
ଗଞ୍ଜାମ– ଗତକାଲି ସଂନ୍ଧ୍ୟାରେ କାଳ ବୈଶାଖୀ ବର୍ଷାରେ ଗଞ୍ଜାମ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ବ୍ୟାପକ ପନିପରିବା ଫସଲ ନଷ୍ଟ ହୋଇଛି । ଆସିକା ଥାନା ଅନ୍ତର୍ଗତ କାଳଷଣ୍ଡପୁର ଗ୍ରାମର ଅଜୟ ବିଶ୍ୱାଳ ନାମକ ୨୭ ବର୍ଷିୟ ଯୁବକ ଋଷିକୂଲ୍ୟା ନଦୀକୁ ଶୌଚ ପାଇଁ ଯାଇଥିବା ବେଳେ ବଜ୍ରପାତରେ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ସେଠାରୁ ଉଦ୍ଧାର କରି ଆସିକା ଉପଖଣ୍ଡ ଡ଼ାକ୍ତରଖାନାରେ ଭର୍ତି କରିଥିଲେ । କିନ୍ତୁ, ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆସିକା ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏ ସଂକ୍ରାନ୍ତରେ ଥାନା ପକ୍ଷରୁ କେସ୍ ନଂ ୭/୨୦ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଛି । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।
ଅନୁରୂପ ଭାବେ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଖଲିଙ୍ଗି ଗ୍ରାମରେ ବଜ୍ରପାତରେ ଏକ ନଡ଼ିଆ ଗଛର ଅଗ୍ରଭାଗ ହୁତୁ ହୁତୁ ହୋଇ ଜଳିଯାଇଥିବା ଦେଖିବାକୁ ମିଳିଥିଲା ।