-
୧୫୩ ବାଇକ୍ ଜବତ
-
ସଚେତନତା ଭିଡ଼ିଓ ଜାରି କଲା ବ୍ରହ୍ମପୁର ପୁଲିସ
ବ୍ରହ୍ମପୁର: କରୋନାକୁ ନେଇ ରାଜ୍ୟ ଓ ଜିଲ୍ଲା ପ୍ରଶାସନ ଚିନ୍ତିତ ରହିଥିବା ବେଳେ ଏବେବି ଲୋକ ବୁଝୁନାହାନ୍ତି । ଅଯଥାରେ ବାଇକ୍ ନେଇ ରାସ୍ତାକୁ ଆସୁଛନ୍ତି । ଗଞ୍ଜାମ ଜିଲ୍ଲାରେ ୧୯ଘଣ୍ଟିଆ ସଟ୍ଡାଉନ୍ ଘୋଷଣା ପରେ ମାର୍କେଟ୍ ଓ ଅନ୍ୟ ଜାଗା ମାନଙ୍କରେ ଭିଡ଼ କମିଛି । କିନ୍ତୁ କିଛି ଅମାନିଆ ଲୋକ ଏବେବି ବାଇକ୍ ନେଇ ବୁଲୁଛନ୍ତି । ଏହି ଅମାନିଆ ଲୋକଙ୍କ ଯୋଗୁ ବ୍ରହ୍ମପୁରବାସୀ ବିପଦରେ ପଡିପାରନ୍ତି । ଏମାନଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର । ତେବେ ବ୍ରହ୍ମପୁର ପୁଲିସର ଏକ ସଚେତନତା ଭିଡ଼ିଓ ବୁଧବାର ଜାରି ହୋଇଛି । ପୁଲିସ ଅଧିକାରୀ ମାନେ ଫ୍ଲାକ୍କାର୍ଡ ଧରି ସଚେତନତା ବାର୍ତ୍ତା ଦେବା ସହ ପୁଲିସ ପାଟ୍ରୋଲିଂର ଭିଡ଼ିଓ ରହିଛି । ବ୍ରହ୍ମପୁର ଏସ୍ପି ମିଶ୍ର ମଧ୍ୟ ଏହି ଭିଡ଼ିଓରେ ସଚେତନତା ବାର୍ତ୍ତା ଦେବା ସହ ଘରେ ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦେଇଛନ୍ତି ।ସହରରେ ସବୁ ରାସ୍ତାକୁ ବ୍ଲକ୍ କରାଯାଇଛି ଏବଂ ବାଇକ୍ ଚଳାଚଳକୁ ମଧ୍ୟ ମନା କରାଯାଇଛି । ତଥାପି ଲୋକ ବୁଝୁନାହାନ୍ତି ଏବଂ ବିଭିନ୍ନ ବାହାନା ଦେଖାଇ ବାଇକ୍ ନେଇ ରାସ୍ତାକୁ ଆସୁଛନ୍ତି । ବ୍ରହ୍ମପୁର ସହରରେ ବୁଧବାର ୧୫୩ଟି ବାଇକ୍ ଜବତ କରାଯାଇଥିବା ସୂଚନା ଦେଇଛନ୍ତି ଏସ୍ଡିପିଓ ବିଷ୍ଣୁ ପ୍ରସାଦ ପତି । ଏସ୍ପିଙ୍କ ନିର୍ଦ୍ଦେଶ ପ୍ରକାରେ ଏସ୍ଡିପିଓ ପତିଙ୍କ ନେତୃତ୍ୱରେ ବିଭିନ୍ନ ଥାନାକୁ ନେଇ ମିଳିତ ପାଟ୍ରୋଲିଂ ମଧ୍ୟ କରାଯାଉଛି । ବୁଧବାର ସନ୍ଧ୍ୟାରେ ସହର ମୁଖ୍ୟ ରାସ୍ତା ସବୁ ଶୂନ୍ଶାନ୍ ରହିଥିବା ବେଳେ କେତେକ ସାହିରେ ଲୋକ ପଦାରେ ବୁଲାବୁଲି କରୁଥିଲେ । ପାଟ୍ରୋଲିଂ ସମସୟରେ ପୁଲିସ ସେମାନଙ୍କୁ ଘଉଡାଇଥିଲା । ବୁଧବାର ବଡ଼ବଜାର ଥାନା ଇଲାକାରେ ୧୫ଟି ବାଇକ୍ ଜବତ କରିଛି । ପୂର୍ବରୁ ଏବଂ ବୁଧବାର ଜବତ ହୋଇଥିବା ମୋଟ ୫୧ଟି ବାଇକ୍ରୁ ୧ଲକ୍ଷ ୨ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ଥାନାଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି । ସେହିପରି ଟାଉନ୍ ଥାନାରେ ୪୨ଟି ଗାଡ଼ି ଜବତ ହୋଇଥିବା ବେଳେ ୧୬ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ଥାନାଧିକାରୀ ସୁରେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି । ବୈଦ୍ୟନାଥପୁର ଥାନା ୨୮ଟି ବାଇକ୍ ଜବତ କରିଥିବା ଥାନାଧିକାରୀ ଶାରଦା ପ୍ରସନ୍ନ ଦାଶ ସୂଚନା ଦେଇଛନ୍ତି । ସେହିପରି ଗୋସାଇଁନୂଆଗାଁ ଥାନାରେ ୪୮ଟି ବାଇକ୍ ଜବତ କରାଯାଇଥିବା ଥାନାଧିକାରୀ ସୁମିତ୍ ସୋରେନ୍ ସୂଚନା ଦେଇଛନ୍ତି । ଟ୍ରାଫିକ୍ ଥାନା ୨୦ଟି ବାଇକ୍ ଜବତ କରିଥିବା ଥାନାଧିକାରୀ ସୁନିଲ କୁମାର ବେହେରା କହିଛନ୍ତି ।