ପୁରୀ – ସମୁଦ୍ର ବେଳାଭୂମି ସଂଲଗ୍ନ ଚକ୍ରତୀର୍ଥ ରୋଡଠାରେ ରହିଛି ପାଥରପୁରୀ ହଷ୍ଟେଲ । ଏସସିଏସ କଲେଜ ଦ୍ୱାରା ପରିଚାଳିତ ଏହି ବୟଜ୍ ହଷ୍ଟେଲଟି ଏବେ ଭୂତକୋଠି ପାଲଟିଲାଣି । ବ୍ରିଟିଶ ଅମଳରେ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର ସେହି ସ୍ଥାନରେ କୁଡିଆରେ ବସି କବିତା ଲେଖୁଥିଲେ । ପୁରୀକୁ ଆସିଲେ ତାଙ୍କର ଏହି ପ୍ରିୟ ସ୍ଥାନରେ ରହୁଥିଲେ । ହଷ୍ଟେଲ ପରିସରରେ ରହିଥିବା ରବୀନ୍ଦ୍ରନାଥ ଟାଗୋରଙ୍କ ପ୍ରତିମୂର୍ତି ଚାରିପଟ ଗଛ ଉଠିଗଲାଣି । ଏହି ପ୍ରତିମୂର୍ତିଟି ୨୦୧୨ ମସିହାରେ ପ୍ରଫେସର ଉପେନ୍ଦ୍ରନାଥ ମହାନ୍ତି, ଡଃ ସୁରେନ୍ଦ୍ର ସେଠୀ ଓ ଡଃ ଶାରଦା ପ୍ରସାଦଙ୍କ ଦ୍ୱାରା ସ୍ଥାପିତ ହୋଇଥିବା ଫଳକରେ ଉଲ୍ଲେଖ ରହିଛି । ପୁରୁଣା କାଳିଆ ଦୁଇମହଲା ଘରଟି ବଙ୍ଗୀୟ ଷ୍ଟାଇଲରେ ନିର୍ମିତ ହୋଇଛି । କଢିବରଗା ଛାତଘରରେ ଛାତ୍ରମାନେ ଖୁସିରେ ରହିବା ସହ ଏହି ଐତିହାସିକ ଘରେ ରହି ପାଠ ପଢିବା ସ୍ମୃତି ଭୁଲିପାରୁନାହାଁନ୍ତି । ସମୁଦ୍ରର ଘୁଘୁ ଶଦ୍ଦ ଶହ ବୃକ୍ଷମୟ ପରିବେଶ ମଧ୍ୟରେ ହଷ୍ଟେଲଟି ଚଳଚଂଚଳ ହୋଇ ଚାଲୁଥିଲା । ଫନି ବାତ୍ୟା ପୂର୍ବରୁ ଏହି କୋଠାଟିକୁ ଅସୁରକ୍ଷିତ ଘୋଷଣା କରାଯାଇ ବନ୍ଦ କରିଦିଆଯାଇଛି । ଅସୁରକ୍ଷିତ ଘୋଷଣା ହୋଇଥିଲେ ମଧ୍ୟ ସେଠାରେ କର୍ମଚାରୀ ଓ ତାଙ୍କ ପରିବାର ରହୁଛନ୍ତି ।
କୋଠାରେ ଉଠିଲାଣି ବରଗଛ : ଶହେରୁ ଉଦ୍ଧ୍ୱର୍ ବେଡ ଥାଇ ହଷ୍ଟେଲଟି ଚାଲୁଥିଲା । ହଷ୍ଟେଲଟି ବନ୍ଦ ହେବା ପରେ ଘରର ଦୁଇମହଲା, ଏକମହଲା ଓ ବଗିଚାରେ ଅନାବନା ଗଛ, ବରଗଛ, ଅଶ୍ୱସ୍ତ ଗଛ, ବରକୋଲି ଗଛ ଓ ବିଭିନ୍ନ ଲଟି ମାଡିବାରୁ ଘର ଭାଙ୍ଗିବା ଅବସ୍ଥାକୁ ଗଲାଣି । ଉପରେ ବରଗଛ ଉଠିବାରୁ ତା ଚେର କାନ୍ଥ ଫଟେଇବାକୁ ଲାଗିଲାଣି । କଲେଜ କର୍ତୃପକ୍ଷ ଓ ହଷ୍ଟେଲ ଚାର୍ଜରେ ଥିବା ସୁପରିଟେଣ୍ଡେ ଏ ସଂପର୍କରେ ପଦକ୍ଷେପ ନନେବାରୁ ତାହା ଏବେ ଅବ୍ୟବହୃତ ହୋଇ ପଡିରହିଛି ।
ବୁଲିଲେଣି ବିଷଧର ସାପ : ଅଳିଆ ଆବର୍ଜ୍ଜନା, ଭଙ୍ଗା କୋଠା, ଇଟାଗଦା ରହିଥିବାରୁ ସେଥିରେ ବିଷଧର ସର୍ପ ରହିଲେଣି । ଚକ୍ରତୀର୍ଥ ରୋଡ ବାଙ୍କିମୁହାଣ ନିକଟରେ ପର୍ଯ୍ୟଟକ ଯିବା ସମୟରେ ସାପ ବାହାରି ଯାଉଥିବା ଦେଖିଥିବା କହିଛନ୍ତି କେତେକ ନର୍ଯ୍ୟଟକ ।
ସଞ୍ଜ ନଇଁଲେ ନିଶାଖୋରଙ୍କ ଆଡ୍ଡାସ୍ଥଳୀ : ଫନି ବାତ୍ୟା ପରେ ପାଚେରୀ ଭାଙ୍ଗି ଯାଇଥିବାରୁ ସଂପୂର୍ଣ୍ଣ ଖୋଲା ହୋଇଯାଇଛି ପାଥରପୁରୀ ହଷ୍ଟେଲ । ସଞ୍ଜ ନଇଁବା କ୍ଷଣି ନିଶାଖୋରମାନେ ହଳ ହଳ ହୋଇ ପଲିଥିନରେ କୋରେକ୍ସ ଓ ମଦବୋତଲ, ମିକ୍ସଚର, ଚାଖେଣା, ଆଚାର, ଥଣ୍ଡାବୋତଲ ଓ ପାଣିବୋତଲ ନେଇ ଆସର ଜମାଉଛନ୍ତି । ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସେଠାରେ ରହି ପାଟିତୁଣ୍ଡ କରୁଛନ୍ତି । ଶହ ଶହ କୋରେକ୍ସ ବୋତଲ ହଷ୍ଟେଲ ପରିସରରେ ପଡିଥିବା ଦେଖିବାକୁ ମିଳୁଛି ।
ଫନିରେ ଭାଙ୍ଗିଯାଇଛି ଗଛ : ସାମୁଦ୍ରିକ ବାତ୍ୟା ଫନିରେ ହଷ୍ଟେଲ ପରିସରରେ ଥିବା ଅନେକ ଗଛ ଭାଙ୍ଗି ପଡିରହିଛି । ସେଗୁଡିକ କଟା ଯାଇନଥିବାରୁ ତାହା ସେହିପରି ପଡିଆରେ ପଡିରହିଛି । ତିନୋଟି ନଡ଼ିଆ ଗଛ ମରିଯାଇ ଠିଆ ହୋଇଛି । ବଡ ପଟାସ ଗଛଟିଏ ସଂପୂର୍ଣ୍ଣ ମରିଯାଇଛି । ଅନେକ ଗଛ ଡାଳ ଭାଙ୍ଗି ହଷ୍ଟେଲ ଉପରେ ପଡିରହିଛି । ସେଗୁଡିକ ସଫା କରାଯାଉନଥିବାରୁ କେତେବେଳେ ଛାତ ଖସିପଡିବ ତାକୁ ନେଇ ସନ୍ଦେହ ସୃଷ୍ଟି ହେଲାଣି ।
କାଢି ନେଲେଣି ଝରକା କବାଟ : ଚାରିପଟ ଖୋଲାରହିବା ଯୋଗୁଁ ନିଶାଖୋର ଓ ଚୋରମାନେ ଝରକା, କବାଟ, ଟେବୁଲ, ଚୌକି, ଫ୍ୟାନ, ବିଦ୍ୟୁତ୍ ସରଞ୍ଜାମ ଓ ଆଲମିରା ସବୁ ବୋହି ନେଲେଣି । ଅନେକ ସ୍ଥାନରେ ଶାବଳରେ ଖୋଳି ଲୁହା ଗ୍ରୀଲ୍ ନେବା ପାଇଁ ଚେଷ୍ଟାକରି ବିଫଳ ହୋଇଛନ୍ତି । ଆଉ କିଛି ଦିନ ଗଲେ ପୁରୁଣା ଶାଳ କାଠରେ ହୋଇଥିବା କଢିବରଗା ତାଡି ନେବାର ସମ୍ଭାବନା ରହିଛି ।
ଭାଙ୍ଗିଗଲାଣି ସିଡିଘର : ଖରା ବର୍ଷା ଖାଇ ସିଡିଘରଟି ସଂପୂର୍ଣ୍ଣ ଭାଙ୍ଗିଗଲାଣି । ଯେଉଁ ସିଡିବାଟେ ଶହ ଶହ ଛାତ୍ର ଦୁଇମହଲା ଉପରକୁ ଯାଇ ସମୁଦ୍ରର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିଲେ ତାହା ଏବେ ସ୍ୱପ୍ନ ହେଲାଣି । ସିଡିଘର ପାହାଚ, କାନ୍ଥ ଭାଙ୍ଗିଯିବା ଯୋଗୁଁ ଅସୁରକ୍ଷିତ ଅବସ୍ଥାରେ ରହିଛି ।
ରବିନ୍ଦ୍ର ମଣ୍ଡପ ପାଇଁ ଦାବି : ବିଶ୍ୱକବିଙ୍କ ରବୀନ୍ଦ୍ରନାଥ ଟାଗୋରଙ୍କ ସ୍ମୃତି ବଂଚାଇବା ପାଇଁ ସେଠାରେ ଅତ୍ୟାଧୁନିକ ରବୀନ୍ଦ୍ରମଣ୍ଡପଟିଏ ନିର୍ମାଣ କରିବା ପାଇଁ ଦାବି ହେଉଥିଲା । ପୁରୀସହରରେ ଅତ୍ୟାଧୁନିକ ଶୀତତାପ ନିୟନ୍ତ୍ରିତ ପ୍ରକ୍ଷାଳୟଟିଏ ନଥିବାରୁ ସହରର କଳାକାରମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରବୀନ୍ଦ୍ରନାଥ ଟାଗୋର ସ୍ମୃତି ସଂସଦ ଓ ରାଜ୍ୟ ସରକାର ମିଳିତଭାବେ ସେଠାରେ ରବୀନ୍ଦ୍ର ମଣ୍ଡପଟିଏ ନିର୍ମାଣ କରିବା ପାଇଁ ପ୍ରୟାସ କରିଥିଲେ । ତାହା ଏବେ ସ୍ୱପ୍ନରେ ରହିଛି ।
କମନରୁମ ଓ କ୍ୟାଂଟିନ୍ ସଂପୂର୍ଣ୍ଣ ଭାଙ୍ଗିଛି : ହଷ୍ଟେଲରେ ରହୁଥିବା ଛାତ୍ରମାନଙ୍କୁ କ୍ୟାଂଟିନରେ ଭୋଜନ ବଂଟନ ପାଇଁ ସ୍ୱତନ୍ତ୍ରଭାବେ ନିର୍ମିତ ହୋଇଥିବା ଘରଟି ଫନି ବାତ୍ୟାରେ ଟିଣ ଉଡିଯାଇଛି ଓ କାଠ ପଡିରହିଛି । ସେହି କାଠରୁ କିଛି ଦୁର୍ବୃତମାନେ ଚୋରି କରି ନେଇଗଲେଣି । ସେହିପରି କମନରୁମ ଅବସ୍ଥା ଶୋଚନୀୟ । ସେଠାରେ ଏବେ କୁକୁର ଶୋଉଛନ୍ତି ।
ହଷ୍ଟେଲ ବୋର୍ଡରେ ମାଡିଲାଣି ବରକୋଳି ଗଛ : ଚକ୍ରତୀର୍ଥ ରୋଡ ନିକଟରେ ହଷ୍ଟେଲର ପାଚେରୀ ରହିଛି । ପାଚେରୀ ଉପରେ ପାଥରପୁରୀ ହଷ୍ଟେଲ, ଏସସିଏସ କଲେଜ, ପୁରୀ ଲେଖାଇଥିବା ବୋର୍ଡ ଉପରେ ବରକୋଳି ଗଛ ମାଡିଯାଇ ଆବଦ୍ଧ କରି ରଖିଛି । ଯାହାଫଳରେ ପର୍ଯ୍ୟଟକମାନେ ରବୀନ୍ଦ୍ରନାଥ ଟାଗୋରଙ୍କ ଥିବା ଗୃହ ସଂପର୍କରେ ଜାଣିପାରୁନାହାଁନ୍ତି ।
ହୋଟେଲ ଓ ବିଲଡରଙ୍କୁ ବିକ୍ରି କରିବା ପାଇଁ ମସୁଧା : ହଷ୍ଟେଲଟିକୁ ଅସୁରକ୍ଷିତ ଘୋଷଣା କରି ବଣବୁଦା ଉଠିବା ପରେ ସେଠାରେ ଆଉ ନବୀକରଣ କରାନଯାଇ ଛାଡି ଦିଆଯାଇଛି । ବହୁଦିନ ପଡିବା ପରେ ଏହି ମୂଲ୍ୟବାନ ସଂପତି ହୋଟେଲ ଓ ବିଲଡରଙ୍କୁ ବିକ୍ରି କରିଦେବା ପାଇଁ ମସୁଧା ଚାଲିଛି ବୋଲି ସ୍ଥାନୀୟ ଅଂଚଳବାସୀ କହିଛନ୍ତି । କଲେଜ ପରିସରରେ ଦୁଇଟି ବଡ ବଡ ହଷ୍ଟେଲ ନିର୍ମିତ ହୋଇଯାଇଥିବାରୁ ଏହି ହଷ୍ଟେଲକୁ ପୁନଃ ଚାଲୁକରିବା ପାଇଁ କର୍ତୃପକ୍ଷଙ୍କ ଆଗ୍ରହ ନଥିବା ଜଣାପଡିଛି ।
ଗୁଗୁଲୁର ପାଥରପୁରୀ ହଷ୍ଟେଲ ସଂପର୍କରେ ତଥ୍ୟ ଉଭାନ୍ : ପାଥରପୁରୀ ବୟଜ୍ ହଷ୍ଟେଲ ସଂପର୍କରେ ଅନେକ ତଥ୍ୟ ପୂର୍ବରୁ ଗୁଗୁଲରେ ରହିଥିଲା । ସେହି ତଥ୍ୟ ଏବେ ଗୁଗୁଲରେ ଖୋଜିଲେ ମିଳୁନାହିଁ । କେବଳ ପାଥରପୁରୀ ହଷ୍ଟେଲ ଫେସବୁକରେ କିଛି ଛାତ୍ରଙ୍କ ପୁରୁଣାଦିନର ସ୍ମୃତି ଓ ଫଟୋ ବୁଲୁଛି ।
ହଷ୍ଟେଲର ପୂର୍ବ ଗୌରବ ଫେରାଇବାକୁ ଦାବି : ହଷ୍ଟେଲରେ ରହି ପାଠପଢି ଅନେକ ଛାତ୍ର ଆଇଏଏସ, ଓଏଏସ ଓ ଉଚ୍ଚ ପଦାଧିବାରୀ ଭାବେ ଅବସ୍ଥାପିତ ହୋଇଛନ୍ତି । ସେମାନେ ପୁରୀ ଆସିଲେ ପୁରୁଣା ଦିନର ସ୍ମୃତିକୁ ରୋମନ୍ଥନ କରି ହଷ୍ଟେଲରେ ପିଲାମାନଙ୍କୁ ମିଠା ବାଂଟିବା ସହ କର୍ମଚାରୀଙ୍କୁ ଖୁସି କରାଉଥିଲେ । ଏବେ ହଷ୍ଟେଲଟି ଭାଙ୍ଗିଯିବାରୁ ସେମାନେ ଏଭଳି ଅବସ୍ଥା ଦେଖି ଦୁଃଖିତ ହେଉଛନ୍ତି । ସମୁଦ୍ର କୂଳ ଏହି ମୂଲ୍ୟବାନ ସ୍ଥାନରେ ପୁଣି ହଷ୍ଟେଲକୁ ଚାଲୁ କରିବା ପାଇଁ ପୁରୁଣା ଛାତ୍ର ମହଲ ପକ୍ଷରୁ ଦାବି ହେଉଛି ।