-
ଆଜିଠୁ ବ୍ରହ୍ମପୁର ଷ୍ଟେଶନ୍ରେ ଲାଗିବ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍
ବ୍ରହ୍ମପୁର : ଜିଲ୍ଲାରେ ଶନିବାର ୧୯ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଉ ୪୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ବର୍ତ୍ତମାନ ଜିଲ୍ଲାରେ ୩୪୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୮ଦିନରେ ୨୦୩ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଉ ୧୩୫ରୋଗୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ୩ରେ ରହିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପକ୍ଷରୁ ଘୋଷଣା କରାଯାଇଛି । ସୁସ୍ଥ ହୋଇ ଘରକୁ ଫେରିବା ଖବର ପ୍ରଚାରିତ ହେବାପରେ ଜିଲ୍ଲାବାସୀ ତଥା ରୋଗୀଙ୍କ ପରିବାର ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ସେପଟେ ୨୧ଦିନିଆ କ୍ୱାରାଣ୍ଟାଇନ୍ ସାରି ଜିଲ୍ଲାର ବିଭିନ୍ନ ବ୍ଲକ୍ର ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପରେ ଥିବା ପ୍ରାୟ ୪ହଜାର ପ୍ରବାସୀ ଓଡ଼ିଆ ନିଜ ନିଜ ଘରକୁ ଫେରିଛନ୍ତି । ସେମାନଙ୍କୁ ପ୍ରଶାସନ ତରଫରୁ ସାର୍ଟିଫିକେଟ୍ ପ୍ରଦାନକରି ନିଜ ଘରକୁ ପଠାଇବା ସହ ଆଉ ୭ଦିନ ହୋମ୍ କ୍ୱାରାଣ୍ଟାଇନ୍ରେ ରହିବାକୁ ପରାମର୍ଶ ଦିଆଯାଇଛି । କରୋନା ମୁକାବିଲା ଦିଗରେ ଏମାନେ ନିଜ ନିଜ ଗ୍ରାମାଞ୍ଚଳରେ ସଚେତନତା କରିବେ ବୋଲି ଜଣାପଡିଛି । ୨୧ଦିନ ଅସ୍ଥାୟୀ କ୍ୟାମ୍ପରେ ରହିବା ସମୟରେ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସହାୟତା ଓ ଅତିଥି ଚର୍ଚ୍ଚା ଜୀବନସାରା ମନେ ରହିବ ବୋଲି ପ୍ରବାସୀମାନେ କହିବା ସହ ପ୍ରଶାସନକୁ ପ୍ରଶଂସା କରିଥିଲେ । ଶନିବାର ରାତ୍ରରେ ୩ଟି ଟ୍ରେନ୍ରେ ପ୍ରାୟ ୩୫୦୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ଗୁଜୁରାଟରୁ ଆସି ଏଠାରେ ପହଞ୍ôଚଛନ୍ତି । ଏମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପରେ ଜିଲ୍ଲାର ବିଭିନ୍ନ ସଙ୍ଗରୋଧ ଗୃହକୁ ୨୧ଦିନିଆ କ୍ୱାରାଣ୍ଟାଇନ୍ରେ ରହିବାକୁ ପଠାଯାଇଛି । ଶନିବାର ସକାଳେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି.ଆୱ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ବ୍ରହ୍ମପୁର ଷ୍ଟେଶନ୍ର ୪ନମ୍ବର ପ୍ଲାଟଫର୍ମରେ ପହଞ୍ôଚ ପ୍ରଶାସନ ପକ୍ଷରୁ କରାଯାଇଥିବା ସମସ୍ତ ବ୍ୟବସ୍ଥାର ତଦାରଖ କରିଥିଲେ । ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଓ ପୋଲିସ ପ୍ରଶାସନର ଏହି ପ୍ରବାସୀ ଓଡ଼ିଆଙ୍କୁ ସ୍ୱାଗତ କରିବା ସହ କରାଯାଇଥିବା ବସ୍ରେ ସଙ୍ଗରୋଧ ଗୃହକୁ ପଠାଯିବ । ପ୍ରବାସୀ ଓଡ଼ିଆ ଆସିବାବେଳେ ଯେପରି ବାହାର ଲୋକ ନ ପଶନ୍ତି ସେଥିନିମନ୍ତେ ଅଞ୍ଚଳକୁ ୧୪୪ ଧାରା ଘୋଷଣା କରାଯାଇଛି । ତେବେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସେପଟେ ଗତ ୯ଦିନ ମଧ୍ୟରେ ପ୍ରଥମ ୨, ତା’ପରେ ୨୮, ତା’ପରେ ୧୯ ଓ ସୋମବାର ଦିନ ୪୦, ମଙ୍ଗଳବାର ୨୦ ଓ ବୁଧବାର ଦିନ ୨୩ ଜଣ, ଗୁରୁବାର ୨୨ଜଣ, ଶୁକ୍ରବାର ୮ ଓ ଶନିବାର ୪୧ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହି ଖବର ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍ସାହିତ କରୁଥିବା ବେଳେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ଭୟଭୀତ ରହିଛନ୍ତି । ବର୍ତ୍ତମାନ ଜିଲ୍ଲାକୁ ପ୍ରାୟ ୫୫ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ଆସିଥିବା ବେଳେ ସେମାନଙ୍କୁ ୩ହଜାରରୁ ଊର୍ଦ୍ଧ୍ୱ ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପ ବା ସଙ୍ଗରୋଧ ଗୃହରେ ରଖାଯାଇଛି । ସେମାନଙ୍କ ମଧ୍ୟରୁ ଓ ହୋମ୍ କ୍ୱାରାଣ୍ଟାଇନ୍ରେ ଥିବା କିଛି ସ୍ଥାନୀୟ ଲୋକଙ୍କ ଠାରୁ ହିଁ ବର୍ତ୍ତମାନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଆଗକୁ ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି । ଏଥିରେ ଭୟଭୀତ ନହୋଇ ଏହାର ମୁକାବିଲା କିପରି କରିବା ତାକୁ ନେଇ ଏବେ ସମସ୍ତଙ୍କ ମନରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଛି । ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ, ଡାକ୍ତର, ନର୍ସଙ୍କ ମିଳିତ ଉଦ୍ୟମରେ ଏବେ କରୋନା ମୁକାବିଲା ସୁରୁଖୁରୁରେ ଚାଲିଛି । ସେପଟେ ଚତୁର୍ଥ ପର୍ଯ୍ୟାୟ ଲକ୍ ଡାଉନ୍ ଜିଲ୍ଲାରେ ବଳବତ୍ତର ରହିଥିବା ବେଳେ ସନ୍ଧ୍ୟା ୭ରୁ ସକାଳ ୭ ଯାଏଁ କର୍ଫ୍ୟୁ ସ୍ଥିତି ଜାରି କରାଯାଇଛି । ଏହି ସମୟରେ ମେଡିକାଲ୍ କାର୍ଯ୍ୟ ସାରିଲେ ଅନ୍ୟ କୌଣସି କାର୍ଯ୍ୟରେ ଲୋକେ ଯେପରି ବାହାରକୁ ବାହାରିବେନି ସେ ଉପରେ ଗୁରୁତ୍ୱ ଦିଆଯାଇଛି । ଯଦି କୌଣସି ଲୋକ ଅନାୟସରେ ପଦାକୁ ବାହାରେ ତାହେଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଳାପାଳ କହିଛନ୍ତି । ଶନିବାର ଚିହ୍ନଟ ହୋଇଥିବା ୧୯ ରୋଗୀଙ୍କ ମଧ୍ୟରୁ ୧୬ଜଣ ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପରେ ଥିବାବେଳେ ସେମାନଙ୍କ ମଧ୍ୟରୁ ୧୫ଜଣ ସୁରଥ ଫେରନ୍ତା ଓ ଜଣେ ମହାରାଷ୍ଟ୍ରରୁ ଆସିଛନ୍ତି । ଆଉ ୩ଜଣ ସ୍ଥାନୀୟ କେଶ୍ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜଣାପଡିଛି ।