-
ଜିଲ୍ଲାରେ ୫୩ ରିପୋର୍ଟ ନେଗେଟିଭ୍ ଆସିଲା
ବାଲେଶ୍ଵର : (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) ଧୀରେ ଧୀରେ କରୋନା ସଂକ୍ରମଣକୁ ନେଇ ଓଡିଶା ପରିସ୍ଥିତି ଗମ୍ଭୀର ହେବାକୁ ଯାଉଥିବା ବେଳେ ସାବଧାନତା ଅବଲମ୍ବନ କରିବାକୁ ଏବଂ ସରକାରୀ ନିୟମ ପାଳନ କରିବାକୁ ଅନୁରୋଧ କରି ଇତିମଧ୍ୟରେ ବାଲେଶ୍ଵର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏକ ଭିଡିଓ ବାର୍ତ୍ତା ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜାରି କରିଛନ୍ତି।
ଏହି ଭିଡିଓ ବାର୍ତ୍ତାରେ ଲକ୍ ଡାଉନ୍ ଅବଧିରେ ଘରୁ ବାହାରିବାକୁ ମନା କରାଯାଇଥିବା ବେଳେ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବାର ଥିଲେ ମାସ୍କ ପିନ୍ଧି ବାହାରିବାକୁ କହିଛନ୍ତି ଜିଲ୍ଲାପାଳ। ସେହିପରି ପନିପରିବା, ଔଷଧ ବିକ୍ରି କରୁଥିବା ଦୋକାନୀ ମାନେ ସାମାଜିକ ଦୂରତାର ଗୋଲେଇ ଭିତରେ ଗ୍ରାହକଙ୍କୁ ଛିଡା ହେବାକୁ କୁହନ୍ତୁ। ଯେଉଁମାନେ ଏପରି ନିୟମର ଉଲ୍ଲଙ୍ଘନ କରିବେ, ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଚେତାବନୀ ଦେଇଛନ୍ତି।
ଏଠାରେ ସୂଚନାଯୋଗ୍ୟ ଯେ, ବାଲେଶ୍ଵର ରୁ କରୋନା ପରୀକ୍ଷା ପାଇଁ ପଠାଯାଇଥିବା ୧୫୯ଟ ସ୍ଵାବ୍ ନମୂନା ମଧ୍ୟରୁ ଆଉ ୫୩ଟିର ରିପୋର୍ଟ ନେଗେଟିଭ୍ ଆସିଛି ବୋଲି ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ପ୍ରଥମ ପର୍ଯ୍ୟାୟରେ ୪୮ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା।