ଭୁବନେଶ୍ୱର – ଆଜି ଠାରୁ ମାଟ୍ରିକ୍ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହେବ । ତେବେ ଖାତା ଦେଖାନେଇ ପୂର୍ବରୁ ନିଆଯାଇଥିବା ନିଷ୍ପତିରେ ପରିବର୍ତନ କରାଯାଇଛି । ଆସନ୍ତାକାଲିଠାରୁ ସକାଳ ୧୦ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଖାତା ଦେଖା ହେବ । କରୋନା ସଂକ୍ରମଣ ଆଶଙ୍କାକୁ ଦୂର କରିବାପାଇଁ ୩ ଟି ପର୍ଯ୍ୟାୟରେ ଖାତା ଦେଖାଯିବାକୁ ନିଷ୍ପତି ହୋଇଥିଲା । ସେହିପରି ସାମାଜିକ ଦୂରତ୍ୱ ବଜାୟ ରଖିବାପାଇଁ କମ୍ ସଂଖ୍ୟକ ପରୀକ୍ଷକ ଖାତା ଦେଖିବେ । ମାଧ୍ୟମିକ ଶିକ୍ଷା ବୋର୍ଡର ଅଧ୍ୟକ୍ଷ ରାମାଶିଷ ହାଜରା ଏହି ସୂଚନା ଦେଇଛନ୍ତି ।
ଉଲ୍ଲେଖ୍ୟଯୋଗ୍ୟ ଯେ ମାର୍ଚ୍ଚ ୧୯ ତାରିଖରେ ମାଟ୍ରିକ ପରୀକ୍ଷା ଖାତା ଦେଖା ଆରମ୍ଭ ହୋଇଥିଲା । ତେବେ କରୋନା ଲାଗି ଲକ୍ ଡାଉନ୍ ଯୋଗୁଁ ଖାତା ଦେଖା ବନ୍ଦ ରହିଥିଲା । ଏହା ପରେ ମଇ ୨୦ ତାରିଖରୁ ପୁଣି ଖାତା ଦେଖା ଆରମ୍ଭ ହେବାକୁ ନିଷ୍ପତି ହୋଇଥିଲା । ତେବେ ବାତ୍ୟା ଅମ୍ଫାନ୍ ଯୋଗୁଁ ୨୦ ବଦଳରେ ୨୧ ତାରିଖରୁ ଖାତା ଦେଖା ଆରମ୍ଭ କରିବାକୁ ଧାର୍ଯ୍ୟ ହୋଇଥିଲା । ଅମ୍ଫାନ୍ ଦ୍ୱାରା ପ୍ରଭାବିତ ହୋଇଥିବା ଅଂଚଳରେ ଖାତା ଦେଖା ସମ୍ଭବ ନଥିବାରୁ ପୁଣି ଅନିର୍ଦ୍ଦିଷ୍ଟ କାଳ ପାଇଁ ଖାତା ଦେଖା ବନ୍ଦ ରହିଥିଲା ।