ଝାଂସୀ – ଉତର ପ୍ରଦେଶ-ମଧ୍ୟ ପ୍ରଦେଶ ସୀମା ସ୍ଥିତ ରକ୍ସା ନିକଟରେ ହଜାର ହଜାର ପ୍ରବାସୀ ଶ୍ରମିକ ରାତି ସାରା ଘରକୁ ଯିବାକୁ ଅପେକ୍ଷା କରିବା ପରେ ରବିବାର ସକାଳେ ଧୈର୍ଯ୍ୟ ହରାଇଛନ୍ତି । ଆକ୍ରୋଶିତ ଶ୍ରମିକ ପୋଲିସ ଉପରେ ପଥରମାଡ କରିଛନ୍ତି । ଘଟଣାର ଗମ୍ଭିରତାକୁ ଦୃଷ୍ଟିରେ ରଖି ସ୍ଥିତି ନିୟନ୍ତ୍ରଣ ଲାଗି ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଛି । ଏହା ପରେ ପ୍ରଶାସନ ସୀମାରେ ଜାମ ଖୋଲିବା ମାତ୍ରେ ଶ୍ରମ ଜୀବୀଙ୍କୁ ଯିବାକୁ ଅନୁମତି ଦେଇଛନ୍ତି ।
ଗତକାଲି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଆଦେଶ ପରେ ସ୍ଥାନୀୟ ପ୍ରଶାସନ ୟୁପି-ମଧ୍ୟ ପ୍ରଦେଶ ସୀମାରେ ସ୍ଥିତ ରକ୍ସା ଠାରେ ବିଭିନ୍ନ ରାଜ୍ୟରୁ ଚାଲି ଚାଲି ଆସିଥିବା ହଜାର ସଂଖ୍ୟାରେ ପ୍ରବାସୀ ଶ୍ରମିକଙ୍କୁ ଅଟଳାଇ ଦେଇଥିଲା । ପ୍ରଶାସନର କହିବା କଥା ଯେଉଁମାନେ ଚାଲି ଚାଲି ଆସିଛନ୍ତି ସମସ୍ତଙ୍କୁ ବସରେ ବସାଇ ପଠାଯିବ । ଏହା ବ୍ୟତୀତ ଯେଉଁମାନେ ଘରୋଇ ବସରେ ଆସିଛନ୍ତି ସେମାନଙ୍କୁ ମଧ୍ୟ ବସରେ ବସାଇ ପଠାଯିବ । ଏହା ମାନିବାକୁ ଶ୍ରମଜୀବୀ ପ୍ରସ୍ତୁତ ନଥିଲେ । ପ୍ରଶାସନର ଏହି ନିଷ୍ପତିକୁ ବିରୋଧ କରି ସେମାନଙ୍କୁ ଯିବାକୁ ଦିଆଯାଉ ବୋଲି ଜିଦ୍ ଧରି ବସିଥିଲେ । ଏହାକୁ ନେଇ ଗତ ରାତିରେ ବର୍ଡରରେ ଶ୍ରମିକ ଏକତ୍ରିତ ହୋଇଥିଲେ । ଫଳରେ କୋଟା ଶିବପୁରୀ ରାଜମାର୍ଗରେ ପ୍ରାୟ ୧୫-୨୦ କିଲୋମିଟର ଯାଏ ଜାମ ଲାଗି ଯାଇଥିଲା । ଅନ୍ୟପଟେ ୧୨ ଘଂଟା ସଡକ ଉପରେ ବସିଥିବା ଶ୍ରମିକଙ୍କ ସକାଳ ହେବା ମାତ୍ରେ ଧୈଯ୍ୟଚ୍ୟୁତ୍ ଘଟିଥିଲା । ଶ୍ରମିକମାନେ ଜବରଦସ୍ତି ସୀମା ଅତିକ୍ରମ କରିବାକୁ ଚେଷ୍ଟା କରିଥିଲେ । ବିଫଳ ହେବାରୁ ପୋଲିସ ଉପରେ ପଥର ମାଡ କରିଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ଲାଠିଚାର୍ଜ କରିବାକୁ ପଡିଥିଲା । ସ୍ଥିତିରେ ସୁଧାର ଆସିବା ଏବଂ ଜାମ ଖୋଲିବା ପରେ ଶ୍ରମ ଜୀବୀଙ୍କୁ ଯିବାକୁ ଅନୁମତି ଦିଆଯାଇଛି ।
ଉଲ୍ଲେଖଯୋଗ୍ୟ, ଶନିବାର ରାତି ୧୧ଟରାରୁ ଏ ଯାଏ ୟୁପି-ମଧ୍ୟ ପ୍ରଦେଶ ସୀମା ସଂପୂର୍ଣ୍ଣ ଭାବେ ସିଲ୍ ଅଛି । ଫଳରେ ରାସ୍ତାରେ ପ୍ରାୟ ୨୦ କିଲୋମିଟର ଯାମ ଲାଗି ଯାଇଥିଲା । ଅନ୍ୟପଟେ ଭୋକିଲା-ଶୋଷିଲାରେ ଶ୍ରମିକ ନିଜର ପୂରା ପରିବାର ସହ ଭୀଷଣ ଗରମରେ ଟ୍ରକରେ ବସିଥିଲେ । ପ୍ରଶାସନ ବୁଝାଇବା ପରେ ବି ସେମାନେ ମାନିବାକୁ ପ୍ରସ୍ତୁତ ନଥିଲେ । ରାତି ସାରା ପୋଲିସ ଓ ପ୍ରଶାସନ ହଜାର ହଜାର ଶ୍ରମିକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ।