-
ସଟ୍ ସର୍କିଟ ଯୋଗୁ ଶ୍ୱାଶରୁଦ୍ଧ ହୋଇ ବିଜେଡି ନେତାଙ୍କ ସହ ୩ଜଣ ମୃତ
-
ଖବରପାଇ ବିଜେଡି ଦଳର ନେତା ଓ କର୍ମୀଙ୍କ ଭିଡ
-
କର୍ମବୀର, ଦକ୍ଷ ସଙ୍ଗଠକକୁ ବିଜେଡି ହରାଇଲା
ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶା ତଥା ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରେ ଗୁରୁବାର ରାତି ନପାହୁଣୁ ଘଟିଯାଇଛି ଏକ ଦୁଃଖଦ ଘଟଣା । ବିଦ୍ୟୁତ୍ ସଟ୍ସର୍କିଟରୁ ଅଗ୍ନିକାଣ୍ଡ ଘଟି ଶ୍ୱାସରୁଦ୍ଧ ହୋଇ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିସିସି ବ୍ୟାଙ୍କ ସଭାପତି ଅଲେଖ ଚୌଧୁରୀ(୬୯)ଙ୍କ ସମେତ ୩ଜଣଙ୍କ ଅକାଳ ମୃତ୍ୟୁ ହୋଇଛି । ମୃତକ ଅନ୍ୟ ୨ଜଣ ହେଲେ ସ୍ୱର୍ଗତ ଚୌଧୁରୀଙ୍କ ଶାଳକ ଭଗବାନ ପାତ୍ର(୮୪) ଓ ତାଙ୍କର କେୟାର ଟେକର ସୁନୀଲ ସାହୁ(୧୯) । ଏହି ଘଟଣା ପ୍ରଚାରିତ ହେବାପରେ ଶୁକ୍ରବାର ବଡି ଭୋରରୁ ସହର ସାରା ବିଜୁଳି ବେଗରେ ଖବରପାଇ ଦଳମତ ନିର୍ବିଶେଷରେ ବହୁ ଅଲେଖଙ୍କ ସୁଭକାକ୍ଷୀଂମାନେ ତାଙ୍କ ବାସଭବନ ପରେ ବ୍ରହ୍ମପୁର ବଡ ମେଡିକାଲ୍ରେ ଭିଡ ଜମାଇଥିଲେ । ଏହାପରେ ରାଜ୍ୟ ତଥା ଦକ୍ଷିଣାଞ୍ଚଳର ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । ଶବ ବ୍ୟବଚ୍ଛେଦପରେ ଗୋସାଇଁ ନୂଆଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି । ସୂଚନାଥାଉକି, ଏହି ହୃଦୟବିଦାରକ ଘଟଣା କାହାରିକୁ କେବେ ନଆସୁ । ଗୋସାଇଁ ନୂଆଗାଁ ଥାନା ଅନ୍ତର୍ଗତ ପାଣିଗ୍ରାହୀ ସାହି ନିବାସୀ ଶ୍ରୀ ଚୌଧୁରୀ, ପତ୍ନୀ ସୁଷମା ଚୌଧୁରୀ ଗତରାତି ଗୋଟିଏ କୋଠରୀରେ ଶୋଇଥିଲେ । ଦାଣ୍ଡଘରେ ଶାଳକ ଭଗବାନ ଓ ସୁନୀଲ ଶୋଇଥିଲେ । ବିଳମ୍ବିତ ରାତ୍ରି ପ୍ରାୟ ୨ଟା ବେଳେ ହଠାତ୍ ଘରେ ଧୂଆଁ ଭର୍ତ୍ତି ହୋଇଯାଇଥିଲା । ନିଶ୍ୱାସ ନେବାରେ ଅସୁବିଧା ସହିତ ନିଆଁର ଝାସ ଯୋଗୁ ଗରମ ଅନୁଭବ କରି ଶ୍ରୀ ଚୌଧୁରୀ ନିଦରୁ ଉଠି ପଡିଥିଲେ ।
ଘର ଭିତରେ ଧୂଆଁ ଭର୍ତ୍ତି ହୋଇଯାଇଥିବା ବେଳେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ । ସେ ତୁରନ୍ତ ପତ୍ନୀ ସୁଷମାଙ୍କୁ ଉଠାଇ ନିଆଁ ଲାଗିଥିବା ରାସ୍ତା ଦେଇ ବାହାରକୁ ଆଣିଥିଲେ । ପଡୋଶୀଙ୍କ ବାରଣ୍ଡାରେ ବସାଇଥିଲେ । ଘରେ ନିଆଁ ଲାଗିଥିବା ଦେଖି ପଡୋଶୀ ଲୋକେ ମଧ୍ୟ ବାହାରକୁ ଆସିଥିଲେ । ଘରେ ନିଆଁ ବ୍ୟାପିଯିବା ଦେଖି ଶ୍ରୀ ଚୌଧୁରୀ ବଡପୁଅ ଧୀରଜଙ୍କୁ ଫୋନ୍କରି ଦମକଳ ବାହିନୀକୁ ଖବର ଦେବାକୁ କହିଥିଲେ । ଘର ଭିତରେ ଶାଳକ ଓ ସୁନୀଲ ରହିଯାଇଥିବାରୁ ଉଭୟଙ୍କୁ ଉଦ୍ଧାର କରିବା ପାଇଁ ଶ୍ରୀ ଚୌଧୁରୀ ଘର ଭିତରକୁ ଯିବା ପାଇଁ ଉଦ୍ୟମ କରିଥିଲେ । ଏଥିରେ ପଡୋଶୀ ଲୋକ ତାଙ୍କୁ ମନା କରିଥିଲେ । ଏହା ସତ୍ତ୍ୱେ ମଧ୍ୟ ଶ୍ରୀ ଚୌଧୁରୀ ନିଆଁ ଜଳୁଥିବା ଘରକୁ ପଶିଥିଲେ । ଉଭୟଙ୍କୁ ଉଦ୍ଧାର କରି ବାହାରକୁ ଆଣିବା ବେଳେ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା । ଫଳରେ ସେ ବାହାରକୁ ବାହାରି ପାରିନଥିଲେ । ବାରିପଟ କବାଟ ଦେଇ ବାହାରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ବାରିପଟ ଗେଟ୍ ଚାବି ମିଳିନଥିଲା । ବିଦ୍ୟୁତ୍ ଚାଲିଯିବାରୁ ଘର ପୁରା ଅନ୍ଧାର ହୋଇଯାଇଥିବା ବେଳେ ଧୂଆଁ ଭର୍ତ୍ତି ଯୋଗୁ ସମସ୍ତେ ଅଣନିଶ୍ୱାସୀ ହୋଇପଡିଥିଲେ । ଦମକଳବାହିନୀ ପ୍ରାୟ ସାଢ଼େ ୨ଟା ବେଳେ ଘଟଣାସ୍ଥଳରେ ପହଞ୍ôଚଥିଲା । ୨ଟି ଗାଡି ସହାୟତାରେ ନିଆଁ ଲିଭାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ନିଆଁ ଘରର ଚାରିଆଡେ ବ୍ୟାପି ଯାଇଥିବା ବେଳେ କାଠ ସାମଗ୍ରୀ ହୁତ ହୁତ ହୋଇ ଜଳି ଉଠୁଥିଲା । ଫଳରେ ଦମକଳ ବାହିନୀକୁ ମଧ୍ୟ ଘର ଭିତରକୁ ଯିବା ପାଇଁ ବହୁ ଅସୁବିଧା ହୋଇଥିଲା । ପରେ ଆଉ ଗୋଟିଏ ଗାଡି ଆସି ନିଆଁ ଲିଭାଇଥିଲା । ପ୍ରାୟ ୧ଘଣ୍ଟା ପରେ ନିଆଁକୁ ଆୟତ୍ତ କରି ଦମକଳ ବାହିନୀ କର୍ମଚାରୀ ଘର ଭିତରକୁ ପଶିଥିଲେ । ଘରର ରୋଷେଇଶାଳ ନିକଟରେ ୩ଜଣ ଅଚେତ ଅବସ୍ଥାରେ ପଡି ରହିଥିଲେ । ଦମକଳବାହିନୀ ୩ଜଣଙ୍କୁ ଉଦ୍ଧାର କରି ତୁରନ୍ତ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲା । ଏହି ସମୟରେ ଶ୍ରୀ ଚୌଧୁରୀଙ୍କ ଚେତା ଥିଲା । କିନ୍ତୁ ଡାକ୍ତରଖାନାରେ ପହଞ୍ôଚବା ବେଳେକୁ ତାଙ୍କ ମୃତ୍ୟୁ ହୋଇସାରିଥିଲା । ଡାକ୍ତର ୩ଜଣଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରଚାରିତ ହେବାପରେ ବଡ ଡାକ୍ତରଖାନାରେ ଶହ ଶହ ଲୋକଙ୍କ ଭିଡ ଜମି ଉଠିଥିଲା । ଖବରପାଇ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ବିଧାୟକ ଡା. ରାମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ପ୍ରମୁଖ ଡାକ୍ତରଖାନାରେ ପହଞ୍ôଚଥିଲେ । ସେପଟେ ଗୋପାଳପୁର ବିଧାୟକ ଡା. ପ୍ରଦୀପ ପାଣିଗ୍ରାହୀ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଛତ୍ରପୁର ବିଧାୟକ ସୁବାଶ ବେହେରା, ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ ପ୍ରମୁଖ ଶ୍ରୀ ଚୌଧୁରୀଙ୍କ ଘରେ ପହଞ୍ôଚଥିଲେ । ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ମଧ୍ୟ ଘଟଣାସ୍ଥଳକୁ ଯାଇ ଅଗ୍ନିକାଣ୍ଡ କିପରି ଘଟିଲା ତାହାର ସାଇଣ୍ଟଫିକ୍ ଟିମ୍ ସହ ତଦନ୍ତ କରି ଫେରିଛନ୍ତି । ଶବ ବ୍ୟବଚ୍ଛେଦ ପରେ ଶୋକାକୁଳ ପରିବେଶରେ ସ୍ୱର୍ଗତ ଚୌଧୁରୀଙ୍କ ମର ଶରୀର ଗାଁରେ ପରିକ୍ରାମ କରାଇ ଅନ୍ତିମ ସଂସ୍କାର କରାଯାଇଥିଲା । ତାଙ୍କର ଶେଷ ଦର୍ଶନ କରିବା ପାଇଁ ଦଳ ମତ ନିର୍ବିଶେଷରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ସେହିପରି ବିଭିନ୍ନ ରାଜନୈତିକ ଦଳର ନେତା, କର୍ମୀଙ୍କ ମଧ୍ୟ ଭିଡ ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ପୋଲିସ, ସାଇଣ୍ଟଫିକ୍ ଟିମ୍, ଦମକଳ ବାହିନୀ ଓ ସାଉଥ୍କୋ ଅଧିକାରୀଙ୍କ ମିଳିତ ତଦନ୍ତ ଜାରି ରହିଛି । ସଟ୍ ସର୍କିଟରୁ ଅଗ୍ନିକାଣ୍ଡ ଘଟି ଏଭଳି ଘଟଣା ଘଟିଥିବା ନେଇ ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି ।