ବାଲେଶ୍ଵର : (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) ଲକ୍ ଡାଉନ୍ ଯୋଗୁଁ ସବୁକିଛି ବନ୍ଦ ଥିବାରୁ ଦିନ ମଜୁରିଆ ଓ ଗରିବ ଶ୍ରେଣୀର ଲୋକଙ୍କ ରୋଜଗାର ନାହିଁ କହିଲେ ଚଳେ। ଏପରି ସ୍ଥିତିରେ ସେମାନେ ଚଳିବା କଷ୍ଟକର ହୋଇପଡିଛି। ଏହାକୁ ଦୃଷ୍ଟିରେ ରଖି ଫକୀରମୋହନ ନଗର ଅଧିବାସୀ ମାନେ ଅଣ୍ଟା ଭିଡିଛନ୍ତି ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ।
ଏଥିପାଇଁ କରଞ୍ଜିଆ ପଂଚାୟତରେ ଥିବା ଗରିବ ଶ୍ରେଣୀର ଲୋକଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବାଣ୍ଟିଛନ୍ତି ଫକୀରମୋହନ ନଗର ବାସୀ। କରୋନା ମୁକାବିଲା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ସାଧାରଣ ସ୍ଵଚ୍ଛଳ ବର୍ଗର ଲୋକମାନେ ସାଧ୍ୟମତେ ସାହାଯ୍ୟ କରିବାକୁ ଆଗେଇ ଆସିବା ହେଉଛି ଏ ସମୟର ସବୁଠୁ ବଡ ଆହ୍ୱାନ। ଏହାକୁ ଫକୀରମୋହନ ନଗରବାସୀ ଅନୁଭବ କରିଥିବା ଜଣାପଡିଛି।
ରେମୁଣା ବ୍ଲକ ଅନ୍ତର୍ଗତ କରଞ୍ଜିଆ ପଞ୍ଚାୟତର ବିଭିନ୍ନ ୱାର୍ଡ଼ରେ ଫକୀରମୋହନ ନଗରର ବିଶିଷ୍ଟ ବ୍ୟକ୍ତି ବିଶେଷ ମିଳିତ ହୋଇ ଗରିବ ଲୋକଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦେଇଛନ୍ତି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଗରିବ ଲୋକଙ୍କ ପାଖରେ ପହଞ୍ଚି ଅଂଚଳର ବରିଷ୍ଠ ନାଗରିକ ମହେଶ୍ୱର ରଥ, ମଣିଭଦ୍ର ଜେନା, ମୁକ୍ତିକାନ୍ତ ଧୋପାଲ, ଗଣନାଥ ଦ୍ଵିବେଦୀ, ସନ୍ତୋଷ ବେହେରା, ସାଗର ଦାସ ପ୍ରମୁଖ ସାହାଯ୍ୟ ର ହାତ ବଢାଇଛନ୍ତି।
ଏହି ବଣ୍ଟନ କାର୍ଯ୍ୟକ୍ରମରେ କରଞ୍ଜିଆ ବିଜେଡି ସଭାପତି ସମ୍ବିତ କୁମାର ବେହେରା, ନାଏବ୍ ସରପଞ୍ଚ ଜିତେନ କୁମାର ଲେଙ୍କାଙ୍କ ସମେତ ବିଭିନ୍ନ ୱାର୍ଡ଼ରେ ବଣ୍ଟନ ସମୟରେ ସ୍ଥାନୀୟ ୱାର୍ଡ଼ ମେମ୍ବର ରେବତୀ ଘୋଷ, ପ୍ରୀତିଲତା ପାଲ, ପ୍ରତାପ ଚନ୍ଦ୍ର ବେହେରା, ଦମୟନ୍ତୀ ମହାଳିକ, କାଞ୍ଚନ ଅଗସ୍ତି ପ୍ରମୁଖ ଉପସ୍ଥିତ ଥିଲେ।