-
ମୁଖ୍ୟ ଅଭିଯୁକ୍ତ ଗିରଫ ନ ହେଲେ ସମୁହ ଆତ୍ମହତ୍ୟା ଚେତାବନୀ
ବ୍ରହ୍ମପୁର : ସଦର ଥାନା କୁକୁଡାଖଣ୍ଡି ବ୍ଲକ୍ ଅନ୍ତର୍ଗତ ରୋହିଗାଁରେ ରାଜନୈତିକ ଶତ୍ରୁତାକୁ ନେଇ ହିଂସାକାଣ୍ଡ ହୋଇଥିବା ବେଳେ ଶନିବାର ଆକ୍ରମଣର ଶିକାର ହୋଇଥିବା ପୂର୍ଣ୍ଣଙ୍କ ପରିବାର ଏଏସ୍ପିଙ୍କୁ ସାକ୍ଷାତକରି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ପାଇଁ ନିବେଦନ କରିବା ସହ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାନଗଲେ ପରିବାରର ସମସ୍ତେ ଆତ୍ମହତ୍ୟା କରିବୁ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି । ପୂର୍ଣ୍ଣଙ୍କ ପରିବାର ପକ୍ଷରୁ ଏଏସ୍ପିଙ୍କୁ ସାକ୍ଷାତକରି ଏକ ଲିଖିତ ଅଭିଯୋଗ ପତ୍ର ଦେଇଛନ୍ତି । ଏଥିରେ ଉଲ୍ଲେଖ ରହିଛି ଯେ, ଆମକୁ ବୈଶିଷ୍ଠ୍ୟ ମାରିଦେବ, ଆପଣ ହିଁ ଆମକୁ ବଂଚାଇପାରିବେ । ବାରମ୍ବାର ସେ ଜେଲରୁ ଜାମିନରେ ଆସି ଆମ ପରିବାରର ଲୋକଙ୍କୁ ଧମକ ଦେବା ସହ ମରଣାନ୍ତକ ଆକ୍ରମଣ କରୁଛି । ଆମ ପରିବାରର ମୁଖ୍ୟ ସଦସ୍ୟ ଅଶୋକ ଜେନାଙ୍କୁ ହତ୍ୟା କରିବା ପରେ ବାରମ୍ବାର ଆମ ଘରର ଅନ୍ୟ ଜଣେ ସଦସ୍ୟ ପୂର୍ଣ୍ଣ ଜେନାଙ୍କୁ ମଧ୍ୟ ଆକ୍ରମଣ କରୁଛି । ପୁଲିସ ନିକଟରେ ଅଭିଯୋଗ କଲେ କେବଳ ସହଯୋଗୀମାନଙ୍କୁ ଗିରଫ କରୁଛି କିନ୍ତୁ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରୁନି । ଯଦି ସିଏ ଗିରଫ ନ ହୁଏ ସେ ପୁଣି ଆମ ପରିବାରର ଅନ୍ୟମାନଙ୍କୁ ମଧ୍ୟ ଜୀବନରେ ମାରିଦେବ । ଆମେ ତା ଦ୍ୱାରା ମରିବା ପୂର୍ବରୁ ନିଜେ ସମୂହ ଆତ୍ମହତ୍ୟା କରିଦେବୁ ବୋଲି କାନ୍ଦି କାନ୍ଦି ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟରେ ଏଏସପି ପ୍ରଭାତ ରାଉତରାୟଙ୍କୁ ଲିଖିତ ଅଭିଯୋଗ କରି ଦେଇଛନ୍ତି । ପୂର୍ଣ୍ଣଙ୍କ ବଡ ଭାଇ ପୂର୍ବତନ ବିଜେଡି ବ୍ଳକ ସଭାପତି ସୈନ୍ୟାସି ଜେନା ଏବଂ ତାଙ୍କ ଗ୍ରାମର ୨୦ରୁ ଉଦ୍ଦ୍ୱର୍ ମହିଳା ଏଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏଏସପି ଘଟଣାର ତଦନ୍ତ କରି ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଥିବା ଜଣାପଡିଛି । ବୈଶିଷ୍ଠ୍ୟ ତିନି ତିନିଟି ହତ୍ୟା ଏବଂ ହତ୍ୟା ଉଦ୍ୟମ ଘଟଣାରେ ସର୍ତମୂଳକ ଜାମିନରେ ଆସି ପୁଣି କିପରି ମରଣାନ୍ତକ ଆକ୍ରମଣ କରୁୁଛି ସେ ନେଇ ସେମାନେ ଅଭିଯୋଗ କରିବା ସହ ଏ ନେଇ କୋର୍ଟର ମଧ୍ୟ ଦ୍ୱାରସ୍ଥ ହେବା ସହ ତାଙ୍କ ଜାମିନକୁ କିପରି ରଦ୍ଦ କରାଯିବ ସେ ନେଇ ମଧ୍ୟ ତାଙ୍କ ଓକିଲ ସହ ଆଲୋଚନା କରିଥିବା କଥା କହିଛନ୍ତି । ପୂର୍ଣ୍ଣଙ୍କୁ ଚଳିତ ମାସ ୯ ତାରିଖରେ ଆକ୍ରମଣ କରାଯିବା ପରେ ତାଙ୍କ ବଡ ଭାଇ ସନ୍ୟାସୀ ଜେନା ମୁଖ୍ୟ ଅଭିଯୁକ୍ତ ବୈଶିଷ୍ଠ୍ୟଙ୍କ ସହ ୬ଜଣଙ୍କ ନାମରେ ଏତଲା ଦେଇଥିଲେ । ପୁଲିସ ୬ଜଣଙ୍କ ମଧ୍ୟରୁ କେବଳ ୪ଜଣ ଟୁନା, ପ୍ରଭାକର, ଭିକୁ ଏବଂ ଟୁଲୁଙ୍ୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ବୈଶିଷ୍ଠ୍ୟ ଏବଂ ତାଙ୍କ ଅନ୍ୟ ଜଣେ ସହଯୋଗୀଙ୍କୁ ଗିରଫ କରାଯାଇନଥିବା କହିଛନ୍ତି । ବୈଶିଷ୍ଠ୍ୟ ଏବେ ଗ୍ରାମରେ ବୁଲୁଥିବା ବେଳେ ପୁଲିସ କାହିଁକି ଗିରଫ କରୁନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ୨୦୧୫ ସେପ୍ଟମ୍ବର ୯ ତାରିଖରେ ବୈଶିଷ୍ଠ୍ୟ ପୂର୍ଣ୍ଣ ଜେନାଙ୍କୁ ଆକ୍ରମଣ କରିଥିବା ବେଳେ ୧୨ ଜଣଙ୍କ ନାମରେ ଏତଲା ହୋଇଥିଲା । ପୁଣି ୨୦୧୫ ଅକ୍ଟୋବର ୧୨ରେ ବୈଶିଷ୍ଠ୍ୟ ଏବଂ ୯ଜଣ ମିଶି ପୂର୍ଣ୍ଣଙ୍କ ଭାଇ ଶଙ୍କରଙ୍କୁ ଆକ୍ରମଣ କରିଥିଲେ । ସେହିପରି ୨୦୧୭ ମାର୍ଚ୍ଚ ୧୭ ତାରିଖରେ ବୈଶିଷ୍ଠ୍ୟ ଏବଂ ତାଙ୍କ ୧୦ ସହଯୋଗୀ ପୂର୍ଣ୍ଣଙ୍କ ଭାଇ ଅଶୋକ ଜେନାଙ୍କୁ ରୋହିଗାଁ ମଝିରେ ହତ୍ୟା କରିଥିଲେ । ଏହି ତିନୋଟି ଘଟଣାରେ ବୈଶିଷ୍ଠ୍ୟ ଏବଂ ସହଯୋଗୀମାନେ ଜେଲ ଯାଇ ଜାମିନରେ ଆସି ପୁଣି ଗ୍ରାମରେ ଦବଦବା ଚଲାଇବା ସହ ପୂର୍ଣ୍ଣଙ୍କ ପରିବାରକୁ ଆକ୍ରମଣ କରୁଛନ୍ତି । ବୈଶିଷ୍ଠ୍ୟ ଏବଂ ତାଙ୍କର ଅନ୍ୟ ଜଣେ ସହଯୋଗୀ ବାବୁଲାଙ୍କୁ ପୁଲିସ ଗିରଫ ନକଲେ ସେମାନେ ପୁଣି ଚିକିତ୍ସିତ ଅବସ୍ଥାରେ ପୂର୍ଣ୍ଣଙ୍କୁ ଆକ୍ରମଣ କରିବା ସହ ସନ୍ୟାସୀଙ୍କୁ ମଧ୍ୟ ଆକ୍ରମଣ କରିପାରନ୍ତି ବୋଲି ଭୟଭିତ ହୋଇ ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟରେ ଏଏସପିଙ୍କୁ ଭେଟି ଅଭିଯୋଗ କରିଛନ୍ତି ।