ବ୍ରହ୍ମପୁର : ଆମ୍ବପୁଆସ୍ଥିତ ଜିଲ୍ଲା ପୋଲିସର ରିଜର୍ଭ ଅଫିସ୍କୁ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ସୋମବାର ଗସ୍ତକରି ସଫେଇ କାର୍ଯ୍ୟର ତଦାରଖ କରିଥିଲେ । ରିଜର୍ଭ ଅଫିସ୍ ଓ ବ୍ୟାରେକ ଅଞ୍ଚଳକୁ ସଫାସୁତୁରା ରଖିବା ସହ ସପ୍ତାହକୁ ଥରେ ଆବର୍ଜନାମୁକ୍ତ କରିବା ପାଇଁ ପଦକ୍ଷେପ ନେବାକୁ ଡିଆଇଜି ଶ୍ରୀ ଭୋଇ ନିର୍ଦ୍ଦେଶ ଦେଇଛନ୍ତି । କରୋନା ଭୁତାଣୁ ସଂକ୍ରମଣକୁ ନେଇ ଜନସଚେତନତା ଠାରୁ ଆରମ୍ଭକରି ବର୍ତ୍ତମାନ ଜିଲ୍ଲାରେ ଆଶିଂକ ସଡ୍ଡାଉନ୍ ଚାଲିଥିବା ବେଳେ ପୋଲିସ କର୍ମଚାରୀମାନେ ନିଜର ଦାୟୀତ୍ୱକୁ ସୁଚାରୁ ରୂପେ ପାଳନ କରୁଛନ୍ତି । ତେଣୁ କାର୍ଯ୍ୟରୁ ବ୍ୟାରକୁ ଫେରିବା ବେଳେ ଯେପରି ସେମାନେ ସଫାସୁତୁରା ରହିବେ ଓ ସାନିଟାଇଜର ବ୍ୟବସ୍ଥା ସହ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଓ ଉପକରଣ ପ୍ରସ୍ତୁତକରି ରଖିବା ପାଇଁ ରିଜର୍ଭ ଇନ୍ସିପେକ୍ଟରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ବିଭିନ୍ନ ଅସ୍ଥାୟୀ ଚେକ୍ ପୋଷ୍ଟ, ଥାନା, ଟ୍ରାଫିକ୍ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କୁ ଗ୍ଲୁକୋଚ୍ ପାଣି ସହ ଛତା ପ୍ରଦାନ କରିବା ପାଇଁ କହିଥିଲେ । ସମସ୍ତ ପୋଲିସ କର୍ମଚାରୀମାନେ ଯେପରି ସମଦୂରତାରେ ରହିବେ, ମୁହଁରେ ମାକ୍ସ ପିନ୍ଧି କାର୍ଯ୍ୟରେ ଯୋଗଦେବେ ଓ ନିଜ ଅଞ୍ଚଳକୁ କିପରି ସଫାସୁତୁରା ରଖିବେ ସେ ଉପରେ ଧ୍ୟାନଦେବାକୁ ପରାମର୍ଶ ଦେବାପାଇଁ ରିଜର୍ଭ ଇନ୍ସିପେକ୍ଟର ଦିଲ୍ଲୀପ ବେହେରାଙ୍କୁ କହିଥିଲେ । ଏହାପରେ ଖୋଡାସିଂ ଅସ୍ଥାୟୀ ଚେକ୍ ପୋଷ୍ଟକୁ ଯାଇ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ସହ ଆଲୋଚନାକରି ବାହାରୁ ଆସୁଥିବା ଗାଡିକୁ ଯାଞ୍ଚ ସହ ସେମାନଙ୍କର ସବିଶେଷ ତଥ୍ୟ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଡିଆଇଜି ଓ ଏସ୍ପିଙ୍କ ଗସ୍ତ ସମୟରେ ରିଜର୍ଭ ଇନ୍ସିପେକ୍ଟର ଦିଲ୍ଲୀପ କୁମାର ବେହେରା ଓ ସର୍ଜେଣ୍ଟ କବିବର ଦେଉରୀ ପ୍ରମୁଖ ଉପସ୍ଥିତ ଥିଲେ ।