ବ୍ରହ୍ମପୁର : ଦୀର୍ଘ ୧ମାସରୁ ଊର୍ଦ୍ଧ୍ୱ ସମୟ ଧରି ଲକ୍ ଡାଉନ୍ରେ ଥିବା ରେଶମ ସହରବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତ ମିଳିଛି । ସହରରେ ମଙ୍ଗଳବାର ସ୍ୱଭାବିକ୍ ପରିସ୍ଥିତି ଦେଖିବାକୁ ମିଳିଛି । ଜନସାଧାରଣ ଏବେ ପୂର୍ବଭଳି ବାଇକ୍ ନେଇ ବଜାରକୁ ଆସୁଛନ୍ତି । କୋଉଠି ବି ସାମାଜିକ ଦୂରତା ରହୁନାହିଁ । ସମ୍ବେଦନଶୀଳ ପରିସ୍ଥିତିକୁ ଲୋକ ବୁଝୁନଥିବା ବେଳେ କରୋନା ସଂକ୍ରମଣକୁ ନେଇ ମଧ୍ୟ ଭୟ ସୃଷ୍ଟି ହୋଇଛି । ବ୍ରହ୍ମପୁର ସହରକୁ କୌଣସି ବାହାର ଲୋକଙ୍କୁ ପ୍ରବେଶ ମନା କରାଯାଇଛି ଏବଂ ସହରକୁ ବ୍ଲକିଂ କରି ରଖାଯାଇଛି । କିନ୍ତୁ ସହର ଭିତରେ ରହୁଥିବା ଲୋକ କୌଣସି କଟକଣାକୁ ମାନୁ ନଥିବା ଦେଖିବାକୁ ମିଳିଛି । ସକାଳ ୭ରୁ ଦିନ ୧୨ଟା ପର୍ଯ୍ୟନ୍ତ ସାଧାରଣ ଦିନ ଭଳି ସହର ଗହଳି ରହୁଥିବା ବେଳେ ଦିନ ୨ଟା ପରେ ଶୂନ୍ଶାନ୍ ହୋଇଯାଇଛି । ଲକ୍ଡାଉନ୍ କଟକଣା କୋହଳ ହେବା ପରେ ବ୍ରହ୍ମପୁର ମହାନଗର ନିଗମରେ ବିଭିନ୍ନ ଦୋକାନ ଖୋଳିବାକୁ ନେଇ ସାଧାରଣ ଲୋକଙ୍କ ଭିତରେ ଦ୍ୱନ୍ଦ୍ୱ ରହିଥିବା ଜାଣି ବିଏମ୍ସି କର୍ତ୍ତୃପକ୍ଷ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ସହ ଆଲୋଚନାକରି ଜନସାଧାରଣଙ୍କ ସନ୍ଦେହ ଦୂର କରିବା ପାଇଁ କେଉଁ ଦୋକାନ ଖୋଲା ରହିବ ଓ କେଉଁ ଦୋକାନ ବନ୍ଦ ରହିବ ତାହାର ସର୍ବିଶେଷ ତାଲିକା ମଙ୍ଗଳବାର ସନ୍ଧ୍ୟାରେ ଜାରି କରାଯାଇଥିବା କମିଶନର ଚକ୍ରବର୍ତ୍ତି ସିଂ ରାଥୋଡ ସୂଚନା ଦେଇଛନ୍ତି ।
ଖୋଲା ରହିବ
ବଢ଼େଇ କାମ, ପ୍ଲମ୍ବର କାମ, ଇଲେଟ୍ରିସିଆନ୍, ଟିଭି ମରାମତି କରାଯିବ ଏବଂ ଏହାର ପାର୍ଟସ୍ ଦୋକାନ ଖୋଲା ରହିବ । ଇଲେଟ୍ରିସିଆନ୍, ବଢ଼େଇ ଓ ପ୍ଲମ୍ବର ମାନେ ସକାଳ ୭ଟାରୁ ୧୨ଟା ଭିତରେ ଘରକୁ ଯାଇ ମଧ୍ୟ କାମ କରିପାରିବେ ।
କୋଠାବାଡ଼ି କାମ ପାଇଁ ଆବଶ୍ୟକ ସାମଗ୍ରୀ ଦୋକାନ, ସିମେଣ୍ଟ, ପେଇଣ୍ଟ, ହାର୍ଡୱେର ଦୋକାନ ସକାଳ ୭ରୁ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ । ଘରୋଇ କୋଠା କାମ ପାଇଁ ସଂପୃକ୍ତ ସଂସ୍ଥା କିମ୍ବା ଘର ମାଲିକ ବିଏମ୍ସିର ଅନୁମତି ନେବେ । ବିନା ଅନୁମତିରେ କାମ କରିପାରିବେ ନାହିଁ । ନିଜ ବ୍ୟବସ୍ଥାରେ ସେ ଶ୍ରମିକଙ୍କୁ କ୍ୟାମ୍ପ କରି ରଖିବେ । ବଢ଼େଇଙ୍କୁ ଜିନିଷ ଯୋଗାଇବା ପାଇଁ ପ୍ଲାଏ, ଆଇନା, ଗ୍ଲାସ୍ପେନ୍ ଦୋକାନ ସକାଳ ୭ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଖୋଲା ରଖିବା ପାଇଁ ବିଏମ୍ସି କର୍ତ୍ତୃପକ୍ଷ ସହରର ପୋଲିସ ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନାକରି ଏଭଳି ପଦକ୍ଷେପ ନେଇଥିବା କମିଶନର ସୂଚନା ଦେଇଛନ୍ତି ।
ବନ୍ଦ ରହିବ
ଗିପ୍ଟ ଦୋକାନ, ମୋବାଇଲ୍ ରିଚାର୍ଜ, ଜେରକ୍ସ, ଫଟୋ ଷ୍ଟୁଡିଓ, ବହି ଓ ଷ୍ଟେସନାରୀ ଦୋକାନ, ଟେଇଲର ଦୋକାନ, ଜୁସ୍ ପାର୍ଲର, ଲୁଗା, ସୁନା, ସେଲୁନ୍ ଓ ଲେଡିସ୍ କର୍ଣ୍ଣର ବିଏମ୍ସି ଅଞ୍ଚଳରେ ଥିବା ଦୁଇଚକିଆ ଓ ଚାରି ଚକିଆ ଗାଡ଼ି ଗ୍ୟାରେଜ୍ ଏବଂ ଏହାର ପାର୍ଟସ୍, ଇଣ୍ଟରନେଟ୍ କେଫ, ରାସ୍ତାକଡ଼ ଖାଦ୍ୟ ଦୋକାନ, ଚା’ଦୋକାନ, ମୋବାଇଲ୍ ଓ ଇଲେକ୍ଟୋନିକ୍ସ ବିକ୍ରି ମନା କରାଯାଇଥିବା କମିଶନର ଚକ୍ରବର୍ତ୍ତି ସିଂ ରାଥୋଡ ସୂଚନା ଦେଇଛନ୍ତି ।