ବ୍ରହ୍ମପୁର: ନିଗମ ଅଞ୍ଚଳରେ ଲୋକ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେମାନେ ବିଏମ୍ସି ଆସି ନିଜର ଅସୁବିଧା ଜଣାଇ ପାରୁନାହାନ୍ତି । ତେଣୁ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଖୋଲିବ ୱାର୍ଡ ଅଫିସ । ଅଞ୍ଚଳବାସୀ ଏଣିକି ବିଏମ୍ସି ଆସିବା ଦରକାର ନାହିଁ, ସେମାନେ ୱାର୍ଡ ଅଫିସରେ ନିଜର ସମସ୍ୟା ଜଣାଇପାରିବେ ଏବଂ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କମିଶନର କହିଛନ୍ତି । ୪୦ଟି ୱାର୍ଡରେ ବିଏମ୍ସି ୱାର୍ଡ ଅଫିସ ରହିଛି । କିନ୍ତୁ ଦିନେ ଛଡା ଦିନେ ଏହି ଅଫିସ ଖୋଲିବାକୁ କୁହାଯାଇଛି । ସୋମବାର, ବୁଧବାର, ଶୁକ୍ରବାର ୧ରୁ ୨୦ ନମ୍ବର ୱାର୍ଡରେ ୱାର୍ଡ ଅଫିସ ଖୋଲିବ ଏବଂ ମଙ୍ଗଳବାର, ଗୁରୁବାର ଓ ଶନିବାର ୨୧ରୁ ୪୦ ନମ୍ବର ୱାର୍ଡ ଅଫିସ ଖୋଲିବ । ୯ଟାରୁ ୧୨ଟା ପର୍ଯ୍ୟନ୍ତ ଏହି ଅଫିସ୍ ଖୋଲାଯିବ । ବ୍ରହ୍ମପୁର ମହାନଗର ନିଗମରେ ଗତ ୯ତାରିଖରୁ ଆରମ୍ଭ ହୋଇଥିବା ସ୍ୱାସ୍ଥ୍ୟ ପରୀକ୍ଷା (ସ୍କ୍ରିନିଂ) ବର୍ତ୍ତମାନ ୩୧୧୬୫୨ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିବା କମିଶନର ଚକ୍ରବର୍ତ୍ତୀ ସିଂହ ରାଠୋର ଶନିବାର ସୂଚନା ଦେଇଛନ୍ତି । ୬୯୮୪୫ ଘର ବୁଲି ସ୍ୱାସ୍ଥ୍ୟ ଟିମ୍ ଏହି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି । ଏମାନଙ୍କ ଭିିତରେ ୨୪୫୩୧୭ଜଣ ମହିଳା ଓ ପୁରୁଷ ଥିବାବେଳେ ୬୬୪୯୯ଜଣ ଶିଶୁ ରହିଛନ୍ତି । ଏହି ସ୍କ୍ରିନିଂ ପ୍ରକ୍ରିୟାରେ ରବିବାର ଆଉ ୧୦ଟି ଟିମ୍ ସାମିଲ ହେବେ । ୧୦ଟି ଟିମ୍ ସାମିଲ ହେବା ଦ୍ୱାରା ସ୍କ୍ରିନିଂ ଶୀଘ୍ର ସରିବ ବୋଲି କମିଶନର ଶ୍ରୀ ରାଠୋର କହିଛନ୍ତି । ଅନ୍ୟପକ୍ଷରେ ହଟ୍ସ୍ପଟ୍ରୁ ଯେଉଁ ମାନେ ଆସିଛନ୍ତି ସେମାନଙ୍କ ସ୍ୱାବ୍ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କମିଶନର ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟ ଲକ୍ଡାଉନ୍ ସରିଥିବା ବେଳେ ୧୪ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଆରମ୍ଭ ହୋଇସାରିଛି । କିନ୍ତୁ ସମସ୍ତଙ୍କୁ କଟକଣା ମାନିବାକୁ ହେବ ବୋଲି କମିଶନର କହିଛନ୍ତି ।
Related Stories
November 22, 2024