-
ବଡ଼ବଜାର ହୋଲ୍ସେଲ୍ ମାର୍କେଟ୍କୁ ବାଇକ୍ ପ୍ରବେଶ ମନା
ବ୍ରହ୍ମପୁର: ବ୍ରହ୍ମପୁର ବଡ଼ ବଜାର ହୋଲ୍ସେଲ୍ ମାର୍କେଟ୍ରେ ମାସ୍କ ନଥିଲେ ଜିନିଷ ଦେବେନି ବୋଲି ବ୍ୟବସାୟୀ ମହାସଂଘ ଓ ଗଞ୍ଜାମ ଚାମ୍ବର ଅଫ୍ କମର୍ସ ସଦସ୍ୟ ମାନେ ଏହି ନିଷ୍ପତ୍ତି ନେବା ସହ ମାର୍କେଟ୍ରେ ସଚେତନ କରିଛନ୍ତି । ବ୍ୟବସାୟୀ ମାନେ ବୁଧବାର ବଡ଼ବଜାର ଅଞ୍ଚଳରେ ଥିବା ୨୪ଟି ମାର୍କେଟ୍ ବୁଲି ମାଇକ୍ ଯୋଗେ ପ୍ରଚାର କରିଥିଲେ । କମ୍ ଜାଗାରେ ବହୁ ମାର୍କେଟ୍ ରହିଛି ଏବଂ ଏଠାରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ମିଳୁଛି । ହୋଲ୍ସେଲ୍ ବଜାର ହୋଇଥିବାରୁ ବିଭିନ୍ନ ଜାଗାରୁ ବ୍ୟବସାୟୀ ମାନେ ଏଠାକୁ ଦୋକାନ ପାଇଁ ରାସନ ଜିନିଷ ନେବାକୁ ଆସୁଛନ୍ତି । ସବୁ ଗାଡ଼ି ମାର୍କେଟ୍ ଭିତରକୁ ପ୍ରବେଶ କରିବା ଫଳରେ ସାମାଜିକ ଦୂରତା ରଖିବାରେ ସମସ୍ୟା ହେଉଛି । ତେଣୁ ପ୍ରଶାସନ ନିର୍ଦ୍ଦେଶ ପ୍ରକାରେ ସାମାଜିକ ଦୂରତା ରଖିବା, ମାର୍କେଟ୍ ଭିତରକୁ ଗାଡ଼ି ପ୍ରବେଶ କରିବା ନାହିଁ ବୋଲି କହିଛନ୍ତି ବ୍ରହ୍ମପୁର ବ୍ୟବସାୟୀ ମହାସଂଘ ସଭାପତି ରବୀନ୍ଦ୍ର କୁମାର ସାହୁ । ଆଳୁ ଓ ପିଆଜ ମଧ୍ୟ ରାସନ୍ ଭଳି ନିତ୍ୟ ବ୍ୟବହାର କରୁଛନ୍ତି । ତେଣୁ ଆଳୁ ପିଆଜ ମାର୍କେଟ୍ ଅନ୍ୟ ଜାଗାକୁ ଗଲେ ବ୍ୟବସାୟୀଙ୍କୁ ସମସ୍ୟା ହେବ । ରାସନ ସାମଗ୍ରୀ ନେବାକୁ ଆସୁଥିବା ବେଳେ ନିଶ୍ଚିତ ଭାବେ ଆଳୁ ଓ ପିଆଜ ନେଉଛନ୍ତି । ତେଣୁ ବଡ଼ ବଜାରରୁ ଆଳୁ ପିଆଜ ମାର୍କେଟ୍କୁ ହଟାନଯାଇ ପୂର୍ବଭଳି ଏଠାରେ ରଖାଯାଉ ବୋଲି ବ୍ୟବସାୟୀ ମାନେ କହିଛନ୍ତି । ପ୍ରଶାସନ ଜାରି କରିଥିବା ସମସ୍ତ କଟକଣା ପ୍ରତି ନଜର ଦେଇ ବ୍ୟବସାୟୀ ମାନେ କାରବାର କରିବେ । ମାସ୍କ ପିନ୍ଧିବାକୁ ବାଧ୍ୟ କରାଯିବା ସହ ସାମାଜିକ ଦୂରତା ଏବଂ ବଜାର ଠାରୁ ଦୂରରେ ଗାଡ଼ି ରଖି ଆସିବାକୁ ଖୁଚୁରା ବ୍ୟବସାୟୀଙ୍କୁ ପରାମର୍ଶ ଦିଆଯାଇଛି । କୌଣସି ପରିସ୍ଥିତିରେ ମାର୍କେଟ୍ ଭିତରକୁ ଗାଡ଼ି ଛଡ଼ାଯିବ ନାହିଁ ବୋଲି ସେ କହିଛନ୍ତି । ବୁଧବାର ସକାଳେ ସମସ୍ତ ମାର୍କେଟ୍ରେ ପ୍ରଚାର କରାଯାଇଥିଲା । ଓଡ଼ିଶା ବ୍ୟବସାୟୀ ମହାସଂଘ ଉପସଭାପତି ସିଏଚ୍ ରବୀନ୍ଦ୍ରନାଥ, ଜେ.ସୁରେଶ, ଟି. ରାହୁଲ, ବ୍ରହ୍ମପୁର ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ରବୀନ୍ଦ୍ର କୁମାର ସାହୁ, ଦେଶୀ ବେହେରା ସାହି ବଣିକ ସଂଘ ସଭାପତି ଭି.ସନ୍ତୋଷ, ପର୍ଶୁରାମ ସାହୁ, ପି.ମୁନା, ପି.ଭେଙ୍କଟରାମଣା, ଟୁଟୁ ଗୌଡ଼, ସନ୍ୟାସୀ ପରିଡ଼ାଙ୍କ ସହ ବହୁ ବ୍ୟବସାୟୀ ସଚେତନ କରିଥିଲେ ।