ନୂଆଦିଲ୍ଲୀ/ଭୁବନେଶ୍ୱର – ମାସୁଦ ଆଝାର , ହଫିଜ ମହମ୍ମଦ , ଜାକି-ଉର-ରେହମାନ ଲଖଭି ଓ ଦାଉଦ ଇବ୍ରାହିମ କାସକର କୁ ଭାରତ ସରକାର ଆତଙ୍କବାଦୀ ଭାବେ ଘୋଷଣା କରିଛି ।
ନିକଟରେ କେନ୍ଦ୍ର ସରକାର ବେଆଇନ କାର୍ଯ୍ୟକଳାପ ନିରୋଧୀ ଆଇନ, ୧୯୬୭ରେ ଆଣିଥିବା ସଂଶୋଧନ ଆଧାରରେ ସେମାନଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇଛି । ଏଥିସହିତ ଏମାନଙ୍କ ନାମ ଆଇନର ଅନୁସୂଚୀ-୪ରେ ସାମିଲ କରାଯିବା ଲାଗି ନିଷ୍ପତି ନିଆଯାଇଛି ।
ଜୈଶ ଇ ମହମ୍ମଦର ମୁଖ୍ୟ, ପ୍ରତିଷ୍ଠାତା ଓ ପ୍ରମୁଖ ନେତା ମାସୁଦ ଆଝାର , ଲସ୍କର-ଇ-ତୟବା ଓ ଜମାତ-ଉଦ-ଦାୱାର ମୁଖ୍ୟ ହଫିଜ ମହମ୍ମଦ , ଲସ୍କର-ଇ-ତୟବାର ମୁଖ୍ୟ ଅପରେସନ କମାଣ୍ଡର ଜାକି-ଉର-ରେହମାନ ଲଖଭି ଏବଂ ଅନ୍ତର୍ଜାତୀୟ ଅଣ୍ଡରୱାର୍ଲ୍ଡ ଅପରାଧୀ ସଂଗଠନର ପରିଚାଳକ ତଥା ଆତଙ୍କବାଦୀ କାର୍ଯ୍ୟକଳାପର ଷଡ଼ଯନ୍ତ୍ରକାରୀ ଦାଉଦ ଇବ୍ରାହିମ କାସକରକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି ।
ସେମାନେ ଭାରତରେ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡ଼ିତ ଅଛନ୍ତି ଏବଂ ମିଳିତ ଜାତିସଂଘ ଦ୍ୱାରା ବିଶ୍ୱ ଆତଙ୍କବାଦୀର ମାନ୍ୟତା ପାଇଛନ୍ତି ।
ପୂର୍ବରୁ କେବଳ ଆତଙ୍କବାଦୀ ସଂଗଠନଗୁଡ଼ିକୁ ନିଷିଦ୍ଧ କରାଯାଉଥିବାରୁ ବ୍ୟକ୍ତିବିଶେଷମାନେ ସଂଗଠନର ନାମ ପରିବର୍ତନ କରି ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖୁଥିଲେ । ଏବେ ଆତଙ୍କବାଦୀ କାର୍ଯ୍ୟାନୁଷ୍ଠାନରେ ଲିପ୍ତ ବ୍ୟକ୍ତିବିଶେଷଙ୍କୁ ଆତଙ୍କବାଦୀ ଘୋଷଣା କରିବା ଲାଗି ଆଇନରେ ସଂଶୋଧନ ଅଣାଯାଇଛି ।