଂସ୍ପର୍ଶରେ ସେମାନେ ଆସିବେ, ଫଳରେ ଗୋଷ୍ଠୀ ସଂକ୍ରମଣ ବଢିବା ସମ୍ଭାବନା ରହିଛି ବୋଲି ଡାକ୍ତର ମାନେ ଅଭିଯୋଗ କରିଛନ୍ତି । ଶନିବାର ଡାକ୍ତର ଓ କର୍ମଚାରୀ ମାନେ ଏକତ୍ରିତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ଡା.ଉମାଶଙ୍କର ମିଶ୍ରଙ୍କୁ ଦେଖା କରିଥିଲେ । ଅବ୍ୟବସ୍ଥା ନ ସୁଧୁରିଲେ ସେମାନେ କାମ ବନ୍ଦ କରିବେ ବୋଲି ଚେତାବନୀ ଦେଇଥିଲେ । ଡା. ମିଶ୍ର ସମସ୍ତ କର୍ମଚାରୀଙ୍କୁ ବୁଝାସୁଝା କରିଛନ୍ତି । ସିଡିଏମ୍ଓ ଡା.ମିଶ୍ର କ୍ୱାରେଣ୍ଟାଇନ୍ ବ୍ୟବସ୍ଥା ହୋଇଥିବା କହୁଥିବା ବେଳେ ଡାକ୍ତର ମାନେ ଏହା ଡାହା ମିଛ ଓ ଡାକ୍ତରଙ୍କ ପାଇଁ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା ହୋଇନାହିଁ ବୋଲି ଅଭିଯୋଗ କରିଛନ୍ତି । ଶନିବାର ସିଟି ହସ୍ପିଟାଲ୍ରେ ଏହି ବିବାଦ କାରଣରୁ କିଛି ସମୟ ସ୍ୱାସ୍ଥ୍ୟ ସେବାରେ ବାଧା ଉପୁଜିଥିଲା । ପରେ ଡାକ୍ତର ମାନେ କାର୍ଯ୍ୟରେ ଯୋଗ ଦେଇଥିଲେ । ସେହିପରି ଆୟୁଷ ଡାକ୍ତରମାନେ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି । କୋଭିଡ୍ ହସ୍ପିଟାଲ୍ରେ ୧୪ ଦିନିଆ ଡ୍ୟୁଟି କରି ଆସି ୧୪ ଦିନ କ୍ୱାରେନ୍ଟାଇନ୍ରେ ରହିବାକୁ ପୂର୍ବରୁ ନିର୍ଦ୍ଦେଶ ରହିଥିବା ବେଳେ ବର୍ତମାନ ମାତ୍ର ୧୦ ଦିନ ମଧ୍ୟରେ ପୁଣି ସେମାନଙ୍କୁ ଡ୍ୟୁଟି କରିବା ପାଇଁ କୁହାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି । ଏ ନେଇ ସେମାନେ ଶନ଼ିବାର ସିଡିଏମଓଙ୍କୁ ଦେଖା କରିଛନ୍ତି ।