ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ(ବିଏମ୍ସି)ରେ ୧୫ହଜାର ହିତାଧିକାରୀ (ପିଡିଏସ୍) ଚାଉଳ ଓ ଗହମ ପାଇନଥିବା ଅଭିଯୋଗ ହୋଇଛି । ଡିଲ୍ର ନିକଟରେ ଲମ୍ବା ଧାଡ଼ି ଲଗାଇ ନିରାଶ ହେଉଛନ୍ତି ହିତାଧିକାରୀ । ଘରୁ ବାହାରିବାରେ କଟକଣା ଜାରି କରିଛି ପ୍ରଶାସନ । ଗରିବ ଲୋକ ମାନେ ଚଳିବା ପାଇଁ ୩ମାସର ଗହମ ଓ ଚାଉଳ ଏକା ସାଙ୍ଗରେ ବାଣ୍ଟିବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ । ବ୍ରହ୍ମପୁର ମହାନଗର ନିଗମରେ ଗହମ ନିଅଣ୍ଟିଆ ଥିବାରୁ ଡିଲରଙ୍କ ପାଖରେ ପହଞ୍ଚିପାରୁ ନାହିଁ ଏବଂ ହିତାଧିକାରୀ ନିରାଶ ହୋଇ ଫେରୁଛନ୍ତି । ତେବେ ଜିନିଷ ନଥିବାରୁ ଡିଲର ମାନେ ହିତାଧିକାରୀଙ୍କୁ ଟୋକନ୍ ମଧ୍ୟ ଦେଉନାହାନ୍ତି । ଫଳରେ ଚାଉଳ ଓ ଗହମ କେବେ ମିଳିବ ସବୁ ହିତାଧିକାରୀ ଦ୍ୱନ୍ଦ୍ୱରେ ରହିଛନ୍ତି ।
ବ୍ରହ୍ମପୁର ମହାନଗର ନିଗମରେ ଗରିବ ଲୋକଙ୍କ ଚଳଣି ପାଇଁ ଶୀଘ୍ର ପିଡିଏସ୍ ଚାଉଳ ଓ ଗହମ ବାଣ୍ଟିବାକୁ ଧାର୍ଯ୍ୟ କରାଯାଇଥିଲା । ଏପ୍ରିଲ୍ ୪ ତାରିଖରୁ ୯ତାରିଖ ପର୍ଯ୍ୟନ୍ତ ୬ଦିନ ବ୍ୟାପି ପିଡିଏସ୍ ଚାଉଳ ଓ ଗହମ ବାଣ୍ଟିବାକୁ ଧାର୍ଯ୍ୟ କରାଯାଇଥିଲା । ବ୍ରହ୍ମପୁର ମହାନଗର ନିଗମରେ ୪୩୭୧୭ ହିତାଧିକାରୀ ରହିଥିବା ବେଳେ ସେମାନଙ୍କୁ ପ୍ରତିମାସରେ ୧୬୪୪୪.୩୨ କ୍ୱିଣ୍ଟାଲ୍ ଚାଉଳ ଓ ଗହମ ବଣ୍ଟନ କରାଯାଇଥାଏ । ବର୍ତ୍ତମାନ ୯ତାରିଖ ମଧ୍ୟରେ ସମସ୍ତ ହିତାଧିକାରୀଙ୍କୁ ଚାଉଳ ଓ ଗହମ ବଣ୍ଟା ହୋଇପାରି ନାହିଁ । ୨୮,୮୦୯ ହିତାଧିକାରୀ ଚାଉଳ ଓ ଗହମ ପାଇସାରିଛନ୍ତି ଏବଂ ୧୪୯୦୮ହିତାଧିକାରୀ ଅପେକ୍ଷାରେ ରହିଛନ୍ତି । ୯ତାରିଖ ସୁଦ୍ଧା ସମସ୍ତ ହିତାଧିକାରୀ ଚାଉଳ ଓ ଗହମ ପାଇନଥିବାରୁ ଆଉ ୩ଦିନ ସମୟ ବଢ଼ାଇ ଦିଆଯାଇଛି । କିନ୍ତୁ ଏହି ସମୟରେ ମଧ୍ୟ ହିତାଧିକାରୀଙ୍କୁ ସାମାଗ୍ରୀ ଯୋଗାଇବା ଅନିଶ୍ଚିତତା ରହିଛି । ଏନେଇ ବ୍ରହ୍ମପୁର ଏସିଏସ୍ଓ ପୁଶ ମୁଣ୍ଡାଙ୍କ ସହ ଯୋଗାଯୋଗ ବେଳେ ସେ କହିଛନ୍ତି, ବର୍ତ୍ତମାନ ଗହମ ଓ ଚାଉଳ ବଣ୍ଟା ଚାଲିଛି । ସହରରେ ୮୪ଟି ବିତରଣ କେନ୍ଦ୍ର ରହିଥିବା ବେଳେ ୨୦ଟି କେନ୍ଦ୍ରରେ ବଣ୍ଟନ ପାଇଁ ଜାଗା ନାହିଁ । ତେଣୁ ସେମାନଙ୍କୁ ୧୪ଟି ସ୍କୁଲରେ ଜାଗା ଦିଆଯାଇଛି ଏବଂ ସେମାନେ ସେଠାରେ ଖୋଲା ଜାଗାରେ ବଣ୍ଟନ କରିବାକୁ ନିର୍ଦ୍ଦେଶ ହୋଇଛି । ବର୍ତ୍ତମାନ ୧୫୦୦କ୍ୱିଣ୍ଟାଲ୍ ଗହମ ନିଅଣ୍ଟ ରହିଛି ଏବଂ ଏଫ୍ସିଆଇରୁ ଗହମ ଆସିବା ପରେ ପୁଣି ବଣ୍ଟନ ପ୍ରକ୍ରିୟା ତ୍ୱରାନ୍ୱିତ କରାଯିବ ବୋଲି ସେ କହିଛନ୍ତି ।
Related Stories
November 22, 2024