-
୨ଟି ସେଣ୍ଟରରେ ପ୍ରଥମ ଦିନରେ ଖାତାଦେଖା ସୁରୁଖୁରୁରେ ସମାପ୍ତ
ବ୍ରହ୍ମପୁର: ମଙ୍ଗଳବାର ଠାରୁ ଗଞ୍ଜାମ ଜିଲ୍ଲାରେ ମାଟ୍ରିକ୍ ଖାତା ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ସ୍ଥାନୀୟ ଗିରିରୋଡସ୍ଥିତ ବାଳିକା ବିଦ୍ୟାଳୟ ଓ ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଛି । ଜିଲ୍ଳାର ୨ଟି ମୂଲ୍ୟାୟନ କେନ୍ଦ୍ରରେ ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟକୁମାର ପ୍ରଧାନଙ୍କ ତତ୍ୱାବଧାନରେ ଆରମ୍ଭ ହୋଇଛି । ଭଞ୍ଜନଗର କେନ୍ଦ୍ରରେ ୧୪୬ଜଣ ଶିକ୍ଷୟିତ୍ରୀଶିକ୍ଷକ ଓ ଭିଭିଗିରି ହାଇସ୍କୁଲରେ ୧୭୦ଜଣ ଶିକ୍ଷୟିତ୍ରୀଶିକ୍ଷକ ମୂଲ୍ୟାୟନରେ ସାମିଲ୍ ହୋଇଥିଲେ । ବ୍ରହ୍ମପୁର ମୂଲ୍ୟାୟନ କେନ୍ଦ୍ରରେ ମୋଟ ୧୬ଟି କୋଠରୀରେ ଗୋଟିଏ କୋଠରୀରେ ୧୦ଜଣ ଲେଖାଏଁ ଶିକ୍ଷକଶିକ୍ଷୟିତ୍ରୀମାନେ ବସି ଖାତା ମୂଲ୍ୟାୟନ କରୁଛନ୍ତି । କରୋନା ଜନିତ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି କେନ୍ଦ୍ରରେ ସମସ୍ତ ବ୍ୟବସ୍ଥା କରାଯାଇଛି । ପ୍ରଥମେ ଥର୍ମାଲ ସ୍କ୍ରିନିଂ ପରେ ସାନିଟାଇଜେସନ ଓ ମାସ୍କ ପରିଧାନକରି ଶିକ୍ଷକମାନେ ନିଜ ନିଜ କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରଥମ ଦିନରେ ଗଣିତ, ଇଂରାଜୀ, ଇତିହାସ, ଭୂଗୋଳ ବିଷୟଗୁଡିକର ଖାତା ମୂଲ୍ୟାୟନ ହୋଇଛି । ଅନୁରୂପ ଭାବରେ ଭଂଜନଗରଠାରେ ଦ୍ୱିତୀୟ କେନ୍ଦ୍ର ମଧ୍ୟ ଆଜିଠାରୁ ଆରମ୍ଭ ହୋଇଛି । ସେଠାରେ ୧୪୬ଜଣ ଶିକ୍ଷୟିତ୍ରୀଶିକ୍ଷକ ଖାତା ଦେଖାରେ ଭାଗ ନେଇଛନ୍ତି । ଡିପିସି ବିନୀତା ସେନାପତିଙ୍କ ତତ୍ୱାବଧାନରେ ସେଠାରେ ଖାତା ମୂଲ୍ୟାୟନ ହେଉଥିବା ପ୍ରକାଶ । ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ବୋର୍ଡର ଉପସଚିବ ସୁବାଷଚନ୍ଦ୍ର ବେହେରା ଗିରିରୋଡ ବାଳିକା ବିଦ୍ୟାଳୟଠାରେ ରହି ସମସ୍ତ କାର୍ଯ୍ୟ ତଦାରଖ କରୁଛନ୍ତି । ପ୍ରତ୍ୟୋକ କୋଠରୀରେ ଜଣେ ଚିଫ ଏକ୍ଜାମିନର, ୩ ଜଣ ଡେପୁଟି ଚିଫ ଏକ୍ଜାମିନର, ଜଣେ ସ୍କୁଟିନାଇଜର ରହିବେ ବୋଲି ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପ୍ରଧାନ କହିଛନ୍ତି । ରାଜ୍ୟ ସରକାରଙ୍କ ସୂଚନା ମୁତାବକ ମୂଲ୍ୟାୟନ କେନ୍ଦ୍ରଠାରୁ ୧୦ କିଲୋମିଟର ବ୍ୟବଧାନରେ ରହୁଥିବା ଶିକ୍ଷକମାନେ ହିଁ ମୂଲ୍ୟାୟନରେ ଭାଗ ନେଉଛନ୍ତି । ୨ଟି କେନ୍ଦ୍ରରେ ୮ଟି ଲେଖାଏଁ ୟୁନିଟ କରାଯାଇ ମୂଲ୍ୟାୟନ କରାଯାଉଥିବା ଜଣାପଡିଛି ।