-
ଅସହାୟ ଲୋକଙ୍କ ପାଇଁ ବିପଦର ବନ୍ଧୁ ସାଜିଲେ ପୂର୍ବତନ ସାଂସଦ
ବାଲେଶ୍ବର, କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ – କରୋନା ଭୂତାଣୁ ପାଇଁ ସମଗ୍ର ବିଶ୍ବ ଏକ ଅଭାବନୀୟ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ଅନେକ ଲୋକଙ୍କ ପାଇଁ ଏହା ଦାରୁଣ ବିପତ୍ତି ଭାବେ ଉଭା ହୋଇଛି। ସମାଜରେ ଦୈନନ୍ଦିନ ରୋଜଗାର କରି ନିଜର ଜୀବକା ନିର୍ବାହ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଏହା ବିରାଟ ଆହ୍ବାନ ସୃଷ୍ଟି କରିଛି। ଏପରି ସ୍ଥିତିରେ ଅଭାବ ଅସୁବିଧାରେ ଥିବା ପରିବାରର କଥା ନିରନ୍ତର ଚିନ୍ତା କରୁଛନ୍ତି ବାଲେଶ୍ଵରର ପୂର୍ବତନ ସାଂସଦ ଇଂ ରବୀନ୍ଦ୍ର କୁମାର ଜେନା।ଆରମ୍ଭରୁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ଫଣ୍ଡକୁ ନିଜର ଏଯାବତ ପ୍ରାପ୍ତ ସମସ୍ତ ଅର୍ଥରାଶିକୁ ଦାନ କରିବା ସହ ବିଭିନ୍ନ ସମୟରେ ବହୁ ଅଭାବୀ ପରିବାରକୁ ସାହାଯ୍ୟ କରିଆସୁଥିବାର ଦେଖାଯାଇଛି। ଗତକାଲି ପୁନଶ୍ଚ ଶ୍ରୀଜେନା ବିଭିନ୍ନ ସଂଘ ମାଧ୍ୟମରେ ସେମାନଙ୍କ ସଦସ୍ୟମାନଙ୍କୁ ସହାୟତାର ହାତ ବଢାଇବାକୁ ଏକ କ୍ଷୁଦ୍ର ପ୍ରୟାସ କରିଛନ୍ତି।
ବାଲେଶ୍ବର ସହରର ବିଭିନ୍ନ ଛକ ସ୍ଥାନରେ ରହି ଦୈନନ୍ଦିନ ଯାତ୍ରୀ ପରିବହନ କରି ନିଜର ପରିବାର ପ୍ରତିପୋଷଣ କରୁଥିବା ୬୦୦ ଅଟୋ ଚାଳକଙ୍କ ଜୀବନ ଦୁର୍ବିସହ ହୋଇ ପଡିଥିବା ଅନୁଭବ କରି ସେମାନଙ୍କ ସଂଘ ମାଧ୍ୟମରେ ଶନିବାର ଦିନ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ବଣ୍ଟନର ବ୍ୟବସ୍ଥା କରିଛନ୍ତି ପୂର୍ବତନ ସାଂସଦ ଇଂ ରବୀନ୍ଦ୍ର ଜେନା।
“ଆମ ସହରର ଅର୍ଦ୍ଧାଧିକ ଲୋକ ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବା ପାଇଁ ସକାଳ ଠାରୁ ସଂଜ ଯାଏଁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ। ଏବେ କଟକଣା ଚାଲିଥିବାରୁ ସେମାନଙ୍କର ସବୁ ରୋଜଗାରର ପନ୍ଥା ବନ୍ଦ ହୋଇ ଯାଇଛି। ଫଳରେ ସେମାନଙ୍କର ଆଥିର୍କ ଅବସ୍ଥା ସଙ୍ଗୀନ ହୋଇ ପଡ଼ିଛି। ସେମାନଙ୍କୁ ଏହି କିଞ୍ଚିତ ସହାୟତା ନିଶ୍ଚିତ ଭାବେ ମୁହଁରେ ହସ ଫୁଟାଇବ” ବୋଲି ଶ୍ରୀ ଜେନା ଗଣମାଧ୍ୟମକୁ କହିଛନ୍ତି।