୨୦୨୪ ସୁଦ୍ଧା ପ୍ରଶିକ୍ଷଣ ନେବେ ୫୦,୦୦୦ରୁ ଅଧିକ ସ୍ୱେଚ୍ଛାସେବୀ
ନୂଆଦିଲ୍ଲୀ/ଭୁବନେଶ୍ୱର – ବିପର୍ଯ୍ୟୟ ଜନିତ ବିପଦ ଲାଘବ କରିବା ପାଇଁ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନରେ ଥିବା ନେହରୁ ଯୁବ କେନ୍ଦ୍ର ସଙ୍ଗଠନ (ଏନୱାଇକେଏସ)ର ସ୍ୱେଚ୍ଛାସେବୀମାନେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ) ସହ ମିଶି ଏକ ବିପର୍ଯ୍ୟୟ ମୁକାବିଲା ଦଳ ଗଠନ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ପଦକ୍ଷେପ ଅନ୍ତର୍ଗତ ବ୍ଲକସ୍ତରୀୟ ବିପର୍ଯ୍ୟୟ ମୁକାବିଲା ଦଳ ଗଠନ କରିବା ପାଇଁ ଏନୱାଇକେଏସ ପ୍ରସ୍ତାବ ଦେଇଛି । ସ୍ୱେଚ୍ଛାସେବୀଙ୍କର ଏହି ଦଳ ଏନଡିଆରଏଫ, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଅଧିକାରୀ (ଏସଡିଏମଏ) ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ (ଡିଡିଏମଏ) ସହ ମିଶି ଏନଡିଆରଏଫ ଦ୍ୱାରା ଚୟନ କରାଯାଇଥିବା ବିପର୍ଯ୍ୟୟ ବିପଦ ଥିବା ଜିଲ୍ଲାମାନଙ୍କରେ ବିଭିନ୍ନ ଦଫାରେ କାର୍ଯ୍ୟ କରିବେ ।
ଯେକୌଣସି ବିପର୍ଯ୍ୟୟ ଦ୍ୱାରା ଜୀବନ ହାନିକୁ ରୋକିବା ଏବଂ କ୍ଷୟକ୍ଷତିକୁ ନିୟନ୍ତ୍ରଣ କରିବା ପାଇଁ ତୁରନ୍ତ କାର୍ଯ୍ୟକ୍ରମ ଆବଶ୍ୟକ । ଏଥିପାଇଁ ପ୍ରଭାବିତ ସମ୍ପ୍ରଦାୟ ପ୍ରଥମେ ଏହାର ମୁକାବିଲା କରିବା ଆବଶ୍ୟକ ଏବଂ ଏହା ସ୍ୱତଃପ୍ରବୃତ ଭାବେ ହୋଇଥାଏ । ଏହି ସମ୍ପ୍ରଦାୟର ସ୍ୱେଚ୍ଛାସେବୀମାନେ ତୁରନ୍ତ ମୁକାବିଲା କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥା’ନ୍ତି । ପୋଲିସ ସମେତ ଏନଡିଆରଏଫ, ଏସଡିଏମଏ ତଥା ଅନ୍ୟାନ୍ୟ ସେବା ଦଳ ବିପଦ ସ୍ଥଳରେ ପହଁଚିବା ପାଇଁ କିଛି ସମୟ ନେଇଥା’ନ୍ତି । ଏପରି ସ୍ଥଳେ ସ୍ୱେଚ୍ଛାସେବୀ ଦଳ କେବଳ ପ୍ରାରମ୍ଭିକ ଉଦ୍ଧାର ଓ ସହାୟତା କାର୍ଯ୍ୟ କରିନଥା’ନ୍ତି ବରଂ ପ୍ରଭାବିତ ସମ୍ପ୍ରଦାୟ ଏବଂ ସେଠାରେ ପହଁଚିଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ମଧ୍ୟରେ ଏକ ସମ୍ପର୍କର ସେତୁ ଭାବେ କାର୍ଯ୍ୟ କରିଥା’ନ୍ତି । ଏହା ଦ୍ୱାରା ସରକାରୀ କାର୍ଯ୍ୟକ୍ରମ ସଫଳ ଓ ସଶକ୍ତ ହୋଇଥାଏ । ଅନୁରୂପ ଭାବେ ଦୁର୍ଗମ ସ୍ଥାନରେ ଜରୁରି ସେବା ପହଁଚିବା ବିଳମ୍ବ ହେ ହେଲେ ସ୍ୱେଚ୍ଛାସେବୀମାନେ ଗୁରୁତ୍ୱପୂର୍ଣ୍ଣ ସେବା କାର୍ଯ୍ୟ କରିଥା’ନ୍ତି ।
ପ୍ରାରମ୍ଭିକ ଭାବେ ଏନୱାଇକେଏସ ଦ୍ୱାରା ବ୍ଲକସ୍ତରୀୟ ବିପର୍ଯ୍ୟୟ ମୁକାବିଲା ଦଳ ଗଠନ କରାଯିବ । ପାଇଲଟ ବେସିସରେ ୨୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୩୨ଟି ବିପର୍ଯ୍ୟୟ ପ୍ରବଣ ଜିଲ୍ଲାରେ ବ୍ଲକସ୍ତରୀୟ ବିପର୍ଯ୍ୟୟ ମୁକାବିଲା ଦଳ ଗଠନ ହେବ । ଏଥିପାଇଁ ଦେଶବ୍ୟାପୀ ୨୯୫ଟି ବ୍ଲକକୁ ଚୟନ କରାଯାଇଛି । ଏନେଇ ୮,୮୫୦ ସ୍ୱେଚ୍ଛାସେବୀଙ୍କୁ ୨୦୧୯-୨୦ରେ ଏନଡିଆରଏଫର ୧୨ ବାଟାଲିୟନରେ ୬ ଦିନିଆ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏ ସଂକ୍ରାନ୍ତରେ ଏନୱାଇକେଏସ ଓ ଏନଡିଆରଏଫ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଆଗାମୀ ୫ ବର୍ଷ ମଧ୍ୟରେ ସ୍ୱେଚ୍ଛାସେବୀଙ୍କ ସଂଖ୍ୟାରେ ବୃଦ୍ଧି କରାଯିବ । ୨୦୨୪ ସୁଦ୍ଧା ଏନୱାଇକେଏସର ୫୦,୦୦୦ରୁ ଅଧିକ ସ୍ୱେଚ୍ଛାସେବୀ ଏହି ପ୍ରଶିକ୍ଷଣ ଗ୍ରହଣ କରିବେ ବୋଲି ଆଶା କରାଯାଉଛି ।