ବ୍ରହ୍ମପୁର :ଗୁଜରାଟ ର ସୁରତରୁ ବାହାରିଥିବା ୪ଟି ବସ ବିଳମ୍ବିତ ରାତିରେ ଆସି ଓଡ଼ିଶାରେ ପହଞ୍ଚିଛି । ତିନି ଦିନ ବସ୍ ଯୋଗେ ଯାତ୍ରା ପରେ ସୁରତରୁ ଗଞ୍ଜାମକୁ ଫେରିଛନ୍ତି ପ୍ରବାସୀ ଓଡ଼ିଆ l ଚାରୋଟି ବସ୍ ରେ ୨୨୮ ଜଣ ପ୍ରବାସୀ ଓଡ଼ିଆ ଆସିଛନ୍ତି । ସେଥିମଧ୍ୟରୁ ଧରାକୋଟ ବ୍ଲକ ଆଦର୍ଶ ବିଦ୍ୟାଳୟ ପରିସରରେ ଥିବା କୁଶଗୁମା ଛାତ୍ରୀ ନିବାସ ରେ ଦୁଇଟି ବସ ଯୋଗେ ୧୧୪ ଜଣ ପହଞ୍ଚିଛନ୍ତି ।
ସେହିଭଳି ଶେରଗଡ଼ ଆଦର୍ଶ ବିଦ୍ୟାଳୟ ରେ ୧୧୪ ଜଣ ପ୍ରବାସୀ ଓଡ଼ିଆ ପହଞ୍ଚିଛନ୍ତି । ସେମାନଙ୍କୁ ଜିଲ୍ଲା ପ୍ରଶାସନ ର କଡ଼ା ସୁରକ୍ଷା ମଧ୍ୟରେ ବିଳମ୍ବିତ ରାତିରେ କ୍ୱାରେଣ୍ଟାଇନ ରୁମକୁ ପଠାଯାଇଥିଲା । ବିଳମ୍ବିତ ରାତିରେ ସ୍ଥାନୀୟ ବିଡ଼ିଓ, ତହସିଲଦାର,ପୋଲିସ ବିଭାଗ ଓ ଡାକ୍ତରୀ ଟିମ ଉପସ୍ଥିତ ଥିବା ଦେଖିବାକୁ ମିଳିଛି l କ୍ୱାରେଣ୍ଟାଇନ କକ୍ଷ ରେ ସମସ୍ତ ସୁବିଧା ରଖାଯାଇଥିବା ବେଳେ ଡାକ୍ତରୀ ଟିମ , ୪ଟି ଆମ୍ବୁଲାନ୍ସ, ଅଗ୍ନିଶମ ବିଭାଗ ର ଗୋଟିଏ ଟିମ ଉପସ୍ଥିତ ରହିଛନ୍ତି । ପ୍ରବାସୀ ଓଡ଼ିଆ ମାନଙ୍କ ପାଇଁ ରାଜ୍ୟ ସରକାର ଙ୍କ ଗାଇଡ଼ ଲାଇନ ଅନୁଯାୟି ପ୍ରଥମେ ୧୪ ଦିନ କ୍ୱାରେଣ୍ଟାଇନ ରେ ରହିବେ । ସେମାନଙ୍କ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ଖାଇବା ପିଇବା ଓ ଚିକିତ୍ସା ବ୍ୟବସ୍ତା କରିଛନ୍ତି ।