ଜୟପୁର- ଜୟପୁର ବିଦ୍ୟାଳୟସ୍ତରିୟ ବ୍ଲକ କ୍ରିଡ଼ା ସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜୟପୁର ବ୍ଲକର ଗୋଷ୍ଠି ଶିକ୍ଷାଧିକାରି ସୁରେନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆୟୋଜନ ହୋଇଥିଲା । ଅନ୍ୟତମ ଅତିଥି ଭାବେ ଉମୁରି ସ୍ଥିତ ଏସଏସଚି ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାଗବତ ପ୍ରସାଦ ଦାସ, ଜୟପୁର ବ୍ଲକର ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରି ରମେଶ ଟାକ୍ରୀ, କୋରାପୁଟ ଜିଲାର ଆଇପିଇ ବିପ୍ର ଚରଣ ପଣ୍ଡା ସହ ଜୟପୁର ବ୍ଲକର ବିଟିଏ ପ୍ରସନ୍ନ କୁମାର ପାଣିଗ୍ରାହୀ ଉପସ୍ଥିତ ଥିଲେ । ଏହି ସଭାରେ ଛାତ୍ର ଛାତ୍ରୀଙ୍କ ଖେଳରେ କିପରି ବିକାଶ ହେବ ସେ ବିଷୟରେ ଆଲୋଚନା କରାଯାଇଥିଲା । ଜୟପୁର ବ୍ଲକର ବିଭିନ୍ନ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଏନେଇ ପ୍ରତିଯୋଗିତା ଆୟୋଜିତ ହେବାକୁ ଥିବାବେଳେ ସ୍ଥାନ, ତାରିଖ ନିର୍ଦ୍ଧାରଣ କରାଯାଇଥିଲା । ଖୋ-ଖୋ. କବାଡି, ଫୁଟବଲ୍ ଓ ଯୋଗ ଆସନ୍ତା ୨୬ ତାରିଖରେ ବାରିଣିପୁଟ ସ୍ଥିତ ପ୍ରୋଜେକ୍ଟ ହାଇସ୍କୁଲରେ ହେବାକୁ ସ୍ଥିର ହୋଇଛି । ଆଥେଲେଟିକ ଆମ୍ବାଗୁଡା ସ୍ଥିତ ସରକାରୀ ହାଇସ୍କୁଲ ଠାରେ ଏବଂ କ୍ରିକେଟ ମଡର୍ଣ୍ଣ ଇଂରାଜୀ ସ୍କୁଲରେ ହେବାକୁ ସ୍ଥିର କରାଗଲା । ଡାଇରେକ୍ଟରଙ୍କ ନିର୍ଦ୍ଦେଶ ଅନୁସାରେ ଖେଳକୁ ସୁଚାରରୁପେ ପରିଚାଳନା କରିବା ପାଇଁ ୭ ଜଣିଆ କମିଟି ଗଠନ କରାଯାଇଥିଲା ।
ଏହି ପ୍ରସ୍ତୁତି ବୈଠକରେ ୩୪ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷୟତ୍ରୀ ସହ ଖେଳ ଶିକ୍ଷକ ମାନେ ଉପସ୍ଥିତ ଥିଲେ । ବାସୁଦେବ ସେନାପତି ଖେଳ ବିଷୟରେ ଆଲୋକପାତ କରିଥିବା ବେଳେ ନରେଶ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।