ବ୍ରହ୍ମପୁର: ଗତ ରବିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କ ସହ ଆଲୋଚନାକରି ଗୁଜୁରାଟରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ତାଙ୍କ ଭିଟାମାଟିକୁ ଫେରାଇବା ପାଇଁ ବସ୍ ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଥିଲେ । ଏହି ମର୍ମରେ ଗୁଜୁରାଟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗୁଜୁରାଟ ରାଜ୍ୟ ସୁରଥ ଜିଲ୍ଲାରୁ ୨ଟି ସ୍ଥାନ ପାଣ୍ଡେସରାରୁ ୩ଟି ବସ୍ଯୋଗେ ୧୭୧ଜଣ ଓ ସୟନରୁ ଗୋଟିଏ ବସ୍ରେ ୫୭ଜଣ ଏଭଳି ମୋଟ ୨୨୮ଜଣଙ୍କୁ ନେଇ ୪ଟି ବସ୍ ସୋମବାର ସନ୍ଧ୍ୟା ୬.୩୦ମିନିଟ୍ରେ ଓଡ଼ିଶା ଅଭିମୁଖେ ତାର ଯାତ୍ରା ଆରମ୍ଭ କରିଛି । ପ୍ରତ୍ୟେକ ବସ୍ରେ ଜଣେ ଜଣେ ଟିମ୍ ଲିଡରକୁ ଦାୟୀତ୍ୱ ଦିଆଯାଇଛି । ଏହି ଟିମ୍ ଲିଡରମାନେ ସେମାନଙ୍କ ଖାଇବା, ପିଇବା ଓ ଆନୁସଙ୍ଗିକ ବ୍ୟବସ୍ଥା କରି ଓଡ଼ିଶାର ଗଞ୍ଜାମ ଫେରିବା ପାଇଁ ଯାତ୍ରା ଆରମ୍ଭ କରିଛନ୍ତି । ପାଣ୍ଡେସରା ଅଞ୍ଚଳରୁ ଧରାକୋଟ ବ୍ଲକ୍ ମୁଣ୍ଡମରାଇକୁ ଗୋଟିଏ ବସ୍, ସୋରଡା ବ୍ଲକ୍ ସରଧାପୁରକୁ ଗୋଟିଏ, ବେଲଗୁଣ୍ଠା ବ୍ଲକ୍ ଚଢ଼େୟାପଲ୍ଲୀକୁ ଗୋଟିଏ ଓ ଅନ୍ୟ ବସ୍ରେ ଆସିକା ଅଞ୍ଚଳର ୫୭ଜଣ ଫେରୁଥିବା ଜଣାପଡିଛି । ସୁରଥ ଜିଲ୍ଲାପାଳ ଗଞ୍ଜାମ ଜିଲ୍ଲାପାଳଙ୍କ ସହ ଆଲୋଚନାକରି ସମସ୍ତ ନଥିପତ୍ର ପ୍ରସ୍ତୁତକରି ପଠାଇଥିବା ଜଣାପଡିଛି । ଗୁଜୁରାଟରେ ରହୁଥିବା ପ୍ରବାସୀ ଓଡ଼ିଆ ପରିବାରର ସହଯୋଗରେ ଏମାନଙ୍କୁ ପଠାଯାଇଥିବା ଜଣାପଡିଛି ।