ବ୍ରହ୍ମପୁର : କରୋନା ପାଇଁ ନିର୍ଦ୍ଧାରିତ ହୋଇଥିବା ନିୟମାବଳୀ ପରିପ୍ରେକ୍ଷୀରେ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ପାଳନ କରିବା ଓ ଗ୍ରୀଷ୍ମ ପ୍ରବାହରୁ ଗ୍ରାହକଙ୍କୁ ସୁରକ୍ଷା ଦେବା ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ପ୍ରଦତ୍ତ ଆଦେଶ ଅନୁକ୍ରମେ ବ୍ୟାଙ୍କ କାର୍ଯ୍ୟନିର୍ଘଣ୍ଟ ପ୍ରତ୍ୟହ ପୂର୍ବାହ୍ନ ୭ଘଣ୍ଟାଠାରୁ ଅପରାହ୍ନ ୨ଘଣ୍ଟା ପର୍ଯ୍ୟନ୍ତ ଚାଲୁ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଗ୍ରାହକଙ୍କ ସେବା ଅପରାହ୍ନ ୧ ଘଣ୍ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ ।
ଏଥି ସହିତ ସମସ୍ତ ଗ୍ରାହକ ଯେପରି ସାମାଜିକ ଦୂରତ୍ୱ ଅବଲମ୍ବନ କରିବେ ତାହା ସମ୍ପୃକ୍ତ ବ୍ୟାଙ୍କ ସୁନିଶ୍ଚିତ କରିବେ । ଗ୍ରାହକମାନଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି । ବ୍ୟାଙ୍କରେ ଅଧିକ ଗହଳି ନକରିବା ପାଇଁ କୁହାଯାଇଛି । ଏହା ଗଞ୍ଜାମ ଜିଲ୍ଲାର ସମସ୍ତ ଜାତୀୟ କରଣ ବ୍ୟାଙ୍କ, ଘରୋଇ ବ୍ୟାଙ୍କ, ଗ୍ରାମ୍ୟ ବ୍ୟାଙ୍କ ଓ ସମବାୟ ବ୍ୟାଙ୍କ ପ୍ରତି ଅବିଳମ୍ବେ ଲାଗୁ ହେବ । ଏପ୍ରିଲ ୨୨ ତାରିଖଠାରୁ ସମସ୍ତ ବ୍ୟାଙ୍କ ଏହି ସମୟ ନିର୍ଘଣ୍ଟ ମୁତାବକ କାର୍ଯ୍ୟ କରିବେ । ଯେଉଁ ବ୍ୟାଙ୍କ କରୋନା ନିୟମାବଳୀକୁ ଅମାନ୍ୟ କଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପାଳ ସୂଚାଇ ଦେଇଛନ୍ତି ।