ବ୍ରହ୍ମପୁର: ଆଗକୁ ବର୍ଷାଦିନ ଥିବାରୁ ସହର ମଧ୍ୟରେ ଦେଇ ଯାଇଥିବା ନାଳନର୍ଦ୍ଦମା ଓ ରାସ୍ତାଘାଟ ବୁଲି ଦେଖିଛନ୍ତି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା । ବିଭାଗୀୟ ଅଧିକାରୀମାନଙ୍କୁ ସାଙ୍ଗରେ ନେଇ କିପରି ବର୍ଷାଦିନ ପୂର୍ବରୁ ନାଳନର୍ଦ୍ଦମା ସଫା ହେବା ସହ ରାସ୍ତାଘାଟ ମରାମତି ହେବ ସେଥି ଉପରେ ଗୁରୁତ୍ୱ ଦିଆଯାଇଛି । ବର୍ତ୍ତମାନ ସାମାନ୍ୟ ବର୍ଷାହେଲେ ସହରର ବିଭିନ୍ନ ସାହି ଗଳିକନ୍ଦିରେ କୃତ୍ରିମ ବନ୍ୟା ପରିସ୍ଥିତି ଉପୁଜୁଛି । ଯାହାଫଳରେ ବସବାସ କରୁଥିବା ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସମଦୂରତା ରକ୍ଷାକରି ସହରର ବିଭିନ୍ନ ସାହି ଗଳିକନ୍ଦିରେ ଡ୍ରେନ୍ଜନିତ ସମସ୍ୟା ଦେଖି ଏହାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗଜପତିନଗର, ଜୟପ୍ରକାଶନଗର, ଖୋଡାସିଂ, ଅର୍ଯ୍ୟଧାନଗର, ଗେଟ୍ବଜାର, ଲୁଚାପଡା ରୋଡ୍ ଆଦି ଅଞ୍ଚଳରେ ଥିବା ଡ୍ରେନ୍ଗୁଡିକ ବୁଲି ଦେଖିବା ସହ ତୁରନ୍ତ ପୁରୁଣା ଡ୍ରେନ୍ ସଫା କରିବା ସହ ନୂତନ ଡ୍ରେନ୍ ନିର୍ମାଣ ପ୍ରତି ଗୁରୁତ୍ୱ ଦେବାକୁ କୁହାଯାଇଛି । ବିଧାୟକଙ୍କ ଗସ୍ତ ସମୟରେ ଜନସ୍ୱାସ୍ଥ୍ୟ ବିଭାଗ ନିର୍ବାହୀଯନ୍ତ୍ରୀ ଶୀତାରାମ ପଣ୍ଡା, ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀଯନ୍ତ୍ରୀ ପ୍ରଦୀପ କୁମାର ଜେନା, ସହକାରୀଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ସମେତ ନିଗମର ଡେପୁଟି କମିଶନର, ବିଜେଡି ନେତା ତୁମ୍ବନାଥ ପଣ୍ଡା, ବନମାଳି ସେଠୀ, ଆର୍.ଶ୍ରୀନିବାସଙ୍କ ସମେତ ବହୁ ଅଞ୍ଚଳବାସୀ ଉପସ୍ଥିତ ଥିଲେ ।
Related Stories
November 23, 2024