
-
ରବିବାର ପୁଣି ୧୫ କରୋନା ରୋଗୀ ଚିହ୍ନଟ
-
ପୁଣି ଜଣେ ରୋଗୀଙ୍କ ମୃତ୍ୟୁ
-
୪୯ ରୋଗୀ ସୁସ୍ଥ
ବ୍ରହ୍ମପୁର : ରବିବାର ଜିଲ୍ଲାରେ ପୁଣି ୧୫ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୨୯୨ରେ ପହଞ୍ôଚଛି । ସେମାନଙ୍କ ମଧ୍ୟରୁ ରବିବାର ୪୯ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପକ୍ଷରୁ ଘୋଷଣା କରାଯାଇଛି । ଖବର ପ୍ରଚାରିତ ହେବାପରେ ଜିଲ୍ଲାବାସୀ ତଥା ରୋଗୀଙ୍କ ପରିବାର ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ବର୍ତ୍ତମାନ ଜିଲ୍ଳାରେ ୨୯୨ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୯ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଉ ୨୪୧ ରୋଗୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ୨ରେ ପହଞ୍ôଚଛି । ଶନିବାର ରାତ୍ରରେ ଆଉ ଜଣେ କରୋନା ରୋଗୀ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଥିବା ନେଇ ରବିବାର ସକାଲେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଥିଲା । ମୃତକଜଣକ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ ବ୍ଲକ୍ର ବୋଲି ସୂଚନା ମିଳିଛି । ତେଣୁ ଭୟଭୀତ ନହୋଇ ସୁରକ୍ଷିତ ରୁହନ୍ତୁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାବାସୀଙ୍କୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପୁଣିଥରେ ନିବେଦନ କରିଛନ୍ତି । ସେପଟେ ବ୍ରହ୍ମପୁର ଆମ୍ବ ବଜାରରେ କରୋନା ସଂକ୍ରମଣ ରୋଗୀ ଜଣେ ଚିହ୍ନଟ ହେବାପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଶଙ୍କରପୁର ସାହିର ଜଣେ ବ୍ୟକ୍ତିଙ୍କ ଲକ୍ଷଣ ନଥାଇ ପଜେଟିଭ ଆସିବାପରେ ରବିବାର ପୁଣି କୁକୁଡାଖଣ୍ଡି ବ୍ଲକ୍ ଦକ୍ଷିଣପୁର ପଞ୍ଚାୟତର ଗୁଣ୍ଠବନ୍ଧ ଗ୍ରାମକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି । ସେପଟେ ଜିଲ୍ଲାରେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପରିସ୍ଥିତି ସଙ୍ଗୀନ ହେଉଛି । ରବିବାର ସକାଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଗଞ୍ଜାମରେ ୨ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦିଆଯାଇଥିଲା । କିଛି ଘଣ୍ଟାପରେ ପ୍ରଥମ ରୋଗୀ କରୋନା ସଂକ୍ରମଣରୁ ମୃତ୍ୟୁ ହୋଇଥିବା ବେଳେ ଦ୍ୱିତୀୟ ରୋଗୀ ଗୁରୁତର ଥିବାବେଳେ ତାଙ୍କ ସ୍ୱାବ୍ ସଂଗ୍ରହକରି ପରୀକ୍ଷା ପାଇଁ ପଠାଯାଇଥିଲା । ସେହି ସମୟରେ ରୋଗୀଜଣକ ମୃତ୍ୟୁବରଣ କରିଥିବାରୁ ପ୍ରଥମେ ସରକାର କରୋନା ରୋଗଜନିତ କାରଣରୁ ମୃତ୍ୟୁ ବୋଲି ଘୋଷଣା କରିଥିଲେ । ପରେ ତାଙ୍କ ସ୍ୱାବ୍ ପରୀକ୍ଷାରୁ ନେଗେଟିଭ ଆସିବାପରେ ତାହା ସଂଶୋଧନକରି ପୁଣି ଜଣେ ମୃତ୍ୟୁ ବୋଲି ଘୋଷଣାକରି ସଂଶୋଧନ କରିଥିଲେ । ବର୍ତ୍ତମାନ ଜିଲ୍ଲାକୁ ପ୍ରାୟ ୫୦ହଜାର ପ୍ରବାସୀ ଓଡ଼ିଆ ଆସିଥିବା ବେଳେ ସେମାନଙ୍କୁ ୩ହଜାରରୁ ଊର୍ଦ୍ଧ୍ୱ ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପ ବା ସଙ୍ଗରୋଧ ଗୃହରେ ରଖାଯାଇଛି । ସେମାନଙ୍କ ମଧ୍ୟରୁ ଓ ହୋମ୍ କ୍ୱାରାଣ୍ଟାଇନ୍ରେ ଥିବା କିଛି ସ୍ଥାନୀୟ ଲୋକଙ୍କ ଠାରୁ ହିଁ ବର୍ତ୍ତମାନ ୨୯୨ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ପ୍ରବାସୀଙ୍କୁ ମଧ୍ୟ ପର୍ଯ୍ୟାୟକ୍ରମେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଛି । ଆଗକୁ ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି । ଏଥିରେ ଭୟଭୀତ ନହୋଇ ଏହାର ମୁକାବିଲା କିପରି କରିବା ତାକୁ ନେଇ ଏବେ ସମସ୍ତଙ୍କ ମନରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଛି । ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ, ଡାକ୍ତର, ନର୍ସଙ୍କ ମିଳିତ ଉଦ୍ୟମରେ ଏବେ କରୋନା ମୁକାବିଲା ସୁରୁଖୁରୁରେ ଚାଲିଛି । ଜିଲ୍ଲାରେ ୫ହଜାର ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ଖୋଲିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି ।