ବ୍ରହ୍ମପୁର : ବ୍ରହ୍ମପୁର ଏସ୍ପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଏସ୍ଡିପିଓ ବିଷ୍ଣୁ ପ୍ରସାଦ ପତି ଓ ବୈଦ୍ୟନାଥପୁର ଥାନା ପୁଲିସ ମଙ୍ଗଳବାର ରାତିରେ ଲାଞ୍ଜିପଲ୍ଲି ବାଇପାସ୍ ନିକଟରେ ଥିବା ଏକ ଦେଶୀ ମଦ ଭାଟି ଉପରେ ଚଢାଉ କରିଥିଲା । ସେଠାରୁ ୪୭୪୦ ଲିଟର ଦେଶୀ ମଦ ସହ ୨୩୮୦୦ ଲିଟର ପୋଚ ଜବତ କରିଥିଲେ । ଏହା ସହ ୩୦ଟି ମଦ ଭର୍ତି ଜାର୍କିନ ମଧ୍ୟ ଜବତ କରାଯାଇଛି । କିଛି ସମୟପରେ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ଦେଶୀ ଭାଟିରେ ପହଞ୍ôଚ ସ୍ଥିିତି ଅନୁଧ୍ୟାନ କରିଥିଲେ । ପୁଲିସ ଉକ୍ତ ଦେଶୀ ମଦ ଭାଟି ମଧ୍ୟରୁ ଦୁଇଟି ପଲିଥିନ୍ ପ୍ୟାକ୍ ମେସିନ୍ ମଧ୍ୟ ଜବତ କରିଥିବା ଜଣାପଡିଛି । ଏହି ଘଟଣାରେ ପୁଲିସ ୧୪ଜଣଙ୍କୁ ଗିରଫ କରିଛି । ସମ୍ପୃକ୍ତ ୧୪ ଜଣଙ୍କ ମଧ୍ୟରେ ବଲାଙ୍ଗିର ଅଞ୍ଚଳର ଶ୍ରମିକ ରହିଥିବା ଜଣାପଡିଛି । ସମସ୍ତ ଜବତ ସାମଗ୍ରୀକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସିଲ୍ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି । ସେହିପରି ଗତକାଲି ପୁଲିସ ନୂଆ ବସ୍ଷ୍ଟାଣ୍ଡଠାରେ ୨ ଜଣ ଖୋଲାଖୋଲି ଭାବେ ବିଦେଶୀ ମଦ ବିକ୍ରି କରୁଥିବା ବେଳେ ଗିରଫ କରିଛି । ଏହା ପୂର୍ବରୁ ବଡବଜାର ଥାନା ପୁଲିସ ସ୍ଥାନୀୟ ବଡବଜାର ଅଂଚଳରୁ ମଧ୍ୟ ଜଣେ ମଦ ଦୋକାନ ମାଲିକଙ୍କଠାରୁ ବହୁ ପରିମାଣର ବିଦେଶୀ ମଦ ଜବତ କରିବା ସହ ମାଲିକ ଏବଂ କର୍ମଚାରୀ ଉଭୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲେ । ସବୁ ମଦ ଜବତ ଏବଂ ଧରପଗଡ ପୁଲିିସ ପକ୍ଷରୁ ହେଉଥିବା ବେଳେ ଅବକାରୀ ବିଭାଗ କେବଳ ନୀରବଦ୍ରଷ୍ଟା ସାଜିଛି ।
Related Stories
November 25, 2024