● ଅପରେସନ୍ ପରେ ବି ଭଲ ହେଲାନି ଭଙ୍ଗା ଗୋଡ଼
● କେବଳ ସରକାରୀ ସହାୟତା ଅପେକ୍ଷାରେ ସେ
ବାଲେଶ୍ବର, ୨୧/୯ : (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) ଦେଖିବାକୁ କେହିନାହାନ୍ତି କି ବୁଝିବାକୁ କେହି ନାହାନ୍ତି। ଭାଙ୍ଗି ଯାଇଥିବା ଗୋଡ ଏବେ ଚିକିତ୍ସା ଅଭାବରୁ ପଚିବାକୁ ବସିଲାଣି। ଅର୍ଥାଭାବରୁ ହେଇପାରୁନି ଚିକିତ୍ସା। ଦୀର୍ଘ ଆଠ ମାସରୁ ଅଧିକ କାଳ ବିଛଣାରେ ପଡ଼ି ସଢ଼ୁଛନ୍ତି ଅଧିକାରୀ ଦାସ।
ଘରର ମୁଖ୍ୟ ଲୋକଟି
ଶଯ୍ୟାଶାୟୀ ହେଲେ ଚଡକ ପଡେ ଘର ଉପରେ। ସବୁକିଛି ଅନ୍ଧାର ହୋଇଯାଏ। ସେମିତି ପରିସ୍ଥିତି ବିରାଜିତ ଏବେ ଅଧିକାରୀଙ୍କ ଘରେ। ଗୋଟିଏ ଓଳି ଖାଇଲେ ପୁଣି ଗୋଟିଏ ଓଳି ଓପାସ। ସୁସ୍ଥ ହୋଇ ନିଜ ଗୋଡ଼ରେ ଛିଡ଼ା ହେବା ଯେମିତି ତାଙ୍କ ପାଇଁ ସ୍ବପ୍ନ ପାଲଟି ଯାଇଛି। ବୟସ ୬୫ ବର୍ଷ। ୮ ମାସ ତଳେ ତାଙ୍କର ବାମ ଗୋଡ଼ରେ ଏକ ଅଜଣା ଗାଡ଼ି ଚଢ଼ି ଯାଇଥିଲା। ଫଳରେ ବାମ ଗୋଡ଼ ଚୁନା ହୋଇଗଲା। ଠିକ ଭାବେ ଚିକିତ୍ସା ନପାଇବା ଯୋଗୁଁ ଏବେ ଜୀବନ ସହ ଏକପ୍ରକାର ଲଢ଼େଇ କରୁଛନ୍ତି ଅଧିକାରୀ।
ଏଇଠି ସରିଯାଏନା ଅଧିକାରୀଙ୍କ ଦୁଃଖ। ଅଧିକାରୀଙ୍କ ସ୍ତ୍ରୀ ଝୁମା ଦାସ, ଅନେକ ବର୍ଷ ଧରି ଗଳଗଣ୍ଡ ରୋଗରେ ପୀଡ଼ିତା। ଜଣେ ମାତ୍ର ପୁଅ ଗୋବିନ୍ଦ, ଯିଏ ୨୨ ବର୍ଷ ବୟସରେ ବମ୍ବେକୁ ଦାଦନ ଖଟିବାକୁ ଯାଇଥିଲେ ଓ ମ୍ୟାଲେରିଆରେ ପ୍ରାଣ ହରେଇଲେ। ପୁଅ ମରିବାକୁ ଆଜକୁ ୨୦ ବର୍ଷ ହୋଇ ଗଲାଣି। ଘରେ ବର୍ତ୍ତମାନ କେବଳ ଅଧିକାରୀ ଓ ତାଙ୍କ ସ୍ତ୍ରୀ ରହୁଛନ୍ତି।
ଅଧିକାରୀ ଆଠ ମାସ ହେଲା ଭଙ୍ଗା ଗୋଡ଼ରେ ବିଛଣାରେ ପଡ଼ିଛନ୍ତି। ଖଇରା ବ୍ଲକ ଗେଙ୍ଗୁଟି ଗ୍ରାମରେ ଘର। ଜଣେ ଅନୁସୂଚିତ ବର୍ଗର ଲୋକ। ଇନ୍ଦିରା ଆବାସ ଯୋଜନାରେ ଘର ଖଣ୍ଡେ ପାଇଛନ୍ତି। ଆଉ ମାସିକ ୫ ଶହ ଟଙ୍କା ଭତ୍ତା ବି
ପାଉଛନ୍ତି। ଏଥିସହିତ ସେ ଜଣେ ବାଉଁଶ କାରିଗରୀ ମଧ୍ୟ।
ପୁଅ ମୃତ୍ୟୁ ପରେ ବାଉଁଶରେ ବିଭିନ୍ନ ସାମଗ୍ରୀ ତିଆରି କରି ଗାଁ ଗାଁ ବୁଲି ବିକ୍ରି କରି ଘର ଚଳାଉଥିଲେ ଅଧିକାରୀ। ଥରେ ସେହି ବାଉଁଶ ସାମଗ୍ରୀ ବିକ୍ରି କରିବାକୁ ଯାଇଥିବା ସମୟରେ ଗୋଟିଏ ଅଜଣା
ଚାରିଚକିଆ ଗାଡ଼ି ତାଙ୍କୁ ଦେଇଥିଲା ଧକ୍କା। ଗୋଡ଼ ଉପରେ ଚଢ଼ି ଯିବା ଫଳରେ ତାଙ୍କ ବାମ ଗୋଡ଼ ଗୋଇଁଠି ତଳକୁ ଭାଙ୍ଗି ଚୁନା ହୋଇ ଯାଇଥିଲା। ଗ୍ରାମର କିଛି ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ତାଙ୍କୁ କଟକ
ବଡ଼ ମେଡିକାଲକୁ ନେଇ ଅପରେସନ୍ କରାଯାଇଥିଲା ସତ ହେଲେ ଘରକୁ ଆସିବା ପରେ ତାଙ୍କ ଗୋଡ଼ ଖୋଲି ଯାଇଥିଲା। ପୁଣି ତାଙ୍କୁ କଟକ ନିଆ ଯାଇଥିଲା ଅପରେସନ୍ ପାଇଁ। ଏଥର କିନ୍ତୁ ମିଳିନଥିଲା ଟଙ୍କା। ସେଥିପାଇଁ ବାଧ୍ୟ ହୋଇ ଗୋଡ଼ କାଟିଦେବାକୁ କହିଥିଲେ ଅଧିକାରୀ। କିନ୍ତୁ ଡାକ୍ତର ଗୋଡ଼ କାଟି ପାରିବେନି ବୋଲି ସିଧା ମନା
କରି ଦେଇଥିଲେ। ସେଠୁ ଫେରିବା ପରେ ବିଛଣାରେ ପଡ଼ି ରହିଛନ୍ତି ଅଧିକାରୀ।
ଏଣେ ଚିକିତ୍ସା ଠିକ୍ ଭାବେ ନପାଇବା ଯୋଗୁଁ ଗୋଡ଼ରେ ପୁଜରକ୍ତ ବି ହୋଇଗଲାଣି। ବିଛଣାରୁ ଉଠିବା ତାଙ୍କ ପାଇଁ ସମ୍ଭବ ହେଉନାହିଁ। ଘରେ ସ୍ବାମୀ ଓ ସ୍ତ୍ରୀ ଦୁଇ ପ୍ରାଣୀ ଏପରି ଅସୁସ୍ଥ ହୋଇ ରହିବା ଯୋଗୁଁ ଘର ଚଳିବା କଷ୍ଟ ହୋଇ ପଡ଼ିଛି। ଏଯାଏଁ ଅଧିକାରୀଙ୍କୁ କିଛି ବି
ଆର୍ଥିକ ସହାୟତା ମିଳି ପାରିନାହିଁ। ତାଙ୍କୁ ଯଦି ଜିଲ୍ଲା ପ୍ରଶାସନ କିମ୍ବା ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ୍ ରୁ ଆର୍ଥିକ ସହାୟତା ମିଳନ୍ତା ତେବେ ସେ ନିଜ ଗୋଡ଼ରେ ଚାଲି ପାରନ୍ତେ। ତାଙ୍କ ମୁହଁରେ ଫୁଟନ୍ତା ହସ।