
ଭୁବନେଶ୍ୱର – ସାପ କାମୁଡ଼ାରେ ରାଜ୍ୟର ଦୁଇଟି ପୃଥକ୍ ପୃଥକ୍ ସ୍ଥାନରେ ତିନି ଜଣଙ୍କର ମୃତ୍ୟୁ ଘଟିଛି । କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକ ଅନ୍ତର୍ଗତ ଟେପାର ଗ୍ରାମରେ ମାଆ ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅନ୍ତର୍ଗତ ଗଜାମ୍ବ ଗ୍ରାମରେ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଗତ ରାତିରେ ଘଟିଯାଇଛି ଏଭଳି ଅଘଟଣ ।
କନ୍ଧମାଳ କ. ନୂଆଗାଁ ବ୍ଲକ ଟେପାର ଗ୍ରାମରେ ସାପ କାମୁଡ଼ାରେ ମାଆ ପୁଅଙ୍କ ମୃତ୍ୟୁ ଘଟିଛି । ସେମାନେ ହେଲେ ରାଜଲକ୍ଷ୍ମୀ ମଲ୍ଲିକ (୩୫) ଓ ତାଙ୍କର ୮ ବର୍ଷିୟ ପୁଅ ଆଦିତ୍ୟ ପ୍ରଧାନ । ରାଜଲକ୍ଷ୍ମୀ ଜଣେ ଅଙ୍ଗନବାଡ଼ି କର୍ମୀ ଥିଲେ । ଗତକାଲି ରାତିରେ ମାଆ ପୁଅ ଘରେ ଶୋଇଥିବା ବେଳେ କୌଣସି ବିଷଧର ସାପ ସେମାନଙ୍କୁ କାମୁଡ଼ି ଦେଇଥିଲା । ହେଲେ ସେମାନେ ପ୍ରଥମେ ଏ ସମ୍ପର୍କରେ କିଛି ଜାଣି ପାରିନଥିଲେ । ଆଜି ସକାଳେ ଉଭୟେ ଅସୁସ୍ଥତା ଅନୁଭବ କରିବା ପରେ ପରିବାର ଲୋକେ ସେମାନଙ୍କୁ କ.ନୂଆଗାଁ ହସ୍ପିଟାଲରେ ଭର୍ତି କରିଥିଲେ । ତେବେ ସେଠାରେ ଡାକ୍ତର ଆଦିତ୍ୟଙ୍କୁ ମୃତ ଘୋଷଣା କରିଥିଲେ । ରାଜଲକ୍ଷ୍ମୀଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।
ସେହିପରି ଅନ୍ୟ ଏକ ଘଟଣା କ୍ରମେ ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅନ୍ତର୍ଗତ ଗଜାମ୍ବ ଗ୍ରାମରେ ସାପ କାମୁଡ଼ାରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି । ତାଙ୍କ ନାଁ ମାଧବାନନ୍ଦ ମାରଣ୍ଡି । ସେ ଔପଦା କଲେଜରେ ଯୁକ୍ତ ଦୁଇର ଛାତ୍ର ଥିଲେ । ଗତକାଲି ରାତ୍ରି ଭୋଜନ ପରେ ସେ ଘରେ ଶୋଇଥିବା ବେଳେ କୌଣସି ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ି ଦେଇଥିଲା । ଚିକିତ୍ସା ନିମନ୍ତେ ତାଙ୍କୁ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ପ୍ରକାଶ ଥାଉ କି, ଗତ ରବିବାର ରାତିରେ ସାପ କାମୁଡ଼ାରେ ରାଜ୍ୟର ବିଭିନ୍ନ ସ୍ଥାନରେ ୬ ଜଣଙ୍କ ମୃତ୍ୟୁ ଘଟିଛି । ଗଞ୍ଜାମ ଜିଲ୍ଲା କୋଦଳା ନିକଟସ୍ଥ ବି. ନୂଆପଲ୍ଲୀ ଗ୍ରାମରେ ସାପ କାମୁଡ଼ାରେ ୪ ବର୍ଷିୟ ପୁଅ ଓ ମାଆର ମୃତ୍ୟୁ ଘଟିଥିଲା । ସେହିପରି ଜିଲ୍ଲାର କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଏ ବରିଡ଼ା ଗ୍ରାମରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା । ଏହା ବ୍ୟତୀତ ଅନୁଗୋଳ ଜିଲ୍ଲା ବେଂଟପୁର ଗ୍ରାମରେ ସାପ କାମୁଡ଼ାରେ ଦୁଇ ଝିଅଙ୍କ ମୃତ୍ୟୁ ଘଟିଥିବା ବେଳେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଗୁରୁମ ଗ୍ରାମରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା ।
ବିଶେଷ କରି ଗ୍ରାମାଚଂଳ ମାନଙ୍କରେ ରହିଥିବା ଡାକ୍ତରଖାନା ଗୁଡିକରେ ଡାକ୍ତରଙ୍କ ଅନୁପସ୍ଥିତି ଏବଂ ସାପ କାମୁଡ଼ା ଇଞ୍ଜେକସନ୍ ସହଜରେ ଉପଲବ୍ଧ ହେଉନଥିବା କାରଣରୁ ଅକାଳରେ ଅନେକ ଜୀବନ ହାନି ଘଟୁଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ରାମାଚଂଳ ଓ ଅପହଂଚ ଇଲାକାରେ ରହିଥିବା ମେଡିକାଲ ମାନଙ୍କରେ ସାପ କାମୁଡ଼ା ଇଞ୍ଜେକସନ୍ ମହଜୁଦ ରଖିବାକୁ ସାଧାରଣରେ ଦାବି ହେଉଛି ।