
ଭୁବନେଶ୍ୱର – ଆଜି ଠାରୁ ଓଡିଶାରେ ଅନ୍ ଲାଇନ୍ ରେ ମଦ ମିଳିବା ଆରମ୍ଭ ହୋଇଛି । ଉଲ୍ଲେଖନୀୟ ଯେ ମଦର ହୋମ ଡେଲିଭରି ପାଇଁ ଶନିବାର ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ତେବେ ଗ୍ରାହକଙ୍କୁ ମଦର ଏମଆରପି ଠାରୁ ୫୦ % ଅଧିକ ଦାମ୍ ଦେବାକୁ ପଡିବ । ରାଜ୍ୟ ସରକାର ମଦ ଉପରେ ୫୦% କୋଭିଡ୍ ଫି ଲଗାଇଛନ୍ତି । ଏଥିରୁ ମିଳିବାକୁ ଥିବା ଟଙ୍କା କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଖର୍ଚ୍ଚ ହେବ । ସେହିପରି ଗ୍ରାହକଙ୍କୁ ହୋମ ହେଲିଭରି ପାଇଁ ମଧ୍ୟ ଚାର୍ଜ ଦେବାକ ପଡିବ ।
ଅବକାରୀ ବିଭାଗ ପକ୍ଷରୁ ଏ ନେଇ ଓଡ଼ିଶା ଅବକାରୀ ନିୟମ-୨୦୧୭ରେ ଆବଶ୍ୟକୀୟ ପରିବର୍ତନ ଅଣାଯାଇଛି । ଏଣିକି ରାଜ୍ୟର ସମସ୍ତ ଲାଇସେନ୍ସପ୍ରାପ୍ତ ଠିପିଖୋଲା ଓ ଠିପିବନ୍ଦ ମଦ ଦୋକାନୀ ଗ୍ରାହକଙ୍କୁ ଚାହିଦା ଅନୁସାରେ ଘରେ ମଦ ଯୋଗାଇ ଦେଇପାରିବେ । ଭାରତ ତିଆରି ବିଦେଶୀ ମଦ ଓ ବିୟର ଏହି ଦୋକାନ ଜରିଆରେ ଗ୍ରାହକଙ୍କ ଘରେ ପହଂଚାଯିବ । କିନ୍ତୁ କେଂଟନମେଂଟ ଜୋନ୍ ଓ ସପିଂ ମଲରେ ମଦ ଯୋଗାଣ ଉପରେ କଟକଣା ଲାଗିଛିୟ । ସେହିପରି ଲାଇସେନ୍ସପ୍ରାପ୍ତ ଦୋକାନୀ ସେମାନଙ୍କ କାଉଂଟର କିମ୍ବା ଦୋକାନ ପରିସରରେ କୌଣସି ପ୍ରକାରର ମଦ ବିକ୍ରି କରିପାରିବେ ନାହିଁ । ଏଥିଲାଗି ଗ୍ରାହକଙ୍କୁ ଅନଲାଇନରେ ଅର୍ଡର କରିବାକୁ ପଡ଼ିବ ଏବଂ ଏଥିଲାଗି ଡିଜିଟାଲ୍ ପେମେଂଟ କରିବାକୁ ହେବ ।
ଓଏସବିସିର ୱେବସାଇଟ୍ ଓଏସବିସି ଡଟ୍ କୋ ଡଟ୍ ଇନ୍ ରେ ଜିଲ୍ଲାୱାରୀ ତଥ୍ୟ ରହିବ । ସମସ୍ତ ପ୍ରକାର ମଦର ମୂଲ୍ୟ ମଧ୍ୟ ଏଠାରେ ଉଲ୍ଲେଖ ରହିବ ।
ଅବକାରୀ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ବର୍ତମାନ ୧୦୦୦ ଟଙ୍କା ପର୍ଯ୍ୟନ୍ତ ମଦର ଅର୍ଡର ପାଇଁ ଗ୍ରାହକଙ୍କୁ ବିତରଣ ଶୁଳ୍କ ୧୦୦ ଟଙ୍କା ଏବଂ ତା\’ପରେ ପ୍ରତ୍ୟେକ ଅତିରିକ୍ତ ୫୦୦ ଟଙ୍କା ପର୍ଯ୍ୟନ୍ତ ମଦ ଅର୍ଡର କଲେ ୨୫ ଟଙ୍କା ପର୍ଯ୍ୟନ୍ତ ଶୁଳ୍କ ଦେବାକୁ ପଡ଼ିବ । ତେବେ ହୋମ ଡେଲିଭରି ଶୁଳ୍କ ୩୦୦ଟଙ୍କାରୁ ଅଧିକ ହେବ ନାହିଁ ।
ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗ୍ରାହକ ମାନେ ମଦ ମଗାଇପାରିବେ । ତେବେ ଗ୍ରାହକଙ୍କୁ ଘରକୁ ମଦ ମଗାଇବା ପାଇଁ ୬ ଘଂଟାର ସମୟ ମିଳିବ । ହୋମ ଡେଲିଭରିରେ ଯେଉଁ ସବୁ ଖୁଚୁରା ବ୍ୟବସାୟୀ ଏବଂ ଅନ୍ୟାନ୍ୟ ଏଜେନ୍ସିଗୁଡ଼ିକ ଜଡ଼ିତ ହେବ ସେମାନଙ୍କୁ ସମସ୍ତ ଆଇନଗତ ବ୍ୟବସ୍ଥାକୁ ଦୃଢ ଭାବେ ମାନିବାକୁ ପଡ଼ିବ । ଏଥିସହିତ ରାଜ୍ୟ ଆଇନ ଅନୁଯାୟୀ, ଉକ୍ତ ଖୁଚୁରା ବ୍ୟବସାୟୀ ଓ ଅନ୍ୟାନ୍ୟ ଏଜେନ୍ସିଙ୍କୁ ଗ୍ରାହକଙ୍କ ଘରେ ମଦ ପହଂଚାଇବା ପୂର୍ବରୁ ମଦ୍ୟପାନର ଆଇନଗତ ବୟସ ତଥା ଅନ୍ୟାନ୍ୟ ପ୍ରତିବନ୍ଧକ ଉପରେ ବି ଧ୍ୟାନ ଦେବାକୁ ପଡ଼ିବ । ଘରେ ମଦ ପହଂଚାଇବାକୁ ଥିବା ଡେଲିଭରି ବୟଙ୍କୁ ଖୁଚୁରା ବ୍ୟବସାୟୀ / ଏଜେନ୍ସି ଦ୍ୱାରା ଜାରି କରାଯାଇଥିବା ଆଇ- କାର୍ଡ ଏବଂ ସାଥିରେ ଇନଭଏସ୍ ବା ବିଲ୍ ରଖିବା ବାଧ୍ୟ୍ୟତାମୂଳକ । ଏହି ଇନଭଏସରେ ଗ୍ରାହକଙ୍କ ନାମ ଏବଂ ଠିକଣା ସଠିକ୍ ଭାବେ ରହିବା ସହିତ ମଗାଇ ଥିବା ମଦର ମୂଲ୍ୟ, ଗୁଣବତା ଏବଂ ପରିମାଣ ସହିତ ମଦ ପଠାଇବାର ସମୟ ଏବଂ ତାରିଖ, ବିତରଣ ଦେୟ ଏବଂ ସ୍ପଷ୍ଟ ଭାବରେ .ଲେଖା ହେବା ଦରକାର ।
ଅନ୍ୟପକ୍ଷରେ କରୋନା ଗାଇଡ୍ ଲାଇନ୍ ମାନି ଡେଲିଭରି କରୁଥିବା ବ୍ୟକ୍ତିମାନଙ୍କୁ ମାସ୍କ ପିନ୍ଧିବା, ୬ ଫୁଟ ଦୂରତା ବଜାୟ ରଖିବା ଏବଂ ବାରମ୍ବାର ସାନିଟାଇଜର ବ୍ୟବହାର କରିବା ଭଳି ସମସ୍ତ ନୀତି ଅନୁସରଣ କରିବାକୁ ପଡ଼ିବ । ଯଦି କୌଣସି ଡେଲିଭରି କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ଭଳି ଲକ୍ଷଣ ଥିବ କିମ୍ବା ଅସୁସ୍ଥ ଅନୁଭବ କରୁଥିବେ ତେବେ ସେ ଏ ସେବାରେ ନିୟୋଜିତ ହେବା ଉଚିତ ନୁହେଁ ।
ଗ୍ରାହକଙ୍କୁ ମଦ କ୍ରୟ କରିବା ପାଇଁ ଡିଜିଟାଲ୍ ପେମେଂଟ କରିବାକୁ ପଡିବ । ଗ୍ରାହକ କୌଣସି କେଂଟନମେଂଟ୍ ଜୋନରେ ରହୁଥିଲେ ତାଙ୍କୁ ମଦ ଯୋଗାଇ ଦିଆଯିବ ନାହିଁ । ଏଥିସହ ସପିଂ ମଲରେ ମଦ ଯୋଗାଣ ଉପରେ କଟକଣା ଲାଗିଛି ।