ନୂଆଦିଲ୍ଲୀ– ଆମେରିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ ନିଜର ସବୁ ସଂପର୍କ ଶେଷ କରି ଦେଇଛି । ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଘୋଷଣା କରିଛନ୍ତି । ଟ୍ରମ୍ପ କହିଛନ୍ତି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସଂପୂର୍ଣ୍ଣ ଭାବେ ଚୀନ ନିୟନ୍ତ୍ରଣ କରୁଛି । ଏଥି ପାଇଁ ଆମେରିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ ସଂପର୍କ ଶେଷ କରୁଛି । ଟ୍ରମ୍ପ ଅଭିଯୋଗ ଆଣିଛନ୍ତି ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ଭାଇରସର ପ୍ରାଥମିକ ପର୍ଯ୍ୟାୟକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲା । କରୋନା ଭାଇରସ ମହାମାରୀକୁ ନେଇ ଟ୍ରମ୍ପ ପୂର୍ବରୁ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଅନେକ ଥର ଟାର୍ଗେଟ କରିଛନ୍ତି ।
ଟ୍ରମ୍ପ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଚୀନକୁ ବିଶ୍ୱରେ କରୋନାଜନିତ ମୃତ୍ୟୁ ପାଇଁ ଦାୟୀ କରିଛନ୍ତି । ସେ କହିଛନ୍ତି, ବାର୍ଷିକ ମାତ୍ର ୪ କୋଟି ଡଲାର ସହଯୋଗ କରୁଥିବା ଚୀନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ନିଜର ନିୟନ୍ତ୍ରଣରେ ରଖିଛି । ଅନ୍ୟପକ୍ଷରେ ଆମେରିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ବାର୍ଷିକ ୪୫ କୋଟି ଡଲାର ଦେଉଥିଲା ।