ଧର୍ମଶାଳା– ଗତକାଲି ଯାଜପୁର ଜିଲାରେ କରୋନା ସ୍ଥିତି ଅନୁଧ୍ୟାନ କରିବା ଓ ଲକ୍ ଡାଉନ ସମୟରେ ଚେକିଂ କରିବାକୁ ଯାଇଥିବା ପ୍ରଶାସନିକ ଅଧିକାରୀଙ୍କ ଉପରେ କିଛି ସ୍ଥାନୀୟ ଯୁବକ ସଂଘବଦ୍ଧ ଆକ୍ରମଣ କରିଥିଲେ । କୁଆଖିଆ ଥାନା ରସୁଲପୁର ବ୍ଳକ ବଡକଇଂଚି ପଂଚାୟତ ଅନ୍ତର୍ଗତ ଗୋପିନାଥପୁର ଗାଁରେ ଏଭଳି ଘଟଣା ଘଟି ଯାଇଥିବା ବେଳେ ଏହି ଘଟଣାରେ ଆଜି କୁଆଖିଆ ପୁଲିସ ଅନ୍ୟ ୫ ଜଣଙ୍କୁ ଗିରଫ କରିଛି । ଫଳରେ ମାମଲାରେ ମୋଟ ଗିରଫ ସଂଖ୍ୟା ୮ରେ ପଂହଚିଛି ।
ଆଜି କୁଆଖିଆ ପୁଲିସ ସଦଳବଳେ ଗୋପିନାଥପୁର ସଂଖ୍ୟାଲଘୁ ସାହିରେ ଚଢ଼ଉ କରି ଅବଦୁଲ ସଲାମ ଖାଁଙ୍କ ପୁଅ ସୁଲତାଲ(୨୩), ଉମର ଖାଁଙ୍କ ପୁଅ ରବାନୀ(୨୪), ଅବଦୁଲ ସଲାମ ଖାଁଙ୍କ ପୁଅ ଗୁଫରାନ(୨୨), ସ୍ୱର୍ଗତ କୋବଦ ଖାଁଙ୍କ ପୁଅ ଅବଦୁଲ ସଲାମ ଖାଁ(୫୫) ଏବଂ ବିଂଝାରପୁର ଅଂଚଳର ସ୍ୱର୍ଗତ ଇବ୍ରାହିମ୍ ଖାଁଙ୍କ ପୁଅ ଅସରଫ ଅଲ୍ଲୀ(୩୦)ଙ୍କୁ ଗିରଫ କରିଛି । ସେମାନଙ୍କୁ ଅଧିକ ଜେରା ପରେ କୋର୍ଟ ଚାଲାଣ କରାଯିବ ବୋଲି କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି ।
ସୂଚନା ଥାଉ କି, ଗତକାଲି ଅପରାହ୍ନରେ ଯାଜପୁର ଜିଲାପାଳ ରଂଜନ କୁମାର ଦାସଙ୍କ ନେତୃତ୍ୱରେ ଯାଇଥିବା ଏକ ଟିମ୍ ରସୁଲପୁର ଅଂଚଳରେ ଲକ୍ ଡାଉନର ସ୍ଥିତି ଅନୁଧ୍ୟାନ କରିଥିଲେ । ରସୁଲପୁର ବିଡିଓ ଉମାକାନ୍ତ ପରିଡା ଓ ତହସିଲଦାର ଜ୍ୟୋତିକାନ୍ତ ଭୂଜବଳ ପ୍ରମୁଖ ଅନ୍ୟ ଅଧିକାରୀଙ୍କ ସହ ଯାଉଥିବା ସମୟରେ ବିପରିତ ଦିଗରୁ ଆସୁଥିବା କିଛି ବାଇକ୍ ଚାଳକ ମାକ୍ସ ଓ ହେଲମେଂଟ ଲଗାଇ ନଥିବାର ଦେଖି ସେମାନଙ୍କୁ ଅଟକାଇଥିଲେ । ହେଲେ ଯୁବକମାନେ ଗୋପିନାଥପୁର ଗାଁ ଭିତରକୁ ଚାଲିଯାଇଥିଲେ । ସେମାନଙ୍କ ପିଛା କରି ଅଧିକାରୀମାନେ ଉକ୍ତ ଗ୍ରାମରେ ପଂହଚିବା ପରେ ଗ୍ରାମର ୩୦ରୁ ୪୦ ଜଣ ଲୋକେ ସେମାନଙ୍କୁ ଆକ୍ରମଣ କରିଥିଲେ । ଖବର ପାଇ ଜିଲାପାଳ ରଞ୍ଜନ କୁମାର ଦାସ ଘଟଣାସ୍ଥଳରେ ପଂହଚିବା ପରେ ତାଙ୍କୁ କେତେକ ବ୍ୟକ୍ତି ଦୁର୍ବ୍ୟବହାର କରିଥିଲେ । ଖବର ପାଇ ଯାଜପୁର ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ଘଟଣାସ୍ଥଳରେ ପଂହଚି ଗ୍ରାମର ସ୍ଥିତି ଅନୁଧ୍ୟାନ କରିବା ସହିତ ବ୍ୟାପକ ପୁଲିସ ମୁତୟନ କରିଥିଲେ । କରୋନା ଯୋଦ୍ଧାଙ୍କ ଉପରେ ଏ ଭଳି ସଂଘବଦ୍ଧ ଆକ୍ରମଣ ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଦୃଢ଼ ନିନ୍ଦା କରାଯାଇଛି । ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ବିଶେଷମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି ।