-
କଳାଶିକ୍ଷକ ସଞ୍ଜୟ ରାଉଳ ଓ କଳାଛାତ୍ରୀ ଈପସିତା ଦେ’ଙ୍କ ଚିତ୍ରରେ କରୋନା
ବାଲେଶ୍ଵର : (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) ସମୟ ଓ ପରିସ୍ଥିତିର ବାସ୍ତବ ଛବିକୁ ଚିତ୍ରକରଟିଏ ତୋଳିଧରେ ତୁଳୀ ଓ ରଙ୍ଗରେ ତ ମୂର୍ତ୍ତିକଳାର ଯାଦୁରେ ଜଣେ ସ୍ଥପତି ଗଢିଦିଏ ପ୍ରତିକୃତି ନିହାଣ ମୂନରେ। ସେମିତି ଏକ ଦୁଃସମୟ ଦେଇ ସମଗ୍ର ମଣିଷ ସମାଜ ଗତି କରୁଥିବା ବେଳେ ବାଲେଶ୍ଵର ଜିଲ୍ଲାର ଦୁଇ ଶିଳ୍ପୀ ସେମାନଙ୍କ କାରୁକାର୍ଯ୍ୟରେ ଫୁଟାଇଛନ୍ତି ସମୟର ବାସ୍ତବତାକୁ। ଜଣେ ହେଲେ ବାଲେଶ୍ଵର ଆର୍ଟ ଏଣ୍ଡ୍ କ୍ରାଫ୍ଟ୍ କଲେଜର ବିଭିଏ ଛାତ୍ରୀ ଈପସିତା ଦେ ଏବଂ ଅନ୍ୟ ଜଣକ ସେହି କଲେଜର ଅଧ୍ୟାପକ ସଞ୍ଜୟ ରାଉଳ। ସେମାନଙ୍କ ଚିତ୍ରକଳାରେ ଫୁଟିଉଠିଛି ବିନାଶର ଭୟାବହତା ଓ ଏକାନ୍ତବାସର ବନ୍ଦୀଜୀବନ।
କୁହାଯାଏ ଚିତ୍ର ହେଉ କି ସାହିତ୍ୟ, ଏ ଦୁଇଟି ହେଉଛି ସୃଜନକଳା। ମନର ପ୍ରତିଫଳନ ଓ ସମୟର ଉପଲବଧି ହିଁ ଏହି ସୃଜନକଳାର ସ୍ଵରୂପ। କରୋନା ଭୂତାଣୁ ଦ୍ଵାରା ସଂକ୍ରମିତ ମଣିଷ ପାଇଁ ମୃତ୍ୟୁ ହିଁ ଅନିର୍ବାର୍ଯ୍ୟ। ମୃତ୍ୟୁ ର ଏହି ଭୟାବହତା ସମଗ୍ର ବିଶ୍ଵକୁ ଥରହର କରିଦେଇଥିବା ବେଳେ ବାଲେଶ୍ଵର ସହରର ବାରବାଟୀ ଅଞ୍ଚଳରେ ଗୃହବନ୍ଦୀ ହୋଇ ରହିଥିବା କଳାଛାତ୍ରୀ ଈପସିତା ନିଜ ମନର ଭାବନାକୁ ଜଳରଙ୍ଗ ମାଧ୍ୟମରେ ଜୀବନ୍ୟାସ ଦେଇଛନ୍ତି। ‘କଳକୀ : ବିନାଶର ଈଶ୍ଵର’ ଶୀର୍ଷକରେ ସେ ୧.୫×୧ଫୁଟ୍ ଆକୃତି ବିଶିଷ୍ଟ କାଟ୍ରିଜ୍ ଉପରେ ଓ୍ଵାଟରକଲର୍ ପେଣ୍ଟିଂ ଆଙ୍କି ବିନାଶର ଭୟାବହତାକୁ ଦେଖାଇଛନ୍ତି। ଭୂତାଣୁକୁ ବିନାଶର ଈଶ୍ବର ରୂପେ ଚିତ୍ରାୟିତ କରି ତା ଦ୍ଵାରା ପୃଥିବୀ କିପରି ରକ୍ତରଞ୍ଜିତ ହୋଇଛି, ଈପସିତାଙ୍କ ଚିତ୍ର ବୟାନ କରୁଛି।
ସେହିପରି କଲିକତା ଆର୍ଟ କଲେଜରୁ ଭାସ୍କର୍ଯ୍ୟକଳାରେ ସ୍ନାତକୋତ୍ତର ଶେଷ କରି ଅଧୁନା ବାଲେଶ୍ଵର ଆର୍ଟ ଏଣ୍ଡ୍ କ୍ରାଫ୍ଟ୍ କଲେଜରେ ଗେଷ୍ଟ ଫାକଲଟି ଭାବରେ ଥିବା ଯୁବ ଚିତ୍ରଶିଳ୍ପୀ ସଞ୍ଜୟ ରାଉଳ ‘କୋରେଣ୍ଟାଇନ୍’ ଶୀର୍ଷକର ଏକ ସ୍କଲପଚର୍ ଇଟା ଓ ଜାର୍ ମାଧ୍ୟମରେ ନିର୍ମାଣ କରିଛନ୍ତି। ବାଲେଶ୍ଵର ସହରର ଆଳୁପୁର ଅଞ୍ଚଳର ଏକ ଭଡାଘରେ ଲକ୍ ଡାଉନକୁ ମର୍ମେ ମର୍ମେ ଅନୁଭବୁଥିବା ସଞ୍ଜୟଙ୍କ ନିର୍ମିତ ସ୍ଥାପତ୍ୟରେ ଗୋଟେ କଟା ପାଦ ପ୍ଲାଷ୍ଟିକ ଜାର୍ ଭିତରେ ଆବଦ୍ଧ ଥିବା ଦେଖାଇଛନ୍ତି। ପାଦ ଥାଇ ମଧ୍ୟ ବର୍ତ୍ତମାନ ଘରଭିତରେ ଆବଦ୍ଧ ମଣିଷର ଅସହାୟତାକୁ ଫୁଟାଇଛନ୍ତି ସେ।
“ଏହା ମାଧ୍ୟମରେ ମୁଁ ଜନସମାଜକୁ ଗୋଟିଏ ବାର୍ତ୍ତା ଦେବାକୁ ଚାହିଁଛି ଯେ ବର୍ତ୍ତମାନ ସମୟରେ କୋରେଣ୍ଟାଇନ୍ ହିଁ ଏକମାତ୍ର ମେଡିସିନ୍ କୋରନାର ଆକ୍ରମଣରୁ ରକ୍ଷା ପାଇବା ପାଇଁ। ସମସ୍ତଙ୍କୁ ଘରେ ରହିବାକୁ ଏହି ସ୍କଲପଚର୍ ଦ୍ଵାରା ମୁଁ ନିବେଦନ କରିଛି” ବୋଲି ସଞ୍ଜୟ ରାଉଳ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଏଇ ଦୁଇ ଶିଳ୍ପୀ ନିକଟରେ ହୋଇଥିବା ଅନ୍ ଲାଇନ୍ ଆର୍ଟ କ୍ୟାମ୍ପ୍ ରେ ଭାଗ ନେଇ ପ୍ରଶଂସିତ ହୋଇଥିଲେ।