-
ପୁଣି ଏସ୍ପିଙ୍କୁ ଭେଟି ନ୍ୟାୟ ଭିକ୍ଷାକଲେ ପୂର୍ଣ୍ଣଙ୍କ ପରିବାର

ବ୍ରହ୍ମପୁର : ରୋହିଗାଁ ପୂର୍ଣ୍ଣ ଜେନାଙ୍କୁ ହତ୍ୟା ଉଦ୍ୟମ ଘଟଣା ଦିନକୁ ଦିନ ନୂଆଁମୋଡ ନେଉଛି । ବୈଶିଷ୍ଠ ହିଁ ଆମ ଗ୍ରାମରେ ଅଶାନ୍ତି ଆଣିଛି । ଆମ ଭାଇକୁ ହତ୍ୟାକଲେ ଏବଂ ପୂର୍ଣ୍ଣଙ୍କୁ ବାରମ୍ବାର ଆକ୍ରମଣ କରାଯାଉଛି । ଆମେ ବାଧ୍ୟହୋଇ ପୋଲିସକୁ ଜଣାଇଲୁ । ଜେଲ୍ ଯାଇ ପୁଣି ଜାମିନ୍ରେ ଆସି ଆମ ପରିବାରକୁ ଆକ୍ରମଣ କଲା । ତେଣୁ ସେ ଗିରଫ ନହେବା ଯାଏଁ ଆମ ଗ୍ରାମରେ ଶାନ୍ତି ଫେରିବନି କିମ୍ବା ଆପ ପରିବାରକୁ ଛାଡିବନି ସେ । ତେଣୁ ଠିକ୍ ତଦନ୍ତକରି ଷଡଯନ୍ତ୍ରକାରୀ ବୈଶିଷ୍ଠ ଜେନାଙ୍କୁ ଗିରଫ କରନ୍ତୁ ବୋଲି ବ୍ରହ୍ମପୁର ଏସ୍ପି ପିନାକ ମିଶ୍ରଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି କାନ୍ଦି କାନ୍ଦି ନେହୁରା ହୋଇ କହିଛନ୍ତି ପୂର୍ଣ୍ଣଙ୍କ ଭାଇ ସନ୍ନ୍ୟାସୀ ଏବଂ ହତ୍ୟାର ଶିକାର ହୋଇଥିବା ଅଶୋକ ଜେନାଙ୍କ ବିଧବା ପତ୍ନୀ ଏବଂ ଅନ୍ୟ ସଦସ୍ୟମାନେ । ଏସ୍ପି ଶ୍ରୀ ମିଶ୍ର ସେମାନଙ୍କ ଠାରୁ ପୁରା ଘଟଣା ଶୁଣିବା ସହ ପୁରା ଘଟଣାର ତଦନ୍ତ ଏଏସ୍ପି ପ୍ରଭାତ ରାଉତରାୟଙ୍କୁ ଦେଇଛନ୍ତି । ଘଟଣାରେ ସମ୍ପୃକ୍ତ ଯିଏ ବା ଥାଉ ନା କାହିଁକି ସେ ଗିରଫ ହେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଗ୍ରାମରେ ପୋଲିସ ପୁଣି ମୁତୟନ ହେବ । ଯିିଏ ବା ଗ୍ରାମରେ ଅଶାନ୍ତ ପରିବେଶ ସୃଷ୍ଟି କରିବ ତାକୁ ଗିରଫ କରାଯିବ ବୋଲି ଏସ୍ପି କହିଛନ୍ତି । ପୂର୍ଣ୍ଣଙ୍କ ପରିବାରର ମୁଖ୍ୟ ଅଶୋକ ଜେନାଙ୍କୁ ୨୦୧୭ମସିହା ମାର୍ଚ୍ଚ ୧୭ତାରିଖରେ ହତ୍ୟା କରାଯାଇଥିଲା । ଏହାପରେ ପୂର୍ଣ୍ଣ ବୈଶିଷ୍ଠଙ୍କ ସମେତ ଅନ୍ୟମାନଙ୍କ ନାମରେ ଏତଲା ଦେଇଥିଲେ । ପୂର୍ଣ୍ଣଙ୍କ ପରିବାରକୁ ମାମଲା ପ୍ରତ୍ୟାହାର କରିବା ପାଇଁ ଧମକ ଚମକ ଦେଉଥିଲା । ପୁଣି ଚଳିତ ମାସ ୯ତାରିଖରେ ପୂର୍ଣ୍ଣଙ୍କୁ ହତ୍ୟା ଉଦ୍ୟମ କରି ଗୋଡ ହାତ ଭାଙ୍ଗିଦେବା ସହ ଖଣ୍ଡାରେ ହାଣିଥିଲେ । ଏହିସବୁ ନେଇ ପରିବାର ଲୋକେ ପୂର୍ବରୁ ପୋଲିସ ଥାନା ଏବଂ ଏଏସ୍ପିଙ୍କୁ ଭେଟିଥିଲେ । ପୋଲିସ ଘଟଣାରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଷଡଯନ୍ତ୍ରକାରୀ ବୈଶିଷ୍ଠ ଜେନା ଏବଂ ବାବୁଲା ଜେନାଙ୍କୁ ଗିରଫ କରିନଥିଲେ । ଏହି ଦୁହେଁ ହିଁ ସେମାନଙ୍କ ସମର୍ଥକଙ୍କୁ ପଠାଇ ଏହି ଘଟଣା କରାଇଥିବା ପୂର୍ଣ୍ଣଙ୍କ ପରିବାର ଲୋକ ପକ୍ଷରୁ ସନ୍ୟାସୀ ଓ ତାଙ୍କ ସମ୍ପର୍କୀୟ ସନାତନ ସଂଗ୍ରାମ ସିଂ ଅଭିଯୋଗ କରିଛନ୍ତି । ତେଣୁ ବୈଶିଷ୍ଠ ଗିରଫ ନହେବା ଯାଏଁ ତାଙ୍କ ପରିବାର ଲୋକେ ଭୟରେ ରହିବେ ଏବଂ ପୁଣି ତାଙ୍କ ଉପରେ ଆକ୍ରମଣ ହେବ ବୋଲି ସେମାନେ ଏସ୍ପିଙ୍କୁ ଗୁହାରୀ କରିଛନ୍ତି । ସୂଚନାଯୋଗ୍ୟ ଯେ, ରୋହିଗାଁରେ ଦୀର୍ଘଦିନଧରି ଦୁଇଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଏବଂ ଗୋଷ୍ଠୀ ସଂଘର୍ଷ ଜାରି ରହିଛି । ଏହି ଘଟଣାକୁ ନେଇ ଗତ କିଛିଦିନତଳେ ସନ୍ୟାସୀ ଙ୍କ ପରିବାର ଅତିରିକ୍ତ ଏସ୍ପିଙ୍କୁ ଭେଟି ନ୍ୟାୟ ପାଇଁ ଦାବି କରିଥିବା ବେଳେ ଗତ ଶୁକ୍ରବାର ଦିନ କୁକୁଡାଖଣ୍ଡି ବ୍ଲକ୍ ସରପଞ୍ଚ ସଂଘ ବୈଶିଷ୍ଠ ପୂର୍ଣ୍ଣଙ୍କୁ ଆକ୍ରମଣ ବେଳେ ବ୍ଲକ୍ରେ ଉପସ୍ଥିତ ଦର୍ଶାଇ ଏସ୍ପି ଶ୍ରୀ ମିଶ୍ରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO